ଅଳଉତି ନୋଡାଲ ହାଇସ୍କୁଲ ଆଗରେ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବୀରେ ଗ୍ରାମବାସୀଙ୍କ ଧାରଣା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ସୋମବାର ବନ୍ତ ବ୍ଲକ ରାମପୁର ପଞ୍ଚାୟତ ଅଳଉତି ନୋଡାଲ ହାଇସ୍କୁଲ ଆଗରେ ଗ୍ରାମବାସୀ ମାନେ ଧାରଣା ଦେଇଥିଲେ । ସରପଞ୍ଚ ଶଶୀକଳା ବେହୁରିଆ, ତାପସ ଭୂୟାଁ, ରାକେଶ ଭୂୟାଁ, ବଳରାମ ସେଠୀ, ଅଜିତ୍ ଭୂୟାଁ, କରୁଣା ସାଗର ପଲେଇ, ତରଣୀସେନ ସୁତାର, ଅରୁଣା ନାୟକ, ମାଧବାନନ୍ଦ ବାରିକ, ବାପୁ ନାୟକ, ଦେବାଶୀଷ ଭୂୟାଁ ପ୍ରମୁଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୫ ଘଣ୍ଟା ଧରି ଧାରଣାରେ ବସିଥିଲେ । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭିନ୍ନ କାର୍ଯ୍ୟରେ ଅନିୟମିତତା କରିଆସୁଥିବା ଅଭିଯୋଗ କରି ସେମାନେ ଧାରଣା ଦେଇଥିବା କହିଛନ୍ତି । ସଂପୃକ୍ତ ଶିକ୍ଷକଙ୍କୁ ତୁରନ୍ତ ଏଠାରୁ ଅନ୍ୟତ୍ର ବଦଳି କରିବାକୁ ସେମାନେ ଦାବୀ କରିଥିଲେ । ଏସମ୍ପର୍କରେ ପ୍ରଧାନ ଶିକ୍ଷକ ଆର୍ତ୍ତବନ୍ଧୁ ସେଠୀଙ୍କୁ ସହ ଯୋଗାଯୋଗ କରାଯିବାରୁ ବିଦ୍ୟାଳୟର କୌଣସି ଅନିୟମିତତାରେ ସେ ସଂପୃକ୍ତି ନଥିବା କହିଥିଲେ । ତାଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର କରାଯାଉଛି । ଏଥିନେଇ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ସେ ପାଲଟା ଉତ୍ତର ଦେଇଥିଲେ ।