ଅମ୍ପନ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ୩ ମୃତ
ଭୁବନେଶ୍ବର: ବାତ୍ୟା ଅମ୍ପନର ପ୍ରଭାବ ଓଡ଼ିଶାରେ ଅନୁଭୂତ ହୋଇଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ପବନ ହେବା ଯୋଗୁ ଗଛ ଓ ବିଦ୍ୟୁତ୍ ଖୁଣ୍ଟି ଏବଂ କାନ୍ଥ ଭାଙ୍ଗିଥିବା ଜଣାପଡ଼ିଛି। କାନ୍ଥପଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ପଡ଼ି ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭଦ୍ରକ ଜିଲ୍ଲାରେ ଜଣେ ୨ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ୫୭ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବାତ୍ୟା ଅମ୍ପନ୍ର ପ୍ରଭାବରେ ଜିଲ୍ଲାରେ ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ତିହିଡ଼ି ବ୍ଲକ୍ ଅନ୍ତର୍ଗତ କାଆଁପଡ଼ା ପଞ୍ଚାୟତର ଦକ୍ଷିଣପରି ଗ୍ରାମର ବଳରାମ ଦାସଙ୍କର ଘରର କାନ୍ଥ ଭାଙ୍ଗିପଡ଼ିଥିଲା। ଫଳରେ ଘରେ ଶୋଇଥିବା ବଳରାମଙ୍କର ୨ ମାସର ଶିଶୁପୁତ୍ର କାନ୍ଥତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏଥିସହ ବଳରାମଙ୍କ ସ୍ତ୍ରୀ ମଧ୍ୟ ଗୁରୁତର ହୋଇଥିବା ଜଣାପଡ଼ିଛି। ଏଥିସହ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗଛପଡ଼ି ରାସ୍ତାଅବରୋଧ ହୋଇଥିବା ଜଣାପଡ଼ିଛି। ସେହିପରି ବାତ୍ୟା ଅମ୍ପନ୍ ନେଇଛି ଦ୍ବିତୀୟ ମୁଣ୍ଡ। ବାତ୍ୟା ଅମ୍ପନ୍ରେ କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ଅଞ୍ଚଳରେ ୫୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ କୋଇଲି ବେହେରା। ବାତ୍ୟା ଆଶ୍ରୟସ୍ଥଳୀକୁ ନ ଯାଇ ନିଜ ଘରେ ଥିଲେ। ଜିରୋ କାଜୁଆଲିଟି ଲକ୍ଷ୍ୟକୁ ନେଇ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲେବି ଏଠାରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଜଣେ ମହିଳାଙ୍କ ଉପରେ ବିଦ୍ୟୁତ୍ ଖଣ୍ଟ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହ ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।


