ଅଭିଶପ୍ତ ଗାଁ : ହୋଇପାରୁନି ବାହାଘର
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହନ୍ତୁ ଅବା ଆଧୁନିକ ସହର ସବୁଠି ବିବାହ ସୁରୁଖୁରୁରେ ହେଉଥିବା ଦେଖାଯାଏ । କିନ୍ତୁ ବିହାରରେ ଏମିତି ଏକ ଗାଁ ରହିଛି ଯେଉଁଠି ଦୁଇ ଦଶକ ହେବ ଶାହାନାଇ ବାଜିନାହିଁ ଅର୍ଥାତ୍ କାହାର ବାହାଘର ହୋଇନାହିଁ । ବିହାର ଭାଗଲପୁର ଜିଲ୍ଲାର ଚନ୍ନୋହଲି ଗାଁରେ ଦେଖିବାକୁ ମିଳେ ଏମିତି ଦୃଶ୍ୟ । ଏହି ଗାଁରେ ପାଖାପାଖି ୬ ହଜାର ଲୋକ ବସବାସ କରନ୍ତି । ହେଲେ ଏହି ଗାଁକୁ ଗମନାଗମନର ସୁବିଧା ନାହିଁ । ଆଉ ଏହି ଗାଁ ଦେଇ ବହିଯାଇଛି ଚାନ୍ଦନ ନାମକ ଏକ ନଦୀ । ଯାହା ଗାଁର ତିନି ପାଶ୍ୱର୍କୁ ଲାଗିରହିଛି । ଫଳରେ ଏହି ଗାଁକୁ ଯିବାକୁ ସଡ଼କର ବ୍ୟବସ୍ଥା ନାହିଁ । ଅନେକ ଥର ଗାଁ ଲୋକଙ୍କ ଉଦ୍ୟମରେ କଚା ସଡ଼କ ଅବା ବାଉଁଶ ପୋଲ ତିଆରି କରି ବାହାରକୁ ଯିବା ଆସିବାର ବ୍ୟବସ୍ଥା କରାଯାଉଥିବାବେଳେ ଏହା ଉପରେ କିନ୍ତୁ ଭରସା କରି ହୁଏ ନାହିଁ । ଆଉ ବର୍ଷା ଦିନେ ତ ଏହା ବାହ୍ୟ ଜଗତଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କହିଲେ ଚଳେ । ଯେହେତୁ ଏହି ଗାଁକୁ ରାସ୍ତାର ସୁବିଧା ନାହିଁ ସେଥିପାଇଁ କେହି ଏହି ଗାଁରୁ ଝିଅ ଆଣିବାକୁ ଅବା ଝିଅ ଦେବାକୁ ଇଚ୍ଛା ପସନ୍ଦ କରନ୍ତି ନାହିଁ ।


