ଅମର୍ଦ୍ଦା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିବ ଭଏସ ଅଫ ବାଲେଶ୍ୱର
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍ତର ଓଡ଼ିଶାର କେନ୍ଦ୍ରସ୍ଥଳ ତଥା ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ସୀମାନ୍ତ ରାସଗୋବିନ୍ଦପୁର ଠାରେ ଥିବା ବ୍ରିଟିଶ ଅମଳର ଅମର୍ଦ୍ଦା ଏୟାରଷ୍ଟ୍ରିକୁ ବେସାମରିକ ବିମାନ ବନ୍ଦର ଭାବେ ବ୍ୟବହାର ପାଇଁ ଦୀର୍ଘବର୍ଷ ଧରି ହୋଇ ଆସୁଥିବା ଦାବି କ୍ରମଶଃ ଜୋରଦାର ହେବାରେ ଲାଗିଛି । ଏନେଇ ଉତ୍ତର ଓଡ଼ିଶାର ୩ ସାମାଜିକ ଅନୁଷ୍ଠାନ ‘ବାଲେଶ୍ୱରର ଭଏସ ଅଫ୍ ବାଲେଶ୍ୱର’, ମୟୂରଭଞ୍ଜର ଭଞ୍ଜସେନା ଏବଂ କେନ୍ଦୁଝରର ‘କେନ୍ଦୁଝର ଡେଭେଲୋପମେଣ୍ଟ କାଉନସିଲ’ ମିଳିତରେ ଗଠିତ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ଅଧିକ କ୍ରିୟାଶୀଳ ହୋଇଛି । ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମରେ ସରକାରଙ୍କ କାଳକ୍ଷେପଣ ନୀତିକୁ ନେଇ ଭଏସ ଅଫ ବାଲେଶ୍ୱର ତୀବ୍ର ଅସନ୍ତୋଷ ପ୍ରକାଶ ସହ ଏ ବାବଦରେ ବ୍ୟାପକ ଜନମତ ସୃଷ୍ଟି ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା କର୍ମକର୍ତ୍ତାମାନେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଭଏସ ଅଫ ବାଲେଶ୍ୱରର ଏକ ପ୍ରତିନିଧି ଦଳ ଦିଲୀ ଯାଇ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ଏ ଦିଗରେ ଆଲୋଚନା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ତୃଣମୂଳ ସ୍ତରରେ ଏହି ଦାବି ସର୍ମ୍ପରେ ଜନ ସମର୍ଥନ ଜୁଟାଇବା ପାଇଁ ନଭେମ୍ବର ଶେଷ ସପ୍ତାହରେ ସ୍ଥାନୀୟ ଟାଉନହଲରେ ଆଲୋଚନାଚକ୍ର ଆୟୋଜନ କରାଯିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଏହା ବ୍ୟତୀତ ପ୍ରତି ବ୍ଲକରେ ଜନ ସଚେତନତା ପାଇଁ ପ୍ରତୀକ ପଦଯାତ୍ରା ମଧ୍ୟ ଆୟୋଜନ କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି । ସରକାରଙ୍କ ସମ୍ମତ୍ତି ଥିବା ଉତ୍ତର ଓଡ଼ିଶାର ଏହି ପୁରାତନ ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ କରିବା ପରିବର୍ତ୍ତେ ମୟୂରଭଂଜ ଜିଲା ବୁଢ଼ାମରା ଅଞ୍ଚଳରେ ଅନ୍ୟଏକ ଏୟାରଷ୍ଟ୍ରିପକୁ ଉଡ଼ାଣ ଯୋଜନାରେ ସାମିଲ ପାଇଁ ଉଦ୍ୟମ ହେଉଥିବା ଭଏସ ଅଫ ବାଲେଶ୍ୱରର କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି । ଏମୟୂରଭଞ୍ଜ ସୀମା ତଥା ବାଲେଶ୍ୱର ଜିଲା ସଦର ମହକୁମାଠାରୁ ମାତ୍ର ୩୫ କିମି ଦୂରରେ ରହିଥିବା ଏହି ଐତିହାସିକ ଏୟାରଷ୍ଟ୍ରିପକୁ କାର୍ଯ୍ୟକ୍ଷମ ପାଇଁ ନିକଟ ଅତୀତରେ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ପକ୍ଷରୁ ଭଏସ ଅଫ ବାଲେଶ୍ୱର ନେତୃତ୍ୱରେ ଏକ ସ୍ୱାଭିମାନ ପଦଯାତ୍ରା ରାସଗୋବିନ୍ଦପୁରରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଥିଲା । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏମିତିକି ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ହୋଇଥିବା ଆଲୋଚନା ବେଳେ ଏ ଦିଗରେ ରାଜ୍ୟ ସରକାର ସକାରାତ୍ମକ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ ବୋଲି ଭଏସ ଅଫ ବାଲେଶ୍ୱରର କର୍ମକର୍ତ୍ତାମାନେ କହିଛନ୍ତି । ତେବେ ସମୂହ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସଂଗଠନର କର୍ମକର୍ତ୍ତା ଅରଜିତ ଘୋଷାଲ, ଅସିତ ଦାସ, ନିଶିଥ ବାରିକ, ତାପସ ସାହୁ, ସୁଶାନ୍ତ କୁମାର ସାହୁ, ଲମ୍ବୋଦର ବେହେରା, ସରୋଜ କୁମାର ସାହୁ, ତାପସ କୁମାର ସାମଲ, ସତ୍ୟେନ୍ଦ୍ର ଦାସଙ୍କ ସମେତ ତପନ ସିଂ, ଶୁଭଦୀପ ଚକ୍ରବର୍ତ୍ତୀ, ସୁଶୀଳ ଜେନା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।