ଅଯୋଧ୍ୟା ରାୟ ଆଜି
ନୂଆଦିଲ୍ଲୀ : ଦୀର୍ଘ ୭୦ ବର୍ଷ ଧରି ଭାରତର ରାଜନୈତିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଆସୁଥିବା ଅଯୋଧ୍ୟା ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ ମାମଲାର ରାୟ ଶନିବାର ସକାଳ ୧୦ ଟା ୩୦ ମିନଟରେ ପ୍ରକାଶ ପାଇବ । ଶୁକ୍ରବାର ରାତିରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ଦ୍ୱାରା ଏହି ସୂଚନା ଦିଆଯାଇଛି । ପ୍ରଧାନବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଏଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଦେବେ । ଉକ୍ତ ଖଣ୍ଡପୀଠରେ ବିଚାରପତି ଏସ ଏ ବୋବଡେ, ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ବିଚାରପତି ଅଶୋକ ଭୂଷଣ ଏବଂ ବିଚାର ପତି ଏସ ଅବଦୁଲ ନଜିର ସଦସ୍ୟ ଅଛନ୍ତି । ଏହି ମାମଲାରେ ଲଗାତର ୪୦ ଦିନ ଧରି ଶୁଣାଣି କରିବା ପରେ ଗତ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ପ୍ରଧାନବିଚାରପତି ଗୋଗେଇ ଚଳିତ ମାସ ୧୭ ତାରିଖରେ ଅବସର ନେବାକୁ ଯାଉଥିବାରୁ ତା ପୂର୍ବରୁ ଏହି ରାୟ ଆସିବ ବୋଲି କୁହାଯାଉଥିଲା ଯାହା ସତ୍ୟ ପ୍ରମାଣିତ ହୋଇଛି ।
ଅଯୋଧ୍ୟା ମାମଲାରେ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ସମୁଦାୟ ୧୪ଟି ଆବେଦନ ଦାଖଲ କରାଯାଇଥିଲା । କିନ୍ତୁ ୮ ବର୍ଷ ଧରି ଏସବୁ ଉପରେ ଶୁଣାଣି ହେଉନଥିଲା । ସୁପ୍ରିମକୋର୍ଟଙ୍କ ଚଳିତ ବର୍ଷ ଏହି ବିବାଦର ଆପୋଷ ବୁଝାମଣା ଭିତ୍ତିରେ ସମାଧାନ କରିବା ପାଇଁ ଏକ ମଧ୍ୟସ୍ଥତା କମିଟି ଗଠନ କରିଥିଲେ । କିନ୍ତୁ ଏହି କମିଟି ଏହାର ସମାଧାନ କରିବାରେ ବିଫଳ ହୋଇଥିଲା । ଯାହା ଯୋଗୁଁ ସର୍ବୋଚ୍ଚ ଅଦାଲତ ଏହା ଉପରେ ଶୁଣାଣି କରିଥିଲେ ।