ଅର୍ଥନୈତିକ ଅଭିବୃଦ୍ଧିରେ ମଧୁବାବୁଙ୍କ ଭୂମିକା

(ଜୟନ୍ତୀ ଉପଲକ୍ଷେ) – ଅମିନୀଲୁ ରାୟ
ଓଡିଶାର କଟକ ଜିଲ୍ଲା ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମରେ ୧୮୪୮, ଅପ୍ରେଲ ୨୮ରେ ମଧୁବାବୁଙ୍କ ଜନ୍ମ । ତାଙ୍କ ମାତାଙ୍କ ନାମ ପାର୍ବତୀ ଦେବୀ ଓ ପିତାଙ୍କ ନାମ ଚୈାଧୁରୀ ଶ୍ରୀ ରଘୁନାଥ ଦାସ । ମଧୁବାବୁଙ୍କ ବାଲ୍ୟଶିକ୍ଷା ପ୍ରଥମେ ଚାଟଶାଳୀରୁ ଆରମ୍ଭ ହୋଇଥିଲା । ପରେ ୧୩ ବର୍ଷ ବୟସରେ ସେ କଟକରେ ଥିବା ଏକ ସରକାରୀ ହାଇସ୍କୁଲ୍ରେ ଅଧ୍ୟୟନ କରିଥିଲେ । ସେହି ହାଇସ୍କୁଲ୍ଟି ଏବେ ରେଭେନ୍ସା କଲିଜିଏଟ୍ ସ୍କୁଲ ନାମରେ ପରିଚିତ । ୧୮୬୪ରେ ସେ ଏନଟ୍ରାନ୍ସ ପରୀକ୍ଷାରେ ସଫଳତାର ସହ କୃତିତ୍ୱ ଅର୍ଜନ କଲାପରେ ଉଚ୍ଚଶିକ୍ଷା ପାଇଁ ଅର୍ଥାଭାବ ଯୋଗୁଁ ବାଧ୍ୟ ହୋଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ୨ବର୍ଷ ଶିକ୍ଷକତା କ୍ରମେ କିଛି ଅର୍ଥ ସଂଚୟ କରି ୧୮୬୬ରେ ସୁଦୂର କଲିକତା ଯାତ୍ରା କରିଥିଲେ ।
କଲିକତାରେ ଅର୍ଥାଭାବ ଯୋଗୁଁ ପାଠ ପଢିବା ସମ୍ଭବପର ହୋଇନପାରିବାରୁ ସେ ଅମ୍ବିକା ପ୍ରସାଦ ହାଜରା ନାମକ ଜଣେ ପାଦ୍ରୀଙ୍କ ସହ ଆଲୋଚନା ଓ ପରାମର୍ଶ କ୍ରମେ ମଧୁବାବୁ ଖ୍ରୀଷ୍ଟିଆନ୍ ଧର୍ମରେ ଦୀକ୍ଷିତ ହୋଇ ନୀୟମାନୁସାରେ ମୂଳନାମ ଗୋବିନ୍ଦବଲ୍ଲଭକୁ ପରିବର୍ତନ କରି ମଧୂସୁଦନ ନାମ ଗ୍ରହଣ କରିଥିଲେ । ପୁନର୍ବାର ଶିକ୍ଷକତା ସମୟ ମଧ୍ୟରେ ମଧୁବାବୁ ୧୮୭୦ରେ ବି.ଏ ଓ ୧୮୭୩ରେ ଇଂରାଜୀ ସାହିତ୍ୟରେ ଏମ୍.ଏ ପାସ୍ର କିଛି କାଳ ପରେ ମଧ୍ୟ ସେ ବି,ଏଲ୍ ପାସ୍ କରି କଲିକତା ହାଇକୋର୍ଟରେ ଓକିଲାତି ଜୀବନ ଆରମ୍ଭ କରିଥିଲେ ଓ ସେଠାରେ ଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କ ଉନ୍ନତି ପଥେ ଲାଗିପଡିଥିଲେ ।
୧୮୮୦ରେ ମଧୁବାବୁ ଓଡିଶାକୁ ପ୍ରତ୍ୟାବର୍ତନ କରି କଟକରେ ଓକିଲାତି କରିଥିଲେ । ତାଙ୍କର ବିଚକ୍ଷଣ ବୁଦ୍ଧି ଯୋଗୁଁ ସେ ଓକିଲାତିରେ ବିଶେଷ ପାରଦର୍ଶିତା ଅର୍ଜନ କରିପାରିଥିଲେ । ବାରିଷ୍ଟରୀ ପଢିନଥିଲେ ମଧ୍ୟ ଲୋକେ ତାଙ୍କୁ ସମ୍ମାନର ସହ ମଧୁ ବାରିଷ୍ଟର ବୋଲି ସମ୍ବଧନ କରୁଥିଲେ । ତାଙ୍କର ଓଳିଲାତି ଜୀବନ କାଳରେ ସେ ବହୁ ଦୁଃଖୀ ଦରିଦ୍ର ଲୋକମାନଙ୍କ ପାଇଁ ବିନା ଫିସ୍ରେ ଲଢି ସେମାନଙ୍କୁ ଅତ୍ୟାଚାରୀ ଧନିକମାନଙ୍କ ହାତରୁ ରକ୍ଷା କରିଥିଲେ । ସେତେବେଳେ ଇଂରେଜ ସରକାର ଓଡିଶାର ଠାକୁର ରାଜା ପୁରୀ ରାଜାଙ୍କ ହାତରୁ ଜଗନ୍ନାଥ ମନ୍ଦିରର ପରିଚାଳନା ଭାଗ କାଢି ନେବା ପାଇଁ ଆଇନ୍ କରିବାରୁ ମଧୁବାବୁ ଉକ୍ତ ଆଇନ୍ ରଦ୍ଦ ହେଲା ପର୍ଯ୍ୟନ୍ତ ଲଢେଇ କର ିଓଡିଶାର ସମ୍ମାନ ରକ୍ଷା କରିଥିଲେ ।
ସେ ୧୮୮୩ରେ ରେଭେନ୍ସା କଲେଜ୍ରେ ଥିବା ଇ କ୍ଲାସ୍ରେ ଆଇନ୍ ଅଧ୍ୟାପକ ରୂପେ ନିଯୁକ୍ତି ପାଇଥିଲେ । କିଛିକାଳ ପାଇଁ ସେ କଟକ ଜିଲ୍ଲା ବୋର୍ଡର ଚେୟାରମ୍ୟାନ୍ ଓ କଲିକତା ବିଶ୍ୱବିଦ୍ୟାଳୟର ସଭ୍ୟ ରୂପେ ଗୃହିତ ହୋଇଥିଲେ । ୧୮୬୯ରେ ମଧୁବାବୁ ବେଙ୍ଗଲ୍ ଲେଜିସ୍ଲେଟିଭ୍ କାଉନ୍ସିଲ୍କୁ ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତୀ ନିର୍ବାଚନମାନଙ୍କରେ ଜୟଯୁକ୍ତ ହୋଇ ଏକାଦି କ୍ରମେ ୧୫ବର୍ଷ କାଳ ସଭ୍ୟଭାବେ ରହିଥିଲେ । ତାଙ୍କର ଏହି ଜନହିତକର କାର୍ଯ୍ୟାନୁଷ୍ଠାନରେ ପ୍ରୀତ ହୋଇ ୧୯୦୪ରେ ସରକାର ତାଙ୍କୁ ସି.ଆଇ.ଇ ଉପାଧିରେ ଭୂଷିତ କରିଥିଲେ । ୧୯୧୨ରେ ବିହାର-ଓଡିଶା ପ୍ରଦେଶ ଗଠିତ ହେଲା ପରେ ମଧୁବାବୁ ଏହାର ଲେଜିସ୍ଲେଟିଭ୍ କାଉନସିଲ୍କୁ ନିର୍ବାଚିତ ଓ ପୁନଶ୍ଚ ୧୯୧୪ରେ ଇମ୍ପେରିଆଲ୍ ଲେଜିସ୍ଲେଟିଭ୍ କାଉନସିଲ୍କୁ ସଭ୍ୟ ରୂପେ ମଧ୍ୟ ମନୋନୀତ ହୋଇଥିଲେ । ୧୯୧୯ର ଭାରତ ଶାସନ ଆଇନ୍ ଅନୁସାରେ ନୂତନ ନିର୍ବାଚନରେ ନିର୍ବାଚିତ ହୋଇ ସେ ବିହାର-ଓଡିଶା ଲେଜିସ୍ଲେଟିଭ୍ କାଉନସିଲ୍ର ସଭ୍ୟ ହୋଇଥିଲେ । ୧୯୨୧ରେ ସରକାର ତାଙ୍କୁ ବିହାର-ଓଡିଶା ମନ୍ତ୍ରୀମଣ୍ଡଳରେ ସ୍ଥାନୀୟ ସ୍ୱାୟତ ଶାସନ ବିଭାଗ ଓ ନିର୍ମାଣ ବିଭାଗ ଦେଇ ଜଣେ ଦକ୍ଷ ମନ୍ତ୍ରୀ ରୂପେ ନିଯୁକ୍ତ କରିଥିଲେ । ମଧୁବାବୁ ନିଷ୍ଠାର ସହ ୨ବର୍ଷ କାଳ ମନ୍ତ୍ରୀତ୍ୱ ଦାୟିତ୍ୱ ନିର୍ବହ କରି ବହୁ ଉନ୍ନତ ଆଇନ୍ ଦ୍ୱାରା ଜନସାଧାରଣଙ୍କର ପ୍ରିୟଭାଜନ ହୋଇପାରିଥିଲେ । ମନ୍ତ୍ରୀମାନେ ବିନା ଦରମାରେ ଲୋକମାନଙ୍କୁ ନିସ୍ୱାର୍ଥ ସେବା ଯୋଗାଇଦେବା ଉପରେ ସରକାରଙ୍କୁ ଟିପ୍ପଣୀ ଦେବାରୁ ତଥା ସରକାର ତାଙ୍କ ମତ ଅଗ୍ରାହ୍ୟ କରିବାରୁ ଶେଷରେ ମଧୁବାବୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
ସେତେବେଳେ ଓଡିଶା ପ୍ରଦେଶ ବୋଲି କିଛି ନଥିଲା । ଓଡିଶାର କିଛି ଅଂଶ ମାନ୍ଦ୍ରାଜରେ , ମଧ୍ୟପ୍ରଦେଶରେ ଓ ବେଙ୍ଗଲ୍ ପ୍ରେସିଡେନ୍ସିରେ ଯୋଡାହୋଇ ରହିଥିଲା । ଓଡିଶା କହିଲେ କଟକ , ପୁରୀ , ବାଲେଶ୍ୱର ଓ ଅନୁଗୁଳକୁ ବୁଝାଉଥିଲା ଓ ଏହାକୁ ଓଡିଶା ଡିଭିଜନ୍ ବୋଲି କୁହାଯାଉଥିଲା । ଛିନ୍ନବିଛିନ୍ନ ଓଡିଆ ଭାଷା ଅଂଚଳକୁ ଏକ ଶାସନାଧୀନ କରିବା ପାଇଁ ମଧୁବାବୁ ପ୍ରବଳ ଭାବରେ ଉଦ୍ୟମ ଆରମ୍ଭ କରିଥିଲେ । ଏଥି ନିମନ୍ତେ ସେ ୧୯୦୩ରେ ଏକ ଉକ୍ରଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ । ଏହାର ବିଭିନ୍ନ ଅଧିବେଶନରେ ସେ ତାଙ୍କର ମୂଲ୍ୟବାନ ଅଭିଭାଷଣମାନ ପ୍ରଦାନ କରିଥିଲେ । ୧୯୨୧ରେ ଖଦଡବସ୍ତ୍ର ପରିଧାନ ପାଇଁ ମହାତ୍ମା ଗାନ୍ଧି ଜନସାଧାରଣଙ୍କୁ ଉପଦେଶ ଦେଇଥିଲେ , କିନ୍ତୁ ମଧୁବାବୁ ତାଙ୍କର ବହୁ ପୂର୍ବରୁ ଉକ୍ରଳବାସୀଙ୍କୁ ହାତ କଟା ସୂତାରେ ଲୁଗା ବୁଣି ପିନ୍ଧିିବା ପାଇଁ କହିଥିଲେ । ଏ ଦିଗରେ ସେ ଯଥା ସମ୍ଭବ ପଦକ୍ଷେପ ନେଇଥିବାରୁ ଲୋକେ ଏଭଳି ଲୁଗାକୁ ମଧୁବାବୁ ଲୁଗା ବୋଲି ନାମ ଦେଇଥିଲେ । ସେ ସମୟରେ ମଧୁବାବୁ ଭାରତୀୟ ଜାତୀୟ କଂଗ୍ରେସରେ ଜଣେ ଉଚ୍ଚକୋଟୀର ନେତା ଥିଲେ ଓ କଂଗ୍ରେସରେ ବହୁ ଉପାଦେୟ ପ୍ରସ୍ତାବରେ ତାଙ୍କର ପ୍ରମୁଖ ହାତ ରହିଥିଲା । ଏଥିରେ ରହି ସେ ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଓଡିଶା ପ୍ରତି ଅନ୍ୟମାନଙ୍କର ପୂର୍ଣ୍ଣ ସହାନୁଭୂତି ନଥିବାରୁ ସେମାନେ ମଧୁବାବୁଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ , ସେ କଂଗ୍ରେସକୁ ଚିରଦିନ ପାଇଁ ପରିତ୍ୟାଗ କରି ଓଡିଶାରେ ଉକ୍ରଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ । ଉକ୍ତ ସମ୍ମିଳନୀର ଦୀର୍ଘ ୩୫ ବର୍ଷ ବ୍ୟାପୀ ସଂଗ୍ରାମ ଫଳରେ ୧୯୩୬, ଅପ୍ରେଲ୍ ୧ରେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥିଲା । କିନ୍ତୁ ଦୁଃଖର ବିଷୟ ସେତେବେଳକୁ ମଧୁବାବୁ ଜୀବିତ ନଥିଲେ ।
ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମଧୁବାବୁ ଉକ୍ରଳ ଟ୍ୟାନେରୀ ଓ ଓଡିଶା ତାରକସି କାମ ନାମରେ ଦୁଇଟି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଥିଲେ । କିନ୍ତୁ ପରବର୍ତୀ ସମୟରେ ଏ ଦୁଇଟି ଅନୁଷ୍ଠାନ ବ୍ୟବସାୟିକ କୈାଶଳ ଦ୍ୱାରା ପରିଚାଳିତ ନ ହେବାରୁ ବହୁତ କ୍ଷତି ହେବା ଫଳରେ ଏହା କାଳକ୍ରମେ ଲୋପପାଇ ଯାଇଥିଲା । ସେ ଥିଲେ ଜଣେ ଉଚ୍ଚମନା ବ୍ୟକ୍ତି । ଓଡିଆ ଜାତିକୁ ଉଚ୍ଚ କରିବା ପାଇଁ ସେ ତାଙ୍କର କର୍ମମୟ ଜୀବନର ପ୍ରତ୍ୟେକ ମୁହୁର୍ତକୁ ଲଗାଇଥିଲେ । ତାଙ୍କ ପରି ବିରାଟ ବ୍ୟକ୍ତିତ୍ୱ ଇତିହାସରେ କ୍ୱଚିତ୍ ଦେଖିବାକୁ ମିଳେ ।
-ରାହାମା, ଜଗତ୍ସିଂହପୁର / ମୋ -୯୯୩୭୪୧୨୫୧୫ ଅର୍ଥନୈତିକ ଅଭିବୃଦ୍ଧିରେ ମଧୁବାବୁଙ୍କ ଭୂମିକା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ