ଅମଳ ସମୟରେ ଆଖୁଫସଲକୁ ନଷ୍ଟ କଲେ ହାତୀପଲ
ଆସିକା, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଳକ ପରିସରଭୁକ୍ତ ଅଞ୍ଚଳରେ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର ସାଙ୍ଗକୁ ଆଖୁଚାଷ କରିବା ଲାଗି ଚାଷୀମାନେ ଯେପରି ଅଧିକରୁ ଅଧିକ ଆଗ୍ରହ ସୃଷ୍ଟି କରିପାରିବେ ତାହାକୁ ଦୃଷ୍ଟିରେ ରଖି ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ବହୁବିଧ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ବିଗତ କିଛି ମାସ ହେଲା ଆଖୁଚାଷ ହେଉଥିବା ଗଂଜାମ ଜିଲ୍ଲାର କେତେକ ଅଞ୍ଚଳରେ ଜଙ୍ଗଲୀ ବାରାହା ଆଖୁକ୍ଷେତରୁ ପଶି ଆଖୁଫସଲକୁ ନଷ୍ଟ କରୁଥିବା ବେଳେ ବର୍ତ୍ତମାନ ଗାଙ୍ଗପୁର ଡିଭିଜନର ଗୁଣ୍ଡୁରିବାଡି ଗ୍ରାମ ପଂଚାୟତର ଗୁଣ୍ଡୁରିବାଡି ଗ୍ରାମ ଓ ବାଡିଗ୍ରାମର ୧୨ ଏକର ଜମିରେ ଲାଗିଥିବା ଅମଳ ଉପଯୋଗୀ ଆଖୁଫସଲକୁ ହାତୀପଲ ପଶି ଦଳିଚକଟି ନଷ୍ଟ କରିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଆଖୁଚାଷୀମାନେ ଚିନ୍ତିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ହାତୀପଲ କ୍ଷେତରେ ପଶି ଅମଳ ଉପଯୋଗୀ ଆଖୁଫସଲକୁ ନଷ୍ଟ କରିଦେଇଥିବା ଯୋଗୁଁ ଆଖୁଚାଷ କରିବା ପାଇଁ ଆଣିଥିବା ଋଣ କିପରି ପରିଶୋଧ କରିବେ ସେହି ଚିନ୍ତାରେ ଚାଷୀ ଚିନ୍ତିତ ହୋଇପଡିଥିବା ଜଣାପଡିଛି । ଅମଳ ସମୟରେ ଆଖୁଫସଲକୁ ହାତୀପଲ ନଷ୍ଟ କରିଦେଇଥିବା ସଂକ୍ରାନ୍ତରେ ଖବର ପାଇ ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ପରିଚାଳନା ପରିଷଦର ସଦସ୍ୟ ନିରଂଜନ ପ୍ରଧାନ, ଉପଆଖୁ ପରିଚାଳକ ସିମାଂଚଳ ସାହୁ, ଆଖୁ ଉନ୍ନୟନ ପର୍ଯ୍ୟବେକ୍ଷକ ଧ୍ରୁବ ସାହୁ, ଆଖୁ ଉନ୍ନୟନ ସହାୟକ ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଗାଙ୍ଗପୁର ଡିଭିଜନର ଗୁଣ୍ଡୁରିବାଡି ଗ୍ରାମ ପଂଚାୟତରେ ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରିବା ସାଙ୍ଗକୁ କ୍ଷତିଗ୍ରସ୍ତ ଆଖୁଚାଷୀମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିବା ଜଣାପଡିଛି । ଅମଳ ଉପଯୋଗୀ ଆଖୁଫସଲକୁ ହାତୀପଲ ନଷ୍ଟ କରିଦେଇଥିବା ଯୋଗୁଁ ଗୁଣ୍ଡୁରିବାଡି ଗ୍ରାମ ପଂଚାୟତର ବହୁ ଆଖୁଚାଷୀ ଚିନ୍ତିତ ହୋଇପଡିଥିଲା ବେଳେ ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା ଆଖୁଚାଷୀ କୂଳର ଅସମୟରେ ପାଖରେ ଠିଆ ହୋଇ ବିପତି ସମୟରେ ଧୈର୍ଯ୍ୟହରା ନ ହେବାକୁ ପରାମର୍ଶ ଦେଇଥିବା ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପ ଲିଃର ଗାଙ୍ଗପୁର ଡିଭିଜନ ଗୁଣ୍ଡୁରିବାଡି ଗ୍ରାମ ପଂଚାୟତର ଗୁଣ୍ଡୁରିବାଡି ଗ୍ରାମ ଓ ବାଡିଗ୍ରାମରେ ୧୨ ଏକର ଜମିରେ ଲାଗିଥିବା ଅମଳ ଉପଯୋଗୀ ଆଖୁଫସଲକୁ ହାତୀପଲ ଦଳିଚକଟି ନଷ୍ଟ କରିଦେଇଥିବା ବେଳେ କ୍ଷତିଗ୍ରସ୍ତ ଆଖୁଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ପଡିଥିବା ଜଣାପଡିଛି । ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀମାନେ ଆଖୁଫସଲ ହାନୀ ଘଟିଥିବା ଗୁଣ୍ଡୁରିବାଡି ଗ୍ରାମ ପଂଚାୟତରେ ପହଞ୍ଚି ଆଖୁଚାଷୀ ବିରଞ୍ଚି ମାଝୀ, ବିଘ୍ନେଶ୍ୱର ମାଝୀ, କାଳୁ ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ, ସନ୍ୟାସୀ ଗୌଡ, ପ୍ରଦ୍ୟୁମ୍ନ ପ୍ରଧାନ, ଯତିନ୍ଦ୍ର ପ୍ରଧାନ, ଟି.ପାଣ୍ଡବ ଦୋରା, କୈଳାଶ ବିଷୋୟୀ, ଶରତ ବିଷୋୟୀଙ୍କ ସମେତ ଅନ୍ୟ ଆଖୁଚାଷୀମାନଙ୍କ ସହ ଫସଲ ହାନି ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆଖୁଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଆଖୁଫସଲକୁ ସୁରକ୍ଷା ପାଇଁ ହାତୀପଲକୁ ଘଉଡାଇବା ଦିଗରେ ପଦକ୍ଷେପ ନେବାକୁ ସମବାୟପ୍ରେମୀ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।