ଅରୁଣ ଦେଙ୍କ ଦେହାନ୍ତର ୧୦ମ ଦିନ : ‘ସ୍ମରଣେ ଦାଦା’ ପକ୍ଷରୁ ବାଲିଘାଟରେ ଦଶାହ କର୍ମକାଣ୍ଡ
ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଟ ରାଜନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେଙ୍କ ଦେହାନ୍ତକୁ ଆଜି ବୁଧବାର ୧୦ଦିନରେ ପହଞ୍ଚିଥିବା ବେଳେ ତାଙ୍କୁ ଭଲ ପାଉଥିବା ଯୁବଗୋଷ୍ଠୀଙ୍କୁ ନେଇ ଗଠିତ ଅନୁଷ୍ଠାନ ‘ସ୍ମରଣେ ଦାଦା’ ପକ୍ଷରୁ ଦଶାହ କର୍ମକାଣ୍ଡ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପୁରୋଧା ଗୌତମ ସେଠୀଙ୍କ ନେତୃତ୍ୱରେ ଶତାଧିକ ଯୁବ ସଂଗଠକ ସହର ଉପକଣ୍ଠ ବୁଢ଼ାବଳଙ୍ଗ ନଦୀର ବାଲିଘାଟଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୫୦ରୁ ଊର୍ଦ୍ଧ୍ୱ ଯୁବକ ଲଣ୍ଡା ହେବା ସହ ଦଶାହ କର୍ମକାଣ୍ଡରେ ସାମିଲ ହୋଇଛନ୍ତି । ବିଧିପୂର୍ବକ ଦଶାହ କର୍ମ ପରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା । ଶ୍ରୀ ସେଠୀଙ୍କ ସମେତ ଯୁବ ସଂଗଠକ ଶାନ୍ତନୁ ଦାସ, ଅରଜିତ ଘୋଷାଲ, ପ୍ରଶାନ୍ତ ମହାପାତ୍ର, ଧନେଶ୍ୱର ଦାସ, ପଞ୍ଚାନନ ମାନ୍ନା, ରବି ରାଉତ, ସନ୍ତୋଷ ବାରିକ, ସଞ୍ଜୟ ବାରିକ, ଶଶିକାନ୍ତ ପ୍ରଧାନ ନୀଳାମ୍ବର ଦାସ ପ୍ରମୁଖ ଏଥିରେ ଉପସ୍ଥିତ ରହି ଦାଦାଙ୍କୁ ମନେପକାଇ ତାଙ୍କର ସ୍ମୃତିଚାରଣ କରିଥିଲେ । ଦାଦା ପ୍ରେମୀଙ୍କ ସମେତ ବାଲେଶ୍ୱରବାସୀଙ୍କ ହୃଦୟରେ ସ୍ୱର୍ଗତ ଦେ ଚିରକାଳ ସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀ ସେଠୀ କହିଥିଲେ ।


