ଅଯୋଧ୍ୟା ରାମମନ୍ଦିରରେ ଭୂମିପୂଜା ସ୍ଥଗିତ

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମ ଜୁଲାଇ ୨ରେ ହେବାକୁ ଥିଲା, କିନ୍ତୁ ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ମନ୍ଦିର ନିର୍ମାଣ ଟ୍ରଷ୍ଟ ଏହାକୁ ସ୍ଥଗିତ ରଖିଛି । ଏ ସଂପର୍କରେ ଏକ ବୟାନ ଦେଇ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଚିବ ଚମ୍ପତ ରାୟ କହିଛନ୍ତି ଦେଶର ସୁରକ୍ଷା ସର୍ବୋପରି । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୂମିପୂଜାକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ପରେ ଭୂମିପୂଜା କାର୍ଯ୍ୟକ୍ରମ ପାଇଁ ଆଉ ଏକ ନୂଆ ତାରିଖ ଘୋଷଣା କରାଯିବ । ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆସନ୍ତା ଜୁଲାଇ ୨ରେ ନିଜର ଅଯୋଧ୍ୟା ଗସ୍ତକୁ ବାତିଲ କରିଦେଇଛନ୍ତି ।
ଗତ ୧୦ ତାରିଖରେ ରାମ ଜନ୍ମଭୂମି ପରିସରରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ ସହ ମନ୍ଦିର ନିର୍ମାଣ ପ୍ରକ୍ରିୟାର ଶାସ୍ତ୍ରୀୟ ଶୁଭାରମ୍ଭ କରାଯାଇଥିଲା । ଏଥିରେ ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ପୌରୋହିତ୍ୟ କରିଥିଲେ । ଏହା ପରେ ଜୁଲାଇ ୨ ଦେବଶୟନୀ ଏକାଦଶୀ ଉପଲକ୍ଷେ ଭୂମିପୂଜା ପାଇଁ ଶୁଭଦିନ ନିର୍ଦ୍ଧାରଣ କରାଯାଇଥିଲା । ଗତ ମାର୍ଚ୍ଚମାସରେ ରାମଲାଲାଙ୍କୁ ଜନ୍ମଭୂମି ପରିସରରୁ ହଟାଇ ଏକ ଅସ୍ଥାୟୀ ସ୍ଥାନକୁ ନିଆଯାଇଥିଲା । ଏହା ପରେ ସଂପୃକ୍ତ ଭୂମିର ସମତଳିକରଣ କାର୍ଯ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ