ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ରମୁଖ୍ୟ ପ୍ରଦୀପ ସେଠୀଙ୍କ ସମେତ ୩ ଜଣ ଛତ୍ରପୁର ଏସ୍‌ଡିଜେଏମ୍ କୋର୍ଟରେ ହାଜର

ଛତ୍ରପୁର,(ଦେବଦତ୍ତ ମହାରଣା) : ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଆଜି ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ, ପୋଲସରା ଷଣ୍ଢସାହିର ମନୋଜ ପଟ୍ଟନାୟକ ଏବଂ ବାଲେଶ୍ୱର ଦହିସୋର ଗ୍ରାମର ଶ୍ରୀକୃଷ୍ଣ ଚନ୍ଦ୍ର ପାଢୀ ଛତ୍ରପୁର ଏସ୍‌ଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି । ଛତ୍ରପୁର ଥାନା ଅଧୀନ ଏକ ଠକେଇ ମାମଲାରେ ସଂପୃକ୍ତ ଥିବା ନେଇ ଉପରୋକ୍ତ ୩ ଜଣଙ୍କ ସମେତ ଚକାଜଗନ୍ନାଥ ଗ୍ରାମର ଜଗବନ୍ଧୁ ପଣ୍ଡା, ଭୁବନେଶ୍ୱର ସନ୍ତୋଷୀ ବିହାର ଅଞ୍ଚଳର ମହମ୍ମଦ ହଜିଫ୍ ପ୍ରମୁଖ ୫ ଜଣଙ୍କୁ ରିମାଣ୍ଡରେ ଆଣିବା ପାଇଁ ଛତ୍ରପୁର ପୁଲିସ ଗଲାମାସ ୨୦ ତାରିଖରେ ଏସ୍‌ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଜରିଆରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ (ଭୁବନେଶ୍ୱର)ଙ୍କୁ ନିବେଦନ କରିଥିଲେ । ଏହାକୁ ନଭେମ୍ବର ୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ବିଚାରଣା କରି ଗୋଟିଏ ଦିନ ପାଇଁ ଅର୍ଥାତ୍ ଚଳିତ ମାସ ୨୩ ତାରିଖରେ ପ୍ରଦୀପ ସେଠୀ, ମନୋଜ ପଟ୍ଟନାୟକ ଓ ଶ୍ରୀକୃଷ୍ଣ ଚନ୍ଦ୍ର ପାଢୀଙ୍କୁ ରିମାଣ୍ଡରେ ଛାଡିବାକୁ ମଞ୍ଜୁର କରିଥିଲେ । ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରରେ ବିଚାରଧୀନ କଏଦୀ ଭାବରେ ଥିବା ପ୍ରଦୀପ ସେଠୀ, ମନୋଜ ପଟ୍ଟନାୟକ ଓ ଶ୍ରୀକୃଷ୍ଣ ଚନ୍ଦ୍ର ପାଢୀଙ୍କୁ କଡା ସୁରକ୍ଷାରେ ଆଜି ଛତ୍ରପୁର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ଅନ୍ୟ ଦୁଇଜଣ ଜଗବନ୍ଧୁ ପଣ୍ଡା ଓ ମହମ୍ମଦ ହଜିଫ୍ ଅନୁପସ୍ଥିତ ରହିଥିବା ନେଇ ସେମାନଙ୍କୁ ଆସନ୍ତାମାସ ୫ ତାରିଖରେ ହାଜର ହେବା ଲାଗି ଏସ୍‌ଡିଜେଏମ୍ ଶ୍ରୀ ପାଣିଗ୍ରାହୀ ନିର୍ଦ୍ଦେଶନାମା ଜାରି କରିଥିଲେ । ପରେ ଛତ୍ରପୁର ପୁଲିସ ଆବେଦନ କରିଥିବା ଗୋଟିଏ ଦିନ ପାଇଁ ରିମାଣ୍ଡକୁ ଆଧାର କରି ପ୍ରଦୀପ ସେଠୀ, ମନୋଜ ପଟ୍ଟନାୟକ ଓ ଶ୍ରୀକୃଷ୍ଣ ଚନ୍ଦ୍ର ପାଢୀଙ୍କୁ ଛତ୍ରପୁର ପୁଲିସ ପଚରାଉଚରା କରି ପୁଣି ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାର ପଠାଯାଇଥିବା ଜଣାପଡିଛି ।ପ୍ରଦୀପ ସେଠୀ, ମନୋଜ ପଟ୍ଟନାୟକଙ୍କ ପାଇଁ ହାଇକୋର୍ଟର ଓକିଲ ସଞ୍ଜୟ ନାରାୟଣ ସାହୁ ଓ ଏସ୍‌.ମୋହନ ରାଓ ଏବଂ ଛତ୍ରପୁର କୋର୍ଟର ଓକିଲ କୃଷ୍ଣଚନ୍ଦ୍ର ସାହୁ (ବି) । ଶ୍ରୀକୃଷ୍ଣ ଚନ୍ଦ୍ର ପାଢୀଙ୍କ ପାଇଁ ବ୍ରହ୍ମପୁରର ଓକିଲ ଶ୍ରୀହର୍ଷ ପ୍ରସାଦ ଦାଶ ରହିଥିବା ବେଳେ ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ମକଦ୍ଦମା ପରିଚାଳନା କରିଥିଲେ । ସୂଚନା ଅନୁଯାୟୀ, ଛତ୍ରପୁର ସହରର ଅର୍ଥତତ୍ତ୍ୱ ସଂସ୍ଥାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଥିଲା । ସେଠାରେ ଛତ୍ରପୁର ବ୍ଲକ୍ କଣମଣା ଗ୍ରାମର ଦେବରାଜ ସାହୁ ଏକ ଲକ୍ଷ ଟଙ୍କା ଜମା କରିଥିଲେ । ପରବର୍ତ୍ତୀ ସମୟରେ ସଂସ୍ଥାର କାର୍ଯ୍ୟାଲୟ ଉଭାନ ହୋଇଯାଇଥିଲା । ଦେବରାଜ ଜମା ଅର୍ଥ ଫେରି ପାଇ ନଥିଲେ । ୨୦୧୩ ମସିହା ମେ ୧୦ରେ ଦେବରାଜ ତାଙ୍କ ଅର୍ଥ ହଡପ ହୋଇଥିବା ସଂକ୍ରାନ୍ତରେ ଥାନାରେ ଏତଲା ଦେଇଥିଲେ । ଛତ୍ରପୁର ଥାନା ପକ୍ଷରୁ ୬୮/୨୦୧୩ ନମ୍ବର କେସ୍‌ରେ ୧୨୦ (ବି), ୪୨୦,୪୬୮, ୪୭୧/୩୪ ଆଇପିସି, ୪,୫,୬ ପ୍ରାଇସ୍ ଚିଟ୍ ମନି ସର୍କୁଲାସନ୍ (ବାନିଂ) ଦଫାରେ ଉପରୋକ୍ତ ୫ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ