ଅଲ୍ ଓଡ଼ିଶା ପ୍ରାଇଭେଟ ସ୍କୁଲ୍ ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଜି ଅଲ୍ ଓଡ଼ିଶା ପ୍ରାଇଭେଟ ସ୍କୁଲ୍ ଆସୋସିଏସନ (ଅପୋସା) ତରଫରୁ ଏକ ଆଲୋଚନା ସଭା ତଥା ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ମହୋଦୟଙ୍କୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସଭା ଜୟଦେବ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରୁ ୫୦୦ରୁ ଉଦ୍ଧ୍ୱର୍ ପ୍ରତିନିଧିମାନେ ଯୋଗଦାନ କରିଥିଲେ । ପ୍ରାରମ୍ଭରୁ ଆଲୋଚନାଚକ୍ରରେ ଘରୋଇ ବିଦ୍ୟାଳୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଜିଲ୍ଲା ସଂଗଠନମାନେ ତଥା ଅପୋସାର କର୍ମକର୍ତ୍ତାମାନେ ବକ୍ତବ୍ୟ ରଖିଥିଲେ । ଅପୋସାର ସମ୍ପାଦକ ଶ୍ରୀ ଅବନ୍ତି କୁମାର ସୁତାର ସମସ୍ତଙ୍କୁ ଏକ ହୋଇ ସରକାରୀ ନୀତି ସହ ତାଳମେଳ ରଖି ଉତ୍ତମ ଶିକ୍ଷା ବ୍ୟବସ୍ଥା ତଥା ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଚରିତ୍ର ଗଠନକୁ ଧ୍ୟାନ ଦେବା ପାଇଁ ବିଶେଷ ଭାବେ ଅନୁରୋଧ କରିଥିଲେ । ତତ୍ପରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ମହୋଦୟ ସ୍କୁଲ୍, ବିଦ୍ୟାଳୟଗୁଡ଼ିକର ବର୍ତ୍ତମାନ ଓ ଭବିଷ୍ୟତ ତଥା ସରକାରଙ୍କର ଆଭିମୁଖ୍ୟ ଉପରେ ସ୍ପଷ୍ଟ ମତପୋଷଣ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ମହୋଦୟଙ୍କୁ ଅପୋସା ରାଜ୍ୟ କମିଟି ତରଫରୁ ବିଶେଷ ଭାବରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲାସ୍ତରୀୟ ମୁଖ୍ୟ କର୍ମକର୍ତ୍ତା ମଣ୍ଡଳୀ ସ୍ୱତନ୍ତ୍ର ଭାବରେ ମନ୍ତ୍ରୀ ମହୋଦୟଙ୍କୁ ସ୍ୱାଗତ କରିଥିଲେ । ଶେଷରେ ଅପୋସାର ସଭାପତି ଶ୍ରୀ ସତ୍ୟନାରାୟଣ ମିଶ୍ର ସମସ୍ତଙ୍କୁ
ବିଶେଷ ଭାବରେ ଆହ୍ୱାନ ଦେଇ କହିଥିଲେ ଯେ, ସମସ୍ତ ଘରୋଇ ବିଦ୍ୟାଳୟ ନିଶ୍ଚିତ ଭାବରେ ସରକାରଙ୍କର ନିୟମ କାନୁନ୍ ଦେଇ ଗତି କରିବା ବ୍ୟତୀତ ଉତ୍ତମ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା, ବେକାରୀ ଦୂରୀକରଣ ଓ ଉତ୍ତମ ଛାତ୍ର ଗଠନ ଆଦି ମୂଳ ଲକ୍ଷ୍ୟ ରଖିଥିବା ଘରୋଇ ବିଦ୍ୟାଳୟଗୁଡ଼ିକୁ ସୁନଜରରେ ଦେଖନ୍ତୁ ବୋଲି ମାନ୍ୟବର ମନ୍ତ୍ରୀଙ୍କ ନିକଟରେ ବକ୍ତବ୍ୟ ରଖିଥିଲେ ।