ଅଲଣା ଅଙ୍ଗନୱାଡି ଗୃହକୁ ବାଲି ପକାଇ ରାସ୍ତା ନିର୍ମାଣ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ପଚାୟତର ଅଲଣା-୨ ଅଙ୍ଗନୱାଡି କେନ୍ଦ୍ରଟି ୩ଟି ୱାର୍ଡକୁ ନେଇ ଗଠିତ । ଏହି କେନ୍ଦ୍ରରେ ଦୀର୍ଘ ଦିନ ହେବ ଗୃହ ନିର୍ମାଣ ହୋଇଥିଲେ ମଧ୍ୟ କେନ୍ଦ୍ରକୁ ଯିବା ପାଇଁ ରାସ୍ତା ନଥିଲା । ଫଳରେ ବର୍ଷା ହେଲେ କେନ୍ଦ୍ର ଚତୁଃପାଶ୍ୱର୍ରେ ପାଣି ଜମିବା ସହିତ ଯିବା ଆସିବା ବାଟରେ ଆଠୁଁଏ ଉପରେ ପାଣି ଜମି ରହୁଥିଲା । ଯାହାଫଳରେ ଛୋଟ ପିଲାମାନେ କେନ୍ଦ୍ରକୁ ଯାଇ ପାରୁନଥିଲେ । ଏପରିକି ବର୍ଷା ଦିନେ ପିଲାମାନେ ରାସ୍ତା ଉପରେ ଅସ୍ୱାସ୍ଥ୍ୟକର ପରିବେଶରେ ବସି ରହୁଥିଲେ । ଦୀର୍ଘଦିନ ପାଣି ଜମିବା ଦ୍ୱାରା ବିଭିନ୍ନ ଘାସଗଛ ପଚି ଦୁର୍ଗନ୍ଧ ମଧ୍ୟ ହେଉଥିଲା । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେନ୍ଦ୍ରକୁ ରାସ୍ତା ପାଇଁ ସିଡିପିଓ ରାସେଶ୍ୱରୀ ମହାନ୍ତି ଉକ୍ତ ପଂଚାୟତର ସରପଂଚଙ୍କ ସହିତ କଥା ହୋଇଥିଲେ । ଖୁବଶୀଘ୍ର ଏହି କେନ୍ଦ୍ରକୁ ରାସ୍ତା ନିର୍ମାଣ କରିବା ପାଇଁ ସରପଂଚ ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ରକ୍ଷା କରି ସରପଂଚ ନରୋତମ କାଣ୍ଡି ବାଲି ପକାଇ ରାସ୍ତା ନିର୍ମାଣ କରିଛନ୍ତି । ଫଳରେ ପିଲାମାନେ ସୁବିଧାରେ କେନ୍ଦ୍ରକୁ ଯାଇପାରୁଛନ୍ତି ।