ଅଲଚିକି ଶିକ୍ଷାଦାନକୁ ସୁନିଶ୍ଚିତ କରିବା ଦାବୀରେ ମାରିସାର ଜନଜାଗରଣ ଯାତ୍ରା
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଅଲଚିକି ଆନ୍ଦୋଳନର ମଙ୍ଗ ଧରିଥିବା ମୟୂରଭଞ୍ଜ ଜିଲ୍ଲାର ଅଗ୍ନିବର୍ଷୀ ଆଦିବାସୀ ଯୁବ ନେତା ତଥା ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ(ମାରିସା)ର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ଆହ୍ୱାନ କ୍ରମେ ଅଲଚିକି ଆନ୍ଦୋଳନକୁ ସଫଳ କରିବାପାଇଁ ଗାଁ ଗାଁରେ ଲୋକମାନଙ୍କୁ ସଚେତନ,ଜାଗ୍ରତ ଓ ସଙ୍ଗଠିତ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ଏହି ସଚେତନ କାର୍ଯ୍ଯକ୍ରମ କରାଯିବ ଆଜି କୁଳିଅଣା ବ୍ଲକ ଅନ୍ତର୍ଗତ ବାଇଗଣବାଡିଆଠାରେ “ମିଶନ୍ ଅଲଚିକି-୨୦୨୫” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିବି କଲେଜର ପୂର୍ବତନ ଛାତ୍ର ଦିଲୁ ମାଝୀ, ଗାଁର ସାମାଜିକ କର୍ମକର୍ତ୍ତା ଓ କଲେଜ ଛାତ୍ରଛାତ୍ରୀ ଆଜିର କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ବକ୍ତବ୍ୟ ଦେଇ ୧୮ଟି ପ୍ରସଙ୍ଗ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପ୍ରସଙ୍ଗ ଗୁଡିକୁ ରାଜ୍ୟ ସରକାର ଯେ ପର୍ଯ୍ୟନ୍ତ ପୂରଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ମାରିସା ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ଶପଥ କରାଯାଇଥିଲା। ଉପସ୍ଥାପିତ ୧୮ଟି ପ୍ରସଙ୍ଗ ମଧ୍ୟରୁ ଯେଉଁମାନଙ୍କ ମାତୃଭାଷା ସାନ୍ତାଳୀ ସେମାନେ ସମସ୍ତେ ୨୦୨୫ ସୁଦ୍ଧା ଅଲଚିକି ଲିପି ସାନ୍ତାଳୀ ଭାଷାରେ ଲେଖା ପଢି ପାରୁଥିବା, ପ୍ରାଥମିକସ୍ତରରୁ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଅଲଚିକି ଶିକ୍ଷାଦାନ ସୁନିଶ୍ଚିତ, ମୟୂରଭଞ୍ଜରେ ସାନ୍ତାଳୀ ଶିକ୍ଷା ପରିଷଦ ବା ସାନ୍ତାଳୀ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ନାମ ଫଳକରେ ଉଭୟ ଓଡିଆ, ଇଂରାଜୀ ସହିତ ଅଲଚିକିରେ ଲେଖାଯିବା, ସାନ୍ତାଳୀ ସାହିତ୍ୟ ଏକାଡେମୀ ଖୋଲିବା, ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ଟ୍ରାଇବାଲ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା, ସାନ୍ତାଳୀ ସଙ୍ଗୀତ ନାଟକ ଏକାଡେମୀ, ସୁନାରାମ ସୋରେନ ସାନ୍ତାଳୀ ପାଠାଗାର ପ୍ରତିଷ୍ଠା କରାଯିବା, ଓଡିଶାରେ ସାନ୍ତାଳୀ ଭାଷାକୁ ଦ୍ଵିତୀୟ ରାଜ୍ୟ ଭାଷା ବା ସଂଖ୍ୟାଲଘୁ ଭାଷାର ମାନ୍ୟତା ପ୍ରଦାନ ଆଦି ପ୍ରସଙ୍ଗ ରହିଛି। ଅର୍ଜୁନ ମୁର୍ମୁଙ୍କ ଏହିପରି ଅଭିନବ ପଦକ୍ଷେପକୁ ପ୍ରଶଂସା କରାଯାଇଛି ।