ଅମିତାଭ ନେବେ ଅବସର !
ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ଅବସର ନେବେ ବୋଲି ତାଙ୍କ ବ୍ଲଗ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ୧୯୬୯ରୁ “ସାତ ହିନ୍ଦୁସ୍ତାନୀ’ ମାଧ୍ୟମରେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିବା ଅମିତାଭ ବିଟାଉନରେ ୫୦ ବର୍ଷ ପୂରଣ କରି ସାରିଛନ୍ତି । ବିନା କୌଣସି ବିରତିରେ ସେ ଏହି ୫୦ ବର୍ଷ ପୂରଣ କରିଛନ୍ତି । ନିକଟରେ ସେ ଫିଲ୍ମ “ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ମନାଲି ପହଞ୍ଚିଥିଲେ । ହେଲେ ସେଠାରେ ସେ ଏକ ବ୍ଲଗ୍ ଲେଖି ସୂଚନା ଦେଇଛନ୍ତି କି ସେ ହୁଏତ ଅବସର ନେଇପାରନ୍ତି । ଉକ୍ତ ବ୍ଲଗରେ ସେ ଲେଖିଛନ୍ତି ମନାଲି ପହଞ୍ଚିବାକୁ ତାଙ୍କୁ ୧୨ ଘଣ୍ଟା ସମୟ ଲାଗିଛି । ଏପଟେ ରାସ୍ତା ମଧ୍ୟ ଠିକ୍ ନାହିଁ । ସେଠାରେ ରହିବା ଓ ପରିବେଶ ମଧ୍ୟ ତାଙ୍କୁ ଠିକ୍ ଲାଗି ନାହିଁ ବୋଲି ଲେଖିବା ସହ ସେ ଅବସର ନେବା ଆବଶ୍ୟକ ବୋଲି କହିଛନ୍ତି । କାରଣ ଏବେ ମନ ଗୋଟିଏ ଆଡେ ଯିବା ବେଳେ ଆଙ୍ଗୁଠି ଆଉ ଗୋଟେ ଆଡେ ଯାଉଛି । ଏସବୁ ଲେଖା ଦେଖିବା ପରେ ଅନୁମାନ କରାଯାଉଛି କି ଅମିତାଭ ଏବେ ଅବସର ନେବାକୁ ବାଧହୁଏ ପ୍ରସ୍ତୁତ ହେଉଛନ୍ତି ।