ଅଭିଯୋଗ ପାଇଁ ରାତିରେ 22କିମି ଚାଲିଲେ 116 ଆଦିବାସୀ ଛାତ୍ର
ବାରିପଦା,(ମୁରାରୀ ମୋହନ ମହାପାତ୍ର): ଆଦିବାସୀ ବର୍ଗର ପିଲାଙ୍କ ଠାରେ ଶିକ୍ଷାର ହାର କମ ଥିବାରୁ, ଶିକ୍ଷା ଅଧିକାର ଆଇନ ତଥା ଆଦିବାସୀ ଶିକ୍ଷାର ବିକାଶ ପାଇଁ ଜନଜାତି ପିଲାଙ୍କୁ ସରକାର ଛାତ୍ରାବାସରେ ରଖି ମାଗଣାରେ ଶିକ୍ଷା ଦାନର ବ୍ୟବସ୍ଥା କରିଛନ୍ତି. ତେବେ ବିଭିନ୍ନ ସମୟରେ ଜିଲ୍ଲାରେ ଥିବା ଏସ.ଏସ.ଡି ଛାତ୍ରାବାସ ଗୁଡିକରେ ବିଭିନ୍ନ ଅନିୟମିତତା ହେଉଥିବାର ନଜରକୁ ଆସୁଥିବା ବେଳେ, ସ୍ଥାନୀୟ ଜନତା ଏବଂ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଆସୁଛନ୍ତି. ତେବେ ଆଜି ସକାଳୁ ସକାଳୁ ବାରିପଦା ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା. ହଷ୍ଟେଲରେ ହେଉଥିବା ଅନିୟମିତତା ବାବଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବାକୁ 116 ହଷ୍ଟେଲ ଛାତ୍ର ରାତି ଅଧରେ ହଷ୍ଟେଲ ଛାଡି ପାଦରେ 22 କିମି ରାସ୍ତା ଚାଲିଚାଲି ସକାଳେ ବାରିପଦାରେ ପହଂଚିଥିଲେ. ଘଟଣା ମୁତାବକ, ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ବାସିପିଠା ସ୍ଥିତ ସରକାରୀ ଏସ.ଏସ.ଡି. ଉଚ୍ଚ ବିଦ୍ୟାଳୟର ଶତାଧିକ ଅନ୍ତେବାସୀ ଛାତ୍ର ସୋମବାର ରାତି 12ଟାରେ ହଷ୍ଟେଲରୁ ବାହାରି ପାଚେରୀ ଡେଇଁ, ଅନ୍ଧାର ରାତିରେ ଦୀର୍ଘ 22 କିମି ବାଟ ଚାଲିଚାଲି ବାରିପଦା ଠାରେ ଜିଲ୍ଲାପାଳଙ୍କୁ ଭେଟି ତାଙ୍କର ଅଭିଯୋଗ ଜଣାଇବାକୁ ଆସିଥିଲେ. ଏହି ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ଘଟଣା ବାବଦରେ ଖବର ପାଇ ଜିଲ୍ଲା ପ୍ରଶାସନ ଏବଂ ସ୍କୁଲ କର୍ତୃପକ୍ଷ ଆସି ପିଲା ମାନଙ୍କ ନିକଟରେ ବାରିପଦା ଛଉ ପଡିଆ ଠାରେ ପହଂଚି ବୁଝାସୁଝା କରିଥିଲେ. ହଷ୍ଟେଲରେ ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଏବଂ ଶିକ୍ଷକ ମାନେ ବିଭିନ୍ନ ସମୟରେ ବିନା ଦୋଷରେ ଛାତ୍ରଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ଭଳି ଅଭିଯୋଗ ବାବଦରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟରେ ସମାଧାନ ନହେବାରୁ କୋମଳମତି ପିଲା ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଅର୍ଦ୍ଧରାତିରେ ସାମୁହିକ ଭାବରେ ହଷ୍ଟେଲରେ ଲୁଚି ପଳାଇ ଆସିଥିଲେ. ତେବେ ଏତେ ସଂଖ୍ୟାରେ ପିଲା ହଷ୍ଟେଲରୁ ବାହାରି ପାଚେରୀ ଡେଇଁ ଦୀର୍ଘ 25 କିମି ବାଟ ପାଦରେ ଚାଲିଚାଲି ଆସିଥିଲେ ମଧ୍ୟ, ସ୍କୁଲ କର୍ତୃପକ୍ଷ ବା ଜିଲ୍ଲା ପ୍ରଶାସନ ଜିଲ୍ଲାର ଗୁଇନ୍ଦା ସଂସ୍ଥା କିଭଳି ଜାଣିପାରିଲେ ନାହିଁ ଏବଂ ପିଲାମାନେ ହଷ୍ଟେଲରେ କିଭଳି ରାତିରେ ସୁରକ୍ଷିତ ରହୁଛନ୍ତି, ସେନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚି ସୃଷ୍ଟି କରିଛି. ତେବେ ପିଲାମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇବାକୁ ଜିଦ ଧରିଥିବା ବେଳେ ଜିଲ୍ଲାପାଳ ଜିଲ୍ଲା ବାହାରେ ଥିବାରୁ ସେ ପିଲାମାନଙ୍କ ସହିତ ଭିଡିଓ କଲରେ କଥା ହୋଇ ଦାବୀ ଶୁଣିବା ସହ ପିଲାଙ୍କୁ ଦାବିପୁରଣର ପ୍ରତିଶୃତି ଦେଇଥିଲେ. ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀପ୍ତିକାନ୍ତ ଜେନା ପ୍ରମୁଖ ପହଂଚି ଆନ୍ଦୋଳନରତ ଛାତ୍ର ମାନଙ୍କୁ ବୁଝା ସୁଝା କରି ତୁରନ୍ତ ଘଟଣାର ତଦନ୍ତ କରି ପିଲାଙ୍କର ଦାବୀ ଅବିଳମ୍ବେ ପୂରଣ କରାଯିବ ବୋଲି ପ୍ରତିଶୃତି ଦେବାପରେ ପିଲାମାନେ ହୋଷ୍ଟେଲକୁ ଫେରିବା ପାଇଁ ରାଜି ହେଇ ଥିଲେ. ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁଏକ ଘରୋଇ ବସ ଦ୍ୱାରା ପିଲା ମାନଙ୍କୁ ପୁଣି ହୋଷ୍ଟେଲକୁ ଫେରାଇ ନିଆଯାଇଥିଲା. ତେବେ ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଲାଗି ରହିଥିବା ବେଳେ ପିଲାମାନେ ଅନ୍ଧାର ରାତିରେ ଆସିଲା ବେଳେ କୋଣସି ଅଘଟଣ ଘଟିଥିଲେ କିଏ ଦାୟୀ ରହିଥାନ୍ତା ବୋଲି ଅଭିଭାବକ ଏବଂ ବୁଦ୍ଧିଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି.