‘ଅରବିନ୍ଦାୟନ’ ସାରସ୍ୱତ ସାଧକ ଅରବିନ୍ଦ ପଟ୍ଟନାୟକଙ୍କ ସାହିତ୍ୟର ବାତାୟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-‘ଅରବିନ୍ଦାୟନ’ ଡକ୍ଟର ଅରବିନ୍ଦ ପଟ୍ଟନାୟକଙ୍କ ‘ସାରସ୍ୱତ ସୌନ୍ଦର୍ଯ୍ୟ ଓ ସୌରଭ ସଂକଳନ ଏକ ଭିନ୍ନଧରଣର ସୃଷ୍ଟି । ଏହି ସଂକଳନ ସ୍ରଷ୍ଟାଙ୍କ ସାରସ୍ୱତ ସାଧନାର ମାତାୟନ । ଦୀର୍ଘ ଛଅଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଧରି ଓଡ଼ିଶା ସାହିତ୍ୟକୁ ବିଶେଷକରି ଲୋକ ସଂସ୍କୃତିର ଗବେଷଣାକୁ ଯେଉଁ ଦିଗ୍‌ଦର୍ଶନ ଦେଇଛନ୍ତି ତାହାର ସୁନ୍ଦର ଆକଳନ ହେଉଛି ‘ଅରବିନ୍ଦାୟନ’ ବୋଲି ପୁସ୍ତକର ଉନ୍ମୋଚନ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ମଙ୍ଗଳବାର ଅପରାହ୍ଣରେ ଲୋହିଆ ଭବନଠାରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ‘ଅରବିନ୍ଦାୟନ’ରୁ ଡକ୍ଟର ପଟ୍ଟନାୟକଙ୍କ ସାରସ୍ୱତ ସାଧନା ଓ ଐତିହ୍ୟ କ୍ଷେତ୍ରରେ ରଖିଥିବା ପଦଚିହ୍ନକୁ ଜାଣିବାର ଅବକାଶ ମିଳିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ବ୍ୟୋମକେଶ ତ୍ରିପାଠୀ କହିଲେ ଯେ, ଅରବିନ୍ଦ ପଟ୍ଟନାୟକ ସାହିତ୍ୟ ସାଧନା ତାଙ୍କ ଜୀବନକୁ ପ୍ରଭାବଶାଳୀ କରିପାରିଛି । ନିଷ୍ଠାର ସହ ନିଜର ସାହିତ୍ୟ ସାଧନା ଜାରି ରଖିଛନ୍ତି । ମୁଖ୍ୟବକ୍ତା ତଥା ସମୀକ୍ଷକ ଅସିତ ମହାନ୍ତି ‘ଅରବିନ୍ଦାୟନ’ରୁ କେବଳ ସ୍ରଷ୍ଟାଙ୍କ ସାହିତ୍ୟ ଜୀବନ ନୁହେଁ, ସମକାଳୀନ ସାହିତ୍ୟିକ ପରିବେଶର ସ୍ପନ୍ଦନ ବାରି ହୋଇଯାଏ । ‘ଲୋକ ସଂସ୍କୃତି’ ଗବେଷଣା କ୍ଷେତ୍ରରେ ସେ ଅନନ୍ୟ ଅନତିକ୍ରମଣୀୟ । ଉତ୍ସବରେ ଅଧ୍ୟକ୍ଷତା କରି ବିଶିଷ୍ଟ ସାରସ୍ୱତ ସାଧକ ଦାଶ ବେନହୁର ସ୍ରଷ୍ଟା ଅରବିନ୍ଦ ପଟ୍ଟନାୟକଙ୍କ ସାଧନା ଓ ଜୀବନଚର୍ଯ୍ୟା ସମ୍ପର୍କରେ ଉଲ୍ଲେଖ କରିଥିଲେ । ପୁସ୍ତକର ସମ୍ପାଦନା କରିଥିଲେ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ । ଉତ୍ସବରେ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଦୀପଙ୍କର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ପରିଚାଳନା କରିଥିଲେ ବେବିନା ବେହେରା, ସୁମନ କୁମାର ବେହେରା ଓ ପ୍ରଶାନ୍ତ କୁମାର ସ୍ୱାଇଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ