ଅମାନିଆଙ୍କୁ ଆକଟ କରିପାରେ ଅନଲକ-୧ମାର୍ଗଦର୍ଶିକା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ କୋଭିଡ-୧୯ତାଲିକାର ୭ମ ସ୍ଥାନରେ ଭାରତ ରହିଛି।ଭାରତର ଅନାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ୧୬ ତମ କରୋନା ସଂକ୍ରମିତ ରାଜ୍ୟ ଭାବେ ପୁର୍ବ ସ୍ଥିତି ବଜାୟ ରହିଛି।ଗତ କାଲି ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୧୫୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଥିବା ବେଳେ ରାଜ୍ୟରେ ମଧ୍ୟ ନୁଆଁ ସଂକ୍ରମିତ ସୃଷ୍ଟି ହୋଇଛି।ଏହାକୁ ବିଚାର କରି ରାଜ୍ୟ ସରକାର ଲକଅନ-୧ ନୂଆ ମାର୍ଗଦର୍ଶିକା ଜାରୀ କରିଛନ୍ତି।ଏହି ମାର୍ଗଦର୍ଶିକାରେ ରାଜ୍ୟ ସରକାର କେତେକ କ୍ଷେତ୍ରରେ କୋହଳ କରିଥିଲେ ହେଁ ସଂକ୍ରମଣ ପ୍ରବଣ ୧୧ଟି ଜିଲ୍ଲା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।ସେଥି ମଧ୍ୟରେ ସଂକ୍ରମଣ ହାର ଅଧିକ ଥିବା ଗଞ୍ଜାମ ଜିଲ୍ଲା ପ୍ରମୁଖ ସ୍ଥାନ ହାସଲ କରିଛି।ଏସବୁ ୧୧ଟି ଜିଲ୍ଲାରେ ଚଳିତ ଜୁନ ମାସର ପ୍ରତି ଶନିବାର ଓ ରବିବାର ସଟ ଡାଉନ କରିବାକୁ ସରକାର ଘୋଷଣା କରିଛନ୍ତି।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରବାସୀ ଫେରନ୍ତାଙ୍କ ସଂଖ୍ୟା ୪ଲକ୍ଷ ୨୬ହଜାର ୫୦୪ ବୋଲି ସରକାରୀ ତଥ୍ୟରୁ ଜଣାପଡିଛି।ପ୍ରବାସୀଙ୍କ ପାଇଁ ସଂକ୍ରମଣ ବୃଦ୍ଧି ପାଇବା ସହ ଆଗକୁ ଆହୁରି ବୃଦ୍ଧି ପାଇବା ନେଇ ସରକାର ଆଶଙ୍କା କରିଛନ୍ତି।ମୁଖ୍ୟତଃ ଗତ କିଛି ଦିନ ଧରି ସରକାର ଏବଂ ପ୍ରଶାସନ ପକ୍ଷରୁ କରୋନା ସମ୍ପର୍କିତ ଯେଉଁ ସଚେତନତା ସୃଷ୍ଟି ହୋଇଛି ତାହାକୁ ଲୋକେ ମାନୁ ନ ଥିବା ଜଣାପଡିଛି।ଦୀର୍ଘ ୨ ମାସରୁ ଉର୍ଦ୍ଧ୍ବ ସମୟ ଧରି ଏହି ପ୍ରକ୍ରିୟା ଜାରୀ ରହିଥିଲେ ମଧ୍ୟ ଲୋକଙ୍କ ଉପରେ ଅଦ୍ୟାବଧି ଏହାର କୌଣସି ପ୍ରଭାବ ପଡିଥିବା ପରିଲକ୍ଷିତ ହୋଇନି।ମୁହଁରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ନିୟମ ପାଳନ କରୁ ନ ଥିବା କାରଣରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ବୋଲି ସରକାରୀ ଭାବେ କୁହାଯାଇଛି।ତେଣୁ ସରକାରଙ୍କ ପକ୍ଷରୁ ଲକଅନ-୧କୁ ଏବେ କଡାକଡି କରାଯାଇଛି।କରୋନା ସଂକ୍ରମଣ ପାଇଁ କଲ ବଲ ସ୍ଥିତିରେ ଥିବା ଗଞ୍ଜାମ ଜିଲ୍ଲାରେ ନୁଆଁ ମାର୍ଗଦର୍ଶିକାରେ ୯ ପ୍ରମୁଖ କ୍ଷେତ୍ରରେ କଟକଣା ଲାଗୁ ହୋଇ ଥିବା ବେଳେ ଶନିବାର ଏବଂ ରବିବାର ୨ ଦିନ ସଟ ଡାଉନ କରାଯିବ।ଏହି ୨ ଦିନରେ ଅତ୍ୟାବଶ୍ୟକ ସେବାକୁ ଛାଡି ତେଜରାତି ଦୋକାନ ଓ ବଜାର ପ୍ରଭୃତି ବନ୍ଦ ରହିବ।ଏଥି ସହିତ ଆଉ ୧୩ ଟି ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚଳ ପ୍ରଚଳ ପାଇଁ ଅନୁମତି ପ୍ରଦାନ କରାଯାଇଛି।ସାଧାରଣ ଲୋକଙ୍କ ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।ଏଥି ପୂର୍ବରୁ ସ୍ଥାନୀୟ ସହରରେ ଲାଗୁ ହୋଇଥିବା ତୃତୀୟ ଏବଂ ଚତୁର୍ଥ କରୋନା କଟକଣା ପ୍ରତି ସହରର କିଛି ଚିନ୍ତାଶୀଳ ବ୍ୟକ୍ତି ଅନୁପାଳନ କରିଥିବା ବେଳେ ବହୁ ଅମାନିଆ ଯୁବଗୋଷ୍ଠୀ ଏବଂ ସହରକୁ ଆସୁଥିବା ଆଗନ୍ତୁକଙ୍କ ଉପରେ ବିଶେଷ ପ୍ରଭାବ ପଡ଼ି ପାରି ନାହିଁ।ସହରରେ ବାଇକରେ ୨ ରୁ ଅଧିକ ବସି ଚକ୍କର ମାରିବା ,ମାସ୍କ ନ ପିନ୍ଧିବା, ସାହି ସାହି ରେ ଲୋକଙ୍କ ଭିଡ଼ ଗହଳି ଲାଗି ରହିବା ଏବଂ ସାମାଜିକ ଦୂରତ୍ୱ ପାଳନ କରିବାରେ କେହି ଆଗ୍ରହୀ ନ ଥିବା ଜଣାପଡ଼ିଛି। ଯଦି ପ୍ରଶାସନିକ ସ୍ଥରରେ ଅମାନିଆଙ୍କ ପ୍ରତି ପୂର୍ବ ଭଳି କୋହଳ ମନୋଭାବ ପୋଷଣ କରାଯାଏ ତା ହେଲେ ଏହା ସଫଳ ହେବା କଷ୍ଟକର।ତେଣୁ ଖାଲି ସରକାର କଠୋର ହେଲେ ହେବ ନାହିଁ ବରଂ ସ୍ଥାନୀୟ ପ୍ରଶାସନ ଆଇନ ଉଲ୍ଲଂଘନକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସଚେତନ ନାଗରିକ ମହଲ ମତ ପ୍ରକାଶ କରିଛନ୍ତି।


