ଅଳପୁଆ ସରକାରୀ ଉଚ୍ଚ ବିଦ୍ୟାଳୟ: ଶିକ୍ଷାଦାନରେ ଅବହେଳା ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):୫-ଟି ମାଧ୍ୟମରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣୁଥିବା ବେଳେ ଅଳପୁଆ ଉଚ୍ଚ ବିଦ୍ୟାଳୟରେ ଏହା ଭିନ୍ନ ପରିଲକ୍ଷିତ ହୋଇଛି । ଅତୀତରେ ଏହି ବିଦ୍ୟାଳୟ ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶ ବିଦେଶରେ ଧୋଇଆ ଅଞ୍ଚଳର ସୁନାମ ଆଣି ଦେଇ ଅଳପୁଆ ନାମକୁ ଗୈାରବାନ୍ୱିତ କରିଛନ୍ତି । କିନ୍ତୁ ପଶ୍ଚାତାପର ବିଷୟ ଏହାକି ବର୍ତ୍ତମାନ ଏହି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଯେମିତି କି ଭୁଷୁଡି ପଡିଛି । ବିଦ୍ୟାଳୟ କମିଟି ହେଉ କି ଅଭିଭାବକମାନେ ବିଦ୍ୟାଳୟ ଗଲାବେଳେ ତାହା ବାରି ହୋଇ ପଡୁଛି । ବିଦ୍ୟାଳୟର ଦାୟୀତ୍ୱରେ ଥିବା ପ୍ରଧାନ ଶିକ୍ଷକ ପରିଚାଳନା, ଶୃଙ୍ଖଳାଶିକ୍ଷା, ପରିଷ୍କାର ପରିଛନ୍ନତା, ଉନ୍ନୟନ କାର୍ଯ୍ୟକ୍ରମରେ ସରକାରୀ ଅର୍ଥର ବିନିଯୋଗ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଛି । ପ୍ରଧାନ ଶିକ୍ଷକ ସର୍ବଦା ବିଳମ୍ବରେ ବିଦ୍ୟାଳୟକୁ ଆସିବା ଓ ପ୍ରାର୍ଥନା ସମୟରେ ତାଳମେଳ ରହୁନଥିବା ନେଇ ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷକଙ୍କ ମନମାନି ପାଇଁ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ସେମାନଙ୍କ ଦାୟୀତ୍ୱ ଓ କର୍ତ୍ତବ୍ୟରେ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଏହି ବିଦ୍ୟାଳୟରେ କିରାଣୀ ଓ ରାତ୍ର ଜଗୁଆଳ ପଦବି ଖାଲି ପଡିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବା ବେଳେ ସି.ଆର.ସି.ସି.ଙ୍କ ଶ୍ରେଣୀରେ ଶିକ୍ଷାଦାନ ସମ୍ପର୍କରେ ତଦାରଖ ନକରିବା ଓ ବିଦ୍ୟାଳୟ ପରିଦର୍ଶନ କରୁନଥିବା ନେଇ ଅଭିଯୋଗ ହୋଇଛି । ୫-ଟି ମାଧ୍ୟମରେ ବିଦ୍ୟାଳୟର ରୂପରେଖରେ ପରିବର୍ତ୍ତନ ହୋଇଥିବା ବେଳେ ଶିକ୍ଷାଦାନ କିନ୍ତୁ ନିମ୍ନଗାମୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟରେ ବାରମ୍ବାର ଦାବି କରି କୈାଣସି ଫଳପ୍ରଦ ନହେବାରୁ ଗଗନ ମାହାଳିକ, ଦେବେନ୍ଦ୍ର ବିଶ୍ୱାଳ, ବବ୍ରୁବାହାନ ଧଳ, ପଦ୍ମନାଭ ନାୟକ, ରଞ୍ଜିତ ନାୟକ, ଶରତ ଚନ୍ଦ୍ର ଦାଶ, ଡମ୍ବରୁଧର ବିଶ୍ୱାଳ, ପର୍ଶୁରାମ ସେଠୀ, ରବୀନ୍ଦ୍ର ଧଳ, ଦିନବନ୍ଧୁ ଜେନା, ରବୀନ୍ଦ୍ର ଦାସ, ପବିତ୍ର ମଲିକ, ଚିତ୍ତରଞ୍ଜନ ରାଉତ, ଅତୁଲ୍ୟ ଦାସ, ତନ୍ମୟ ବିହାରୀ ପ୍ରମୁଖ ସ୍ଥାନୀୟ ବୁଦ୍ଧିଜିବୀ, ଶିକ୍ଷାବିତ ଓ ଛାତ୍ରାଭିଭାବକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି । ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ, ଜିଲ୍ଲାପାଳ ଓ କେନ୍ଦ୍ରାପଡା ବିଧାୟକଙ୍କୁ ଅଭିଯୋଗର ନକଲ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି ।


