ଅମଲା ସଂଘର ୧୧ତମ ଦ୍ୱିବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘର ୧୧ତମ ରାଜ୍ୟସ୍ତରୀୟ ସମ୍ମିଳନୀ ସ୍ଥାନୀୟ ରେଡ଼କ୍ରସ ଭବନ ସମ୍ମିଳନୀ ଗୃହରେ ସଂଘର ସଭାପତି ଶ୍ରୀକାନ୍ତ ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ସଂଘର ଉପସଭାପତି ସୁଶାନ୍ତ କୁମାର ଦାସ ସଂଯୋଜନା କରିଥିଲେ । ସାଧାରଣ ସମ୍ପାଦକ ଭବାନୀ ମୋହନ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସମ୍ମିଳନୀରେ କର୍ମଚାରୀମାନଙ୍କର ମୁଖ୍ୟ ସମସ୍ୟା ଭାବେ କ୍ୟାଡ଼ର ପୁର୍ନଗଠନ, ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର, ପଦୋନ୍ନତି, ଏଲ୍ଆଇସି ଓ ମାର୍ଚ୍ଚ ମାସର ପ୍ରୋତ୍ସାହନ ଭତ୍ତା ବୃଦ୍ଧି, ବଦଳି ନୀତିକୁ କର୍ମଚାରୀ ସପକ୍ଷବାଦୀ କରିବା, ମହିଳା କର୍ମଚାରୀଙ୍କ ନିମନ୍ତେ ଭୁବନେଶ୍ୱରରେ ଏକ ପ୍ରତୀକ୍ଷାଳୟ ଓ ରାଜ୍ୟରେ ପ୍ରତ୍ୟେକ କାର୍ଯ୍ୟାଳୟରେ ଆଇନ ମୁତାବକ ମହିଳା ନିର୍ଯ୍ୟାତନା ପ୍ରତିକାର ପ୍ରକୋଷ୍ଠ ପ୍ରତିଷ୍ଠା, ଆଞ୍ଚଳିକଭିତ୍ତିରେ ଷ୍ଟାମ୍ପ ଭଣ୍ଡାର ପ୍ରତିଷ୍ଠା, ଟ୍ରେଜେରୀ ଭିତ୍ତିଭୂମିର ଉନ୍ନତି ଆଦି ଆଲୋଚନା ହୋଇଥିଲା । ଏ ସମସ୍ତ ଦାବିକୁ ସମ୍ମିଳନୀର ଉଦ୍ଘାଟକ ତଥା ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ସିଂ, ବର୍ଷୀୟାନ କର୍ମଚାରୀ ନେତା ଶ୍ରୀଯୁକ୍ତ ଦୁର୍ଗାଚରଣ ନାୟକ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବିଶିଷ୍ଟ ଆଇନ୍ଜୀବୀ ଶ୍ରୀଯୁକ୍ତ ସୁରେଶଚନ୍ଦ୍ର ରାଉତରାୟ, ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର କାର୍ଯ୍ୟକାରୀ ମହାସଚିବ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମଲ୍ଲ ପ୍ରମୁଖ ଯୁକ୍ତିଯୁକ୍ତ ଦର୍ଶାଇ ଏହାର ସମାଧାନ ପାଇଁ ସରକାରୀ କ୍ଷେତ୍ରରେ ସମସ୍ତ ସହଯୋଗ ଯୋଗାଇ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ।ଏହି ସମ୍ମିଳନୀରେ ଆସନ୍ତା ଦୁଇବର୍ଷ ନିମନ୍ତେ ସଂଘର ସୁପରିଚାଳନା ପାଇଁ ସମର ରଞ୍ଜନ କାନୁନ୍ଗୋ ସଭାପତି, ସର୍ବଶ୍ରୀ ଦେବାଶିଷ ଦାସ, ପ୍ରହ୍ଲାଦ ପ୍ରଧାନ, ବୈଷ୍ଣବ ଜାନି ଓ ଶ୍ରୀମତୀ ବିଜୟିନୀ ମହାନ୍ତି ଉପସଭାପତି, ଶୁଭେନ୍ଦୁ କୁମାର ରାଉତରା ସାଧାରଣ ସମ୍ପାଦକ, ସର୍ବଶ୍ରୀ ପ୍ରବୀର କୁମାର ଦାସ, ବାଳକୃଷ୍ଣ ପଣ୍ଡା, ସୁରଜ ପଟ୍ଟନାୟକ, ରଘୁନାଥ ସଉରା ଯୁଗ୍ମ ସମ୍ପାଦକ, ଶ୍ରୀ ସୁବାସ ଚନ୍ଦ୍ର ପାଇକରାୟ କୋଷାଧ୍ୟକ୍ଷ, ସରୋଜ କୁମାର ସାହୁ ମୁଖ୍ୟାଳୟ ସମ୍ପାଦକ, କୁମାର ଅପର୍ଣ୍ଣା ହେମ୍ବ୍ରମ ଓ ଶ୍ରୀଯୁକ୍ତ ଦିପ୍ତିମୟୀ ପଟ୍ଟନାୟକ ସମୀକ୍ଷକ, ସର୍ବଶ୍ରୀ ଭବାନୀ ମୋହନ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଜେନା, ଶ୍ରୀକାନ୍ତ ଭୂୟାଁ ଓ ସୁଶାନ୍ତ କୁମାର ଦାସ ଉପଦେଷ୍ଟା ଭାବେ ସର୍ବସମ୍ମତି କ୍ରମେ ଚୟନ ହୋଇଥିଲେ ।