ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କଲେ ଇରଫାନ୍
ଜାତୀୟ ରେକର୍ଡଧାରୀ ଇରଫାନ୍ କେଟି ପ୍ରଥମ ଭାରତୀୟ ଆଥଲେଟ୍ସ ଭାବେ ଆସନ୍ତାବର୍ଷ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜାପାନର ନୋମିରେ ଚାଲିଥିବା ଏସିଆନ୍ ରେସ ୱାକିଂ ଚାମ୍ପିଅନଶିପରେ ଇରଫାନ୍ ୨୦କିମି ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହି ଏହି ସଫଳତା ଅର୍ଜନ କରିଛନ୍ତି।
ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଧାର୍ୟ୍ୟ ସମୟ ୧ ଘଣ୍ଟା ୨୧ ମିନିଟ୍ ରଖାଯାଇଥିବା ବେଳେ ୨୯ ବର୍ଷୀୟ ଏହି ଭାରତୀୟ ଆଥଲେଟ୍ସ ଜଣକ ୨୦ କିମି ଦୂରତାକୁ ୧ ଘଣ୍ଟା ୨୦ ମିନିଟ୍ ୫୭ ସେକେଣ୍ଡରେ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି। ଏହି ଇଭେଣ୍ଟରେ ଜାପାନର ତୋଶିଜାକୁ ୟୁମାନିଶି ୧:୧୭.୧୫ ସେକେଣ୍ଡ ସମୟରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ କଜାଖସ୍ତାନର ଜର୍ଜି ଶେଇଖୋ ୧:୨୦:୨୧ ସେକେଣ୍ଡରେ ଦ୍ୱିତୀୟ ଏବଂ କୋରିଆର ବାଇଅଙ୍ଗକ୍ୱାଙ୍ଗ ଚୋଇ ୧:୨୦:୪୦ ସେକେଣ୍ଡ ସମୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଅଲିମ୍ପିକ୍ସ ରେସ୍ ୱାକ୍ ପାଇଁ କ୍ୱାଲିଫିକେସନ୍ ଚଳିତ ବର୍ଷ ଜାନୁଆରୀଠାରୁ ଆରମ୍ଭ ହୋଇଛି ଏବଂ ଏହା ୩୧ ମେ’, ୨୦୨୦ ପର୍ୟ୍ୟନ୍ତ ଚାଲିବ। ଅଲିମ୍ପିକ୍ସ କ୍ୱାଲିଫିକେସନ୍ ପିରିୟଡ ପାଇଁ ଆଥଲେଟିକ୍ସ ଇଭେଣ୍ଟଗୁଡିକ ଚଳିତ ବର୍ଷ ୧, ମେ’ରୁ ଆରମ୍ଭ ହୋଇ ଜୁନ୍ ୨୯, ୨୦୨୦ରେ ଶେଷ ହେବ। ତେବେ ଅନ୍ୟ କୌଣସି ଭାରତୀୟ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଇରଫାନ୍ ୧:୨୦.୨୧ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ଦଶମ ସ୍ଥାନରେ ରହି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଓ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ।