ଅରୁଣ ଦେଙ୍କ ସ୍ମୃତିରେ ତାଙ୍କ ବାସଭବନରେ ନୂଆବର୍ଷ ବନ୍ଧୁମିଳନ
ବାଲେଶ୍ୱର, (ସରୋଜ ପଣ୍ଡା) :ଓଡ଼ିଶାର ବିଶିଷ୍ଟ ରାଜନେତା ତଥା ବାଲେଶ୍ୱରର ପୂର୍ବତନ ବିଧାୟକ ଅରୁଣ ଦେଙ୍କ ସ୍ୱର୍ଗବାସ ପରେ ମଧ୍ୟ ନୂଆବର୍ଷ ଅବସରରେ ଶନିବାର ମଲିକାଶପୁରସ୍ଥିତ ତାଙ୍କ ବାସଭବନରେ ଲୋକଙ୍କ ଗହଳି ପରିଲକ୍ଷିତ ହୋଇଛି । ସ୍ୱର୍ଗତ ଦେଙ୍କ ସମୟରେ ପ୍ରତି ନୂଆବର୍ଷର ପ୍ରଥମ ଦିବସରେ ଶହ ଶହ ସଂଖ୍ୟାରେ କର୍ମୀ, ସମର୍ଥକ ଓ ସହଯୋଗୀ ଆସି ତାଙ୍କୁ ଶୁଭେଚ୍ଛା ଜଣାଉଥିଲେ । ତାଙ୍କର ଏହି ପରମ୍ପରା ଓ ସ୍ମୃତିକୁ ବଜାୟ ରଖିବା ପାଇଁ ସ୍ୱର୍ଗତ ଦେଙ୍କ ଅନୁଗାମୀ ତଥା ଅରୁଣ ଦେ ସ୍ମୃତି କମିଟିର କର୍ମକର୍ତ୍ତାମାନେ ଆଜି ତାଙ୍କ ବାସଭବନରେ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସ୍ମୃତି କମିଟି ପକ୍ଷରୁ ଏଠାରେ ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରୁ ଅରୁଣ ଦେଙ୍କୁ ଭଲ ପାଉଥିବା ତଥା ଅତୀତରେ ତାଙ୍କର ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର ଲୋକେ ପହଞ୍ଚଥିଲେ । ବିଷ୍ଣୁ ପ୍ରସାଦ ମହାନ୍ତି, ରଞ୍ଜନ ବାଗ, ବିନୋଦ ଜୀ, ଅନସୂୟା ନାୟକ, ଶରତ ଦାସ, ଅଭିଜିତ ଦାସ, ଜୟନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ରାଉତ, ଗୋପୀନାଥ ରାଉତ ପ୍ରମୁଖ ସ୍ମୃତି କମିଟିର କର୍ମକର୍ତ୍ତାମାନେ ଏହି ବନ୍ଧୁ ମିଳିନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ଶିକ୍ଷାବିତ ଶତ୍ରୁଘ୍ନ ମଲିକ, ପୂର୍ବତନ ପୌରପାଳ ତପନ ଚକ୍ରବର୍ତ୍ତୀ, ନିକୁଞ୍ଜ କିଶୋର ଦାସ, ଗୋପୀନାଥ ସେନାପତି, ପ୍ରଦୀପ କୁମାର ଦାସ, ମାୟାଧର ପଣ୍ଡା, ଅନୀଲ କୁମାର ଶର୍ମା, ପ୍ରିୟବ୍ରତ ସାହୁ, ସୁଧାକର ପଣ୍ଡା, ସୌମ୍ୟ ରଞ୍ଜନ ଯାଦବ, ବଂଶୀଧର ପଣ୍ଡା, ମଧୁସୂଦନ ମହାପାତ୍ର, ବିଶ୍ୱଜିତ ମହାପାତ୍ର, ଉମାକାନ୍ତ ଶତପଥୀ, ସନତ କୁମାର ଦାସଙ୍କ ସମେତ ଅରୁଣ ଦେଙ୍କୁ ଭଲ ପାଉଥିବା ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇ ସ୍ୱର୍ଗତ ଦେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ତାଙ୍କୁ ମନେ ପକାଇଥିଲେ । ପରେ ଜନ ସମସ୍ୟା ଓ ଅନ୍ୟ୍ୟା ବିଷୟ ଉପରେ ଆଲୋଚନା କରାଯାଇଥିଲା । ସ୍ୱର୍ଗତ ଦେଙ୍କ ସ୍ମୃତିରେ ପ୍ରତି ନୂଆବର୍ଷରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମସ୍ତେ ସମ୍ମତ୍ତି ପ୍ରଦାନ କରିଥିଲେ ।