ଅଳିଆଗଦାରେ ସରକାରୀ ନଳକୂପ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଳକ ଗଣିଜାଙ୍ଗ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ନଳକୂପ ଅଳିଆଗଦାରେ ଭର୍ତ୍ତି ହୋଇଛି । ଉକ୍ତ ନଳକୂପ ଉପରେ ଗଣିଜାଙ୍ଗ-ବିନାୟକପୁର ରାସ୍ତାରେ ଯାତାୟତ କରୁଥିବା ବାଟୋଇ, ଆର.ଆଇଙ୍କ ଅଫିସକୁ ଆସୁଥିବା ସାଧାରଣଲୋକ, ଗଣିଜାଙ୍ଗ ବଜାର ସମେତ ଆଖପାଖରେ ବସବାସ କରୁଥିବା ଲୋକ ମାନେ ପାନୀୟ ଜଳ ପାଇଁ ନିର୍ଭର କରିଥାନ୍ତି । ପ୍ରତ୍ୟେକ ବର୍ଷ ସଂପୃକ୍ତ ବିଭାଗ ପକ୍ଷରୁ ରଙ୍ଗ ଦିଆଯାଉଥିବା ବେଳେ ପ୍ଲାଟଫର୍ମ ନିର୍ମାଣ କରାଯାଉନଥିବାରୁ ତାହା ଅଳିଆଗଦାରେ ଭର୍ତ୍ତି ହୋଇଯାଇଛି । ଉକ୍ତ ନଳକୂପଟି ବିନାୟକପୁର ରାସ୍ତା ଠାରୁ ପ୍ରାୟ ୨ ଫୁଟ୍ କମ୍ ଉଚ୍ଚତା ଥିବାରୁ ସବୁବେଳେ କାଦୁଅରେ ପରିପୂର୍ଣ୍ଣ ହୋଇ ରହିଛି । ଉକ୍ତ ନଳକୂପଟି ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ତାହାକୁ ତୁରନ୍ତ ଉଚ୍ଚତା ବିଶିଷ୍ଟ କରାଇବା ସହ ପ୍ଲାଟଫର୍ମ ନିର୍ମାଣ ପାଇଁ ସାଧାରଣ ଲୋକେ ଦାବୀ କରିଛନ୍ତି ।