ଅରୁଣ ସ୍ତମ୍ଭରେ ଫାଟ

ଭୁବନେଶ୍ୱର : ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଥିବା ଅରୁଣ ସ୍ତମ୍ଭରେ ଦେଖାଦେଇଛି ଫାଟ । ଗୋଟିଏ ପଥରରେ ନିର୍ମିତ ଏହି ସ୍ତମ୍ଭରେ ଫାଟକୁ ନେଇ ତନାଘନା ଚାଲିଛି । ଭୂମିଠାରୁ ପ୍ରାୟ ୧୭ ଫୁଟର ଏହି ଫାଟ ସ୍ତମ୍ଭର ଉତ୍ତର ପଟେ ଦେଖାଯାଉଛି । ଶ୍ରୀମନ୍ଦିରର ୧୬୧ ନମ୍ବର ପ୍ଲଟରେ ଏହି ଅରୁଣ ସ୍ତମ୍ଭକୁ ପ୍ରତିଷ୍ଠା କରାଯାଇଛି । ସ୍ତମ୍ଭ ଫାଟର ଆକାର ଲମ୍ବରେ ତିନି ଫୁଟ । ଫାଟ ମଝିରେ ୩ଟି ସ୍ଥାନରେ ଗାତ ସୃଷ୍ଟି ହୋଇଛି । ଯାହା ଜଣାପଡ଼ୁଛି ଏହି ଫାଟକୁ ମୁଦିବାକୁ ଏହା ପୂର୍ବରୁ ଉଦ୍ୟମ ହୋଇଥିଲା । କାରଣ ଫାଟ ଦେହରେ ଫାଟ ଯୋଡ଼େଇର (ଜଏଣ୍ଟ ସିଲିଂ ଏଣ୍ଡ ଗ୍ରାଉଟିଂ) ଚିହ୍ନ ସ୍ୱରୂପ ଅଠା ଲାଗିଛି । ଏହା ବ୍ୟତୀତ ସ୍ତମ୍ଭରେ ୩ଟି ଗାତ ମଧ୍ୟ ରହିଛି । ଗାତଗୁଡ଼ିକ ଛୋଟ ହୋଇଥିଲେ ମଧ୍ୟ ଅରୁଣ ସ୍ତମ୍ଭ ପଥରର ଏକକତାକୁ ଏହା ଦୁର୍ବଳ କରିବା ଆଶଙ୍କା ଦେଖାଦେଇଛି ।
ଆଠ ଶହ ବର୍ଷ ପୂର୍ବେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଶୋଭା ପାଉଥିବା ଏହି ସ୍ତମ୍ଭର ଉଚ୍ଚତା ପ୍ରାୟ ୩୩ ଫୁଟ ୮ ଇଞ୍ଚ । ମୋଟ ୧୬ ( ପର, ମୁହଁ, ପାଗ) କୋଣ ବିଶିଷ୍ଟ ଏହି ସ୍ତମ୍ଭର ଗୋଲେଇ ସାଢେ ଛଅ ଫୁଟ ସାଢେ ତିନି ଇଞ୍ଚ । ବ୍ୟାସ ଦୁଇ ଫୁଟ । ମରହଟ୍ଟା ରାଜତ୍ୱ ଅମଳରେ ଭୋଇ ବଂଶର ରାଜା ଦିବ୍ୟସିଂହ ଦେବ ଅଷ୍ଟାଦଶ ଶତାବ୍ଦୀରେ ପୁରୀ ଆଣି ଶ୍ରୀମନ୍ଦିର ସିଂହଦ୍ୱାରରେ (ପୂର୍ବଦିଗ) ପ୍ରତିଷ୍ଠା କରିଥିଲେ । ଏହି ସ୍ତମ୍ଭ ଉପରେ ସୂର୍ଯ୍ୟଙ୍କ ବାହନ ଅରୁଣ ବିଜେ ହୋଇଛନ୍ତି ବୋଲି ଐତିହାସିକମାନେ କହିଛନ୍ତି । ଏହି ସ୍ତମ୍ଭ ସାତ ଫୁଟ ନଅ ଇଞ୍ଚ ଲମ୍ବର ବର୍ଗାକାର କ୍ଷେତ୍ର ଏବଂ ଛଅ ଫୁଟ ଉଚ୍ଚର କଳାମୁଗୁନି ପଥର ପୀଠ ଉପରେ ଠିଆ ହୋଇଛି । ଏହି ଐତିହାସିକ କୀର୍ତ୍ତିର ସୁରକ୍ଷା ପାଇଁ ଗବେଷକମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ