ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ବିଭିନ୍ନ ଦାବି ନେଇ ଜିଲ୍ଲା ସଧାରଣ ସମ୍ପାଦକ ସମରଜିତ ମହାନ୍ତି ଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଜିଲ୍ଲାରେ ବେରୋଜଗାରୀ ବଢ଼ୁଥିବାବେଳେ ବିିଭିନ୍ନ କ୍ଷେତ୍ରରେ ଜାଲ ସାଟିଫିକେଟ ମାଧ୍ୟମରେ ନିଯୁକ୍ତି ଦ୍ୱାରା ଉଚ୍ଚଶିକ୍ଷିତ ଯୁବକ ଓ ଯୁବତୀମାନେ ନିଯୁକ୍ତି ସୁଯୋଗରୁ ବଂଚିତ ହେବା ନିଶ୍ଚିତ ଭାବେ ସରକାର ଓ ପ୍ରଶାସନର ଦୁର୍ବଳତାକୁ ପଦାରେ ପକାଉଛି । ସରକାର ୫-ଟି କଥା କହୁଥିବାବେଳେ ସ୍ୱଚ୍ଛ ଶାସନରେ ଜାଲ୍ ନିଯୁକ୍ତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଗଞ୍ଜାମ ଜିଲ୍ଲାରେ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ସମୟରେ ଜାଲ ଦଶମ ବୋର୍ଡ଼, +୨ କାଉନସିଲ, +୩ ବିଶ୍ୱବିଦ୍ୟାଳୟ, ସ୍ନାତକ, ସିଟି, ବିଇଡି, ଜାତିଗତ ପ୍ରମାଣ ପତ୍ର, ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରତିଶତ ବଢ଼ାଇବା, ଜନ୍ମ ତାରିଖ ପରିବର୍ତନ ଭଳି ଘଟଣା ସବୁ ଘଟିଛି । ମାର୍କ ଟାମ୍ପରିଙ୍ଗ କରି ବିଇଡି ଓ ସିଟିରେ ନାମ ଲେଖାଇବା ଏବଂ ବାହାର ରାଜ୍ୟରୁ ଶିକ୍ଷାଗତ ପ୍ରମାଣ ପତ୍ର ଯୋଗାଡ଼ କରି ନିଯୁକ୍ତିକୁ ହାତେଇବା ସହ ଦରମା ବାବଦକୁ ଅର୍ଥ ରାଜକୋଷରୁ ହରିଲୁଟ କରିବା ଦଣ୍ଡନୀୟ ଅପରାଧ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ଉଲ୍ଲେଖ ଅଛି ଯେ ଜାଲ ସାର୍ଟିଫିକେଟରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଜାଲ ସାର୍ଟିଫିକେଟ କ୍ରୟ ଓ ବିକ୍ରେତାଙ୍କ ବିରୋଧରେ କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ କରାଯାଉ, ଜିଲ୍ଲାରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୁରଣ କରାଯାଉ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଦୀର୍ଘଦିନ ଧରି କାର୍ଯ୍ୟରତ କର୍ମଚାରୀଙ୍କୁ ବଦଳି କରିବା ସହ କିଛି କର୍ମଚାରୀଙ୍କ ଆୟ ବହିର୍ଭୂତ ସମ୍ପତି ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରାଯାଉ, ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ବିଭିନ୍ନ ସମୟରେ ନିଯୁକ୍ତି ବେଳେ ଶିକ୍ଷାଗତ ପ୍ରମାଣପତ୍ର ଏବଂ ଅନ୍ୟ ସବୁ ପ୍ରମାଣ ପତ୍ର ସଠିକ ଯାଂଚ କରିନଥିବା ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ, ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ କାର୍ଯ୍ୟରତ ଶିକ୍ଷୟତ୍ରୀ ସୁଜାତା ପଣ୍ଡା ମୃତ ନା ଜୀବିତ, ସୁଜାତା ପଣ୍ଡା ନାମରେ ଅନ୍ୟ କେହି ନିଯୁକ୍ତିକୁ ହାତେଇ ନାହାନ୍ତି ତ ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ କରାଯାଉ, ଥାନାରେ ଏତଲା ଦିଆଯାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ଗିରଫ କରାଯାଉ ଆଦି ବିଭିନ୍ନ ଦାବି ରହିଛି । ଏହି ଗଣଧାରଣାରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ଜିଲ୍ଲା ସମ୍ପାଦକ ସମରଜିତ ମହାନ୍ତି, ଆସିକା ଲୋକସଭା ପ୍ରାର୍ଥୀ ରାଜୀବ ଚନ୍ଦ୍ର ଖାଡ଼ଙ୍ଗା, ବେଗୁନିଆପଡ଼ା ଆଂଚଳିକ ନେତା ସୁଶାନ୍ତ କୁମାର ପଟ୍ଟନାୟକ, ଗୋପାଳପୁର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ତଥା ଯୁବ ଆଇନଜିବୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସଭାପତି(ଏଆଇୱାଇଏଲ) ମିଥୁନ ପ୍ରଧାନ , ଜିଲ୍ଲା ସାଧାରଣ ସମ୍ପାଦକ (ଏଆଇୱାଇଏଲ) ମୁନା ନାୟକ , ଜିଲ୍ଲା ଉପସଭାପତି (ଏଆଇୱାଇଏଲ) ନୃସିଂହ ଚରଣ ସ୍ୱାଇଁ, ପୋଲସରା ଆଂଚଳିକ ନେତା ସନ୍ତୋଷ କୁମାର ପଣ୍ଡା, ଚାଷୀ ନେତା ଯୋଗେନ୍ଦ୍ର ସ୍ୱାଇଁ, ଜିଲ୍ଲା ଉପସଭାପତି ( ଏଆଇଏସବି) ରାକେଶ ଦାସ, ଯୁବ ନେତା ପ୍ରହଲ୍ଲାଦ ପ୍ରଧାନଙ୍କ ସମେତ ବହୁ ଯୁବକ ମାନେ ସାମିଲ ଥିଲେ