ଅଳ୍ପକେ ବର୍ତ୍ତିଲେ ୨ ପାଇଲଟ୍, ଜଳିଗଲା ମିଗ୍-୨୯ ଯୁଦ୍ଧ ବିମାନ
ପାନାଜୀ: ନୌସେନାର ଯୁଦ୍ଧ ବିମାନ “ମିଗ୍-୨୯ କେ’ ଗୋଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି । ଗୋଆର ଦାବୋଲିମ୍ ନିକଟସ୍ଥ ଆଇଏନ୍ଏସ୍ ହନ୍ସା ଘାଟିରୁ ବିମାନଟି ରୁଟିନ୍ ଟ୍ରେିନଂରେ ଉଡ଼ାଣ ଆରମ୍ଭ କରିଥିଲା । ତେବେ ଉଡ଼ାଣର ମାତ୍ର କିଛି ସମୟ ପରେ ଇଂଜିନରେ ନିଆଁ ଲାଗି ଯାଇଥିଲା । ଭାରତୀୟ ନୌସେନା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ବିମାନରେ ଏକ ପକ୍ଷୀ ଦଳ ମାଡ଼ ହେବା ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରଥମେ ବାମ ପାଶ୍ୱର୍ ଇଂଜିନରେ ନିଆଁ ଲାଗି ଯାଇଥିଲା ଏବଂ ପରେ ଡାହାଣ ପାଶ୍ୱର୍ ଇଂଜିନରେ ନିଆଁ ଲାଗିଥିଲା । ତେବେ ପାଇଲଟ୍ ବିମାନଟିକୁ ଜନଶୂନ୍ୟ ସ୍ଥାନଆଡ଼କୁ ନେବାରେ ସକ୍ଷମ ହୋଇଥିଲେ ଏବଂ ଉଭୟ ପାଇଲଟ ବିମାନରୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ । ପରେ ଏହି ବିମାନଟି ଏକ ଖୋଲା ଜମିରେ ଖସି ପଡ଼ିଥିଲା ବୋଲି ନୌସେନା ମୁଖପାତ୍ର କହିଛନ୍ତି । ଉକ୍ତ ଘଟଣାର ତଦନ୍ତ ପାଇଁ ଭାରତୀୟ ନୌସେନା ପକ୍ଷରୁ ଏକ କମିଟି ଗଠନ ହୋଇଛି ।


