ଅରୁଣ ଦେଙ୍କ ଉତ୍ସର୍ଗୀକୃତ ଆଦର୍ଶ ଓଡ଼ିଶା ରାଜନୀତି ପାଇଁ ପ୍ରେରଣା’

ବାଲେଶ୍ୱର, (ସରୋଜ ପଣ୍ଡା): ବିଶିଷ୍ଟ ରାଜନେତା ପୂର୍ବତନ ବିଧାୟକ ଅରୁଣ ଦେଙ୍କ ଏକାଦଶାହ କର୍ମକାଣ୍ଡ ବିଧିପୂର୍ବକ ତାଙ୍କ ବାସଭବନରେ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଦେଙ୍କ ସାନଭଉଣୀ ପ୍ରଫେସର ବାସନ୍ତି ଦେଚକ୍ରବର୍ତ୍ତୀ ଆମେରିକାରୁ ଆସି ଦୁଇଦିନ ଧରି ସମସ୍ତ କ୍ରିୟାକର୍ମ ଆୟୋଜନ କରିଛନ୍ତି । ଏକାଦଶାହ ଅବସରରେ ବହୁ ସଂଖ୍ୟାରେ ଅରୁଣ ଦେଙ୍କ ଅନୁଗାମୀ, ସହଯୋଗୀ ଓ ସମର୍ଥକ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିବା ଦେଖିବାକୁ ମିଳିଥିଲା । ସାନ ଭଉଣୀ ଭାବେ ଦାଦାଙ୍କର କ୍ରିୟାକର୍ମ ତାଙ୍କୁ ଯେ କରିବାକୁ ପଡ଼ିବ, ଏହା କେବେ ସେ ଆଶା କରି ନଥିଲେ ବୋଲି ପ୍ରଫେସର ଦେ ଚକ୍ରବର୍ତ୍ତୀ କହିଛନ୍ତି । ପରପାରିରେ ଥିଲେ ବି ଦାଦାଙ୍କ ଉପସ୍ଥିତି ପ୍ରତିଟି ସମୟରେ ଅନୁଭବ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ଓ ରଂଜନ ବାଗ, ସ୍ୱର୍ଗତ ଦେଙ୍କ ଅନୁଗାମୀ ବିଷ୍ଣୁ ପ୍ରସାଦ ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପାଟକୁରାର ପୂର୍ବତନ ବିଧାୟକ ତଥା ସ୍ୱର୍ଗତ ଦେଙ୍କ ସମସାମୟିକ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଯୋଗ ଦେଇ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅରୁଣ ଦେ ଓଡ଼ିଶା ରାଜନୀତିରେ ଭିନ୍ନ ଏକ ଚରିତ୍ର ଥିଲେ ବୋଲି ସେ କହିଥିଲେ । ଯିଏ ଯେଉଁ ଦଳର ହୋଇଥିଲେ ବି ତାଙ୍କର କାହା ସହ ଶତ୍ରୁତା ନଥିଲା । ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ ଭାବେ ବିଧାନସଭା ଭିତରେ ଓ ବାହାରେ ଓଡ଼ିଶାର ସମସ୍ତ ବିଧାୟକ ତଥା ରାଜନେତା ତାଙ୍କୁ ଭଲ ପାଉଥିଲେ । ସମସ୍ତଙ୍କ ପାଇଁ ସେ ଦାଦା ହୋଇଥିଲେ ଓ ଭବିଷ୍ୟତରେ ଦାଦା ଭାବେ ଚିରସ୍ମରଣୀୟ ରହିବେ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଅପରାହ୍ନରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବାଲେଶ୍ୱରର ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ସଦର ବିଧାୟକ ସ୍ୱରୁପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଭୋଗରାଇ ବିଧାୟକ ଅନନ୍ତ ଦାସ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ସମେତ ଜିଲା ବିଜେଡିର ବହୁ କର୍ମକର୍ତ୍ତା ସ୍ୱର୍ଗତ ବିଧାୟକଙ୍କ ବାସଭନରେ ପହଞ୍ôଚ ତାଙ୍କ ଭଉଣୀ ପ୍ରଫେସର ଦେଚକ୍ରବର୍ତ୍ତୀଙ୍କୁ ସମବେଦନା ଜଣାଇଥିଲେ । ସ୍ୱର୍ଗତ ଦେଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସମସ୍ତେ ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ