ଅର୍ଣ୍ଣବଙ୍କ ବିରୋଧରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ଏତଲା
ଭୁବନେଶ୍ୱର : ରିପ୍ଲବିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏତଲା ଦେଇଛନ୍ତି । ଅର୍ଣ୍ଣବଙ୍କ ବିରୋଧରେ ଆଇପିସିର ଧାରା ୧୧୭, ୧୨୦ବି, ୧୫୩ଏ, ୨୯୫ଏ, ୨୯୮, ୫୦୦, ୫୦୪, ୫୦୫ ଓ ୫୦୬ ଆଧାରରେ ମାମଲା ରୁଜୁ କରିବାକୁ ସେ ଦାବି କରିଛନ୍ତି । ନିଜ ଏତଲାରେ ସେ ଦର୍ଶାଇଛନ୍ତିଯେ, ଅର୍ଣ୍ଣବ ନିଜ ଚ୍ୟାନେଲରେ ପାଲଘର ଭିଡ଼ହିଂସା ଉପରେ କରୁଥିବା ବିତର୍କରେ ସୋନିଆ ଗାନ୍ଧୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବା ସହ ଆକ୍ଷେପ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅର୍ଣ୍ଣବ ସାମ୍ପ୍ରଦାୟିକ ହିଂସାକୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ । କୌଣସି ମୌଲବୀ ଓ ପାଦ୍ରିଙ୍କ ଉପରେ ଆକ୍ରମଣ ହୋଇଥିଲେ ଇଟାଲୀ ବାଲି ସୋନିଆ ଗାନ୍ଧୀ ଓ ତାଙ୍କ ଦଳର କର୍ମୀମାନେ ତୀବ୍ର ବିରୋଧ କରିଥା’ନ୍ତେ । କିନ୍ତୁ ଏବେ ମହାରାଷ୍ଟ୍ରରେ ତାଙ୍କ ସରକାର ଚାଲିଥିବାରୁ ଚୁପ ବସିଛନ୍ତି । ହିନ୍ଦୁମାନଙ୍କୁ ମାରୁଛି ବୋଲି କହି ସେ ପ୍ରଶଂସା ପାଇବାକୁ ଇଟାଲୀକୁ ରିପୋର୍ଟ ମଧ୍ୟ ପଠାଇଥା’ନ୍ତେ । ଏଭଳି ବିବୃତି ଦେଇ ଅର୍ଣ୍ଣବ ମୁସଲିମ ଓ ଖ୍ରୀଷ୍ଟିୟାନଙ୍କ ପ୍ରତି ଦ୍ୱେଷ ସୃଷ୍ଟି କରିବାର ପ୍ରୟାସ କରିଛନ୍ତି । କରୋନା ମୁକାବିଲା ପାଇଁ ସାରା ଦେଶ ଏକାଠି ଲଢ଼ୁଥିବାବେଳେ ଅର୍ଣ୍ଣବ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ପାଇଁ ପ୍ରୋତ୍ସାହିତ କରିଛନ୍ତି । ବିତର୍କରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରତି ଅନାବଶ୍ୟକ ଓ ଭିତିହୀନ ବିବୃତି ମଧ୍ୟ ଦେଇଛନ୍ତି । ଅର୍ଣ୍ଣବଙ୍କ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲେବି ସେ ନିଜ ମନ୍ତବ୍ୟକୁ ନେଇ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି କି କ୍ଷମା ମାଗିନାହାନ୍ତି । ତାଙ୍କର ବକ୍ତବ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ସେହିପରି ତାଙ୍କର ବକ୍ତବ୍ୟ ଦ୍ୱାରା ସଂଖ୍ୟାଲଘୁ ସମ୍ପ୍ରଦାୟ ସ୍ୱାଭାବିକ ଭାବେ ଅସୁରକ୍ଷିତ ମନେ କରୁଛନ୍ତି । ସମ୍ବିଧାନରେ ଧର୍ମନିରପେକ୍ଷତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ସୁପ୍ରିମକୋର୍ଟ ମଧ୍ୟ ଧର୍ମନିରପେକ୍ଷତା ଆମ ସମ୍ବିଧାନର ମୂଳ ଭିତି ବୋଲି କହିଛନ୍ତି । ଭାରତର ଜଣେ ନାଗରିକ ଭାବେ ସେ ଏହି ଏତଲା ଦେଇଛନ୍ତି ବୋଲି ଶ୍ରୀ ଚୌଧୁରୀ ଓ ତାଙ୍କର ସମର୍ଥକମାନେ ଦର୍ଶାଇଛନ୍ତି ।
ଲକଡାଉନ ପାଇଁ ଶ୍ରୀ ଚୌଧୁରୀ ଏବେ ବୟାଳିଶ ମୌଜାରେ ରହୁଥିବାରୁ କଟକ ସଦର ଥାନାରେ ସେ ଏତଲା ଦାଏର କରିଛନ୍ତି । ଶ୍ରୀ ଚୌଧୁରୀଙ୍କ ସହ ରାମଚନ୍ଦ୍ର ଗୋଚ୍ଛାୟତ, ଚନ୍ଦ୍ରକାନ୍ତ ନାୟକ, ବିଜୟ କୁମାର ନାୟକ, ନିରଂଜନ ସାହୁ, ମିହିର ଦାସ ପ୍ରମୁଖ କଟକ ସଦର ଥାନା ଯାଇ ଏତଲା ଦେଇଛନ୍ତି । ଅପରପକ୍ଷରେ ଭୁବନେଶ୍ୱରରେ କାର୍ଯ୍ୟକାରୀ ସଭାପତି ରଶ୍ମୀ ମହାପାତ୍ରଙ୍କ ନେତୃତ୍ୱରେ ଉପସଭାପତି ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ସମ୍ପାଦକ ସଂଜୀବ ପୂଜାପଣ୍ଡା, ଶ୍ରୀୟାସ୍ମିତା ପଣ୍ଡା, ରମାକାନ୍ତ ସାହୁ ପ୍ରମୁଖ ଲିଙ୍ଗରାଜ ଥାନାରେ ଏତଲା ଦାଏର କରିଛନ୍ତି ।