ଅଭିଯୋଗ କଲେ ମଧ୍ୟ ଥାନାରୁ ମିଳୁନି ନ୍ୟାୟ
ନାଉଗାଁ, (ଓ୍ବାଇଏନ୍ଏସ୍):ଜନସାଧାରଣଙ୍କ ସମସ୍ୟାକୁ ସ୍ୱଳ୍ପ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟ କରୁଛି ୫ଟି ଓ ମୋ ସରକାର । କିନ୍ତୁ ନାଉଗାଁ ବ୍ଳକର ନାଉଗାଁ ଥାନାରେ ଉକ୍ତ ଯୋଜନା କେବଳ କାଗଜ କଲମରେ ଚାଲୁଥିବା ମନେ ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ତିରୁଣା ପଂଚାୟତର ଉର ଗ୍ରାମର ଧୀରଲତା ଗ୍ରହଚାର୍ଯ୍ୟଙ୍କ କ୍ଷେତ୍ରରେ । ଧୀରଲତା ନିଜର ସମସ୍ୟା ବିଷୟରେ ୩୧ ଅଗଷ୍ଟ ୨୦୨୦ ରିଖରେ ନାଉଗାଁ ଥାନାରେ ଅଭିଯୋଗ କରିଥିଲେ । ଏପିରିକି ଆବଶ୍ୟକ ପ୍ରମାଣ ପତ୍ର ମଧ୍ୟ ଥାନାରେ ଦାଖଲ କରିଥିଲେ । ହେଲେ ଅଭିଯୋଗକୁ ଦୀର୍ଘ ୧୬ ଦିନ ପୁରିଥିଲେ ମଧ୍ୟ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଧୀରଲତାଙ୍କ ଲିଖିତ ଅଭିଯୋଗ ମୁତାବକ ତାଙ୍କ ଶାଶୁ ଗୌରୀବାଳା ଗ୍ରହଚାର୍ଯ୍ୟ ତାଙ୍କ ପାଖରେ ରୁହନ୍ତି । ତାଙ୍କ ଶାଶୁଙ୍କ ନାମରେ ରାଶନ କାର୍ଡ ଅଛି । ହେଲେ ଉକ୍ତ ରାସନ କାର୍ଡରେ ତାଙ୍କ ଦେଢଶୁର ବାବାଜୀ ଗ୍ରହଚାର୍ଯ୍ୟଙ୍କର ନାମ ଥିବାରୁ ଦେଢଶୁର ଡିଲର ପଏଂଟରୁ ରାସନ ସାମଗ୍ରୀ ଆଣିଥାନ୍ତି । ହେଲେ ତାଙ୍କ ଶାଶୁଙ୍କର ଯେତିକି ପରିମାଣର ସାମଗ୍ରୀ ଦେବା କଥା ତାହା ଠାରୁ କମ ସାମଗ୍ରୀ ପ୍ରଦାନ କରିଥାନ୍ତି । ଉକ୍ତ ବିଷୟରେ ଧିରଲତା ପ୍ରତିବାଦ କରିବାରୁ ବାବାଜୀ ଓ ତାର ପୁଅ ବାଦଲ ମିଳିତ ଭାବେ ତାଙ୍କ ସ୍ୱାମୀ ଦିଗମ୍ବରଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହିତ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ମାଡ ମାରି ତାଙ୍କ ସ୍ୱାମୀଙ୍କ ଗୋଡ ଭାଙ୍ଗି ଦେଇଥିବା ବେଳେ କଟୁରୀରେ ହାଣି ଜୀବନରେ ମାରିଦେବାକୁ ଗୋଡାଇଥିଲେ । କିନ୍ତୁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଁଁଚି ସେମାନଙ୍କ ରକ୍ଷା କରିଥିଲେ । ପରେ ଧିରଲତା ତାଙ୍କୁ ସ୍ୱାମୀଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟକୁ ନେଇ ଯାଇଥିଲା । ସେଠାରେ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଆମେ ୪ ପ୍ରାଣୀ ତାଙ୍କ ଉପରେ ନିର୍ଭର କରି ଚଳୁଛୁ । ବର୍ତମାନ ତାଙ୍କ ସ୍ୱାମୀ ଅଚଳ ହୋଇ ଘରେ ପଡି ରହିଛନ୍ତି । ସେମାନେ କିଭଳୀ ଚଳିବେ ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି । ଅନ୍ୟପଟରେ ଦୀର୍ଘ ୧୬ଦିନ ହେବ ଉକ୍ତ ଘଟଣା ସଂର୍ପକରେ ନାଉଗାଁ ଥାନାରେ ଅଭିଯୋଗ କରିଥିଲେ । ଏହା ସହିତ କଟକ ମେଡିକାଲରୁ ଫେରିବା ପରେ ଆବଶ୍ୟକ କାଗଜ ପତ୍ର ଥାନାରେ ଦାଖଲ କରିଥିଲେ ମଧ୍ୟ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଇଥିବା ଧୀରଲତା ପ୍ରକାଶ କରିଛନ୍ତି । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ତାରିଖରେ ଥାନା ଦାୟିତ୍ୱରେ ଥିବା ଅଧିକାରୀ କେଉଁ କାରଣ ପାଇଁ ମାମଲା ରୁଜୁ କରି ନାହିଁନ୍ତି ଧ୍ୟାନ ଦେବା ସହିତ ଧିରଲତା ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । ଏ ବିଷୟରେ ନାଉଗାଁ ଥାନା ଆଇଆଇସି ଭରତ ବେହେରାଙ୍କୁ ପଚାରିବାରୁ ଅଭିଯୋଗ ସଂର୍ପକରେ ବୁଝିବା ପରେ ସୂଚନା ଦେବି ବୋଲି କହିଥିଲେ ।