ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରି ଅଭିଯୋଗ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ଥାନା ଅନ୍ତର୍ଗତ ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ସଂଗ୍ରାମ କେଶରୀ ମହାନ୍ତି ମଙ୍ଗଳବାର ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସକାଳେ ଯାଇ ଦେଖିଲା ବେଳକୁ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକରେ ଥିବା ତାଲା ଭଙ୍ଗାଯାଇଛି । ଏହା ସହିତ ଓପିଡି ରୁମର ତାଲା ମଧ୍ୟ ଭଙ୍ଗା ହୋଇଥିବା ବେଳେ ରୁମ୍ ଭିତରେ ଥିବା ଇନଭେଟର ଓ ବ୍ୟାଟେରୀକୁ କେହି ଦୃବୁର୍ତ ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଅପରପକ୍ଷେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟି ମୁଣ୍ଡାଳ ବଜାର ଠାରୁ ମାତ୍ର ୨ଶହ ମିଟର ଦୁରରେ ଅବସ୍ଥିତ ହୋଇଥିବା ବେଳେ ମୁଣ୍ଡାଳ-ଦେବୀଦୋଳ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ରାସ୍ତା ପାଶ୍ୱର୍ରେ ଅବସ୍ଥିତ । ଏହି ବଜାରରେ ଠିକ ଭାବେ ପେଟ୍ରୋଲିଂ ହେଉ ନଥିବା ବେଳେ ଦୁବୃତମାନେ ଆଖ ପାଖ ଅଂଚଳରୁ ବିଭିନ୍ନ ସାମଗ୍ରୀ ଚୋରି କରୁଥିବା ସାଧରାଣରେ ଚର୍ଚ୍ଚା ହେଉଛି । ଏପରିକି ପେଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ବିଳମ୍ବିତ ରାତିରେ ରହୁ ନଥିବା ସ୍ଥାନୀୟ ଜନସାଧାରଣ ମତବ୍ୟକ୍ତ କରିଛନ୍ତି । ତେଣୁ ପେଟ୍ରୋଲିଂ କଡାକଡି କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି । ଏ ସଂର୍ପକରେ ଆରକ୍ଷୀ ନିରୀକ୍ଷିକା ପ୍ରଜ୍ଞା ରିତାମ୍ବର କରଙ୍କୁ ପଚାରିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ତଦନ୍ତ କରାଯିବା ପରେ ମାମଲା ରୁଜୁ କରାଯିବ ବୋଲି କହିଥିଲେ । ରାତି ପେଟ୍ରୋଲିଂ ସଂର୍ପକରେ ପଚାରିବାରୁ ରାତି ପେଟ୍ରୋଲିଂ ଠିକ ଭାବେ କରାଯାଉଥିବା ବେଳେ ଆହୁରି କଡାକଡି କରାଯିବ ବୋଲି ଶ୍ରୀମତୀ କର ପ୍ରକାଶ କରିଛନ୍ତି ।


