ଅଵଧି ଶେଷପରେ ମଧ୍ୟ ରାସ୍ତା କାମ ସରୁନି
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା କାମ ନିମ୍ନ ମାନର ଅଭିଯୋଗ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)କେନ୍ଦ୍ର ଓ ରାଜ୍ୟ ସରକାର କନ୍ଧମାଳର ବିକାଶ ପାଇଁ ବିଭିନ୍ନ ସୁଦୂର ପ୍ରସାରୀ ଯୋଜନା ହାତକୁ ନେଇ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଉପାନ୍ତ ଗାଁକୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଗମନା ଗମନ ବ୍ୟବସ୍ଥା କରାଯାଉଛି, ହେଲେ କେତେକ ଅସାଧୁ ଠିକାଦାର, ଯନ୍ତ୍ରୀ ଓ ଅଫିସରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଦିନ ଦ୍ବି ପ୍ରହରରେ ନିମ୍ନ ମାନର କାମକରି କୋଟି କୋଟି ଅର୍ଥ ଆତ୍ମସାତ ହେଉଥିବା ଅଭିଯୋଗ ହେଉଛି l ଏହାର ସଦ୍ୟତମ ନିଛକ ପ୍ରତିଛବି ଦେଖିବାକୁ ମିଳିଛି ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବାରଖମା ଓ ସଲାଗୁଡ଼ା ଗ୍ରାମ ପଞ୍ଚାୟତ ଅଂଚଳରେ l ବାରଖମା ରାଜ୍ୟ ରାଜପଥ ଠାରୁ ଡାକାକୁ ସଂଯୋଗ କରୁଥିବା ୫.୫୦୦କିଲୋମିଟର ରାସ୍ତା ଆଜକୁ ତିନିବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ବି ସରିବାର ନା ଧରୁନି l ୧୩୩.୪୨୧ଲକ୍ଷ ବ୍ୟୟ ଅଟକଳ ନିର୍ମାଣଧୀନ କାର୍ଯ୍ୟର ସମ୍ପାଦନା ଦାୟିତ୍ୱ ଏନବିସିସି ନାମକ ଏକ ଠିକାସଂସ୍ଥା ନେଇଛି, ଏହାର କାର୍ଯ୍ୟସମ୍ପାଦନ ଅଵଧି ତାରିଖ ଶେଷ ହୋଇ ଏକ ବର୍ଷ ବିତିଯାଇଛି କିନ୍ତୁ ଅନେକ କାମ ବାକି ରହିଥିବାରୁ ଲୋକେ ଦୁର୍ଦଶା ଭୋଗୁଛନ୍ତି l ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି l ପିଚୁ କାମପରେ ବଳକା ରହିଥିବା ପୋଲ ଓ କଂକ୍ରିଟ ରାସ୍ତା ଅତି ନିମ୍ନମାନର ପୋଲ କାମରେ ଏଷ୍ଟିମେଣ୍ଟ ଅନୁଯାଇ ଛଡ଼ ବ୍ୟବହାର ନକରି ଚିପସ ବଦଳରେ ଛାତରେ ବଡ଼ ବଡ଼ ମେଟାଲ ବ୍ୟବହାର କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l କଂକ୍ରିଟ ରାସ୍ତା କାମରେ ଅତି ନିମ୍ନ ମାନର ବାଲି ଓ କମ ସିମେଣ୍ଟ ସହ ଚିପସ ବଦଳରେ ମେଟାଲରେ କରାଯାଉଥିବା ଦେଖିବାକୁ ମିଳୁଛି l ଏସବୁ କାମବେଳେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତ ଯୋଗୁଁ ଠିକାଦାର ମନଇଚ୍ଛା କାମକରୁଥିବା କହିଛନ୍ତି ଗ୍ରାମବାସୀ l ଏନେଇ ଅଭିଯୋଗ କଲେ ଗ୍ରାମବାସୀଙ୍କୁ ଧମକ ଚମକ ମିଳୁଛି l ନିମ୍ନ ମାନର ପୋଲକାମ ହୋଇଥିବାରୁ କେତେବେଳେ ଭାଙ୍ଗିଯିବ କହିହେବନି ଏହି ରାସ୍ତା ଦେଇ ସଲାଗୁଡ଼ା ଗ୍ରାମ ପଞ୍ଚାୟତର ହଜାର ହଜାର ଲୋକ ଯାତାୟାତ କରୁଛନ୍ତି କିନ୍ତୁ ନିମ୍ନ ମାନର ରାସ୍ତା ଓ ପୋଲକାମ ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଲା ବୋଲି ଅଭିଯୋଗ ହେଉଛି l ଜ଼ିଲ୍ଲା ପ୍ରଶାସନ ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ ସହ ଠିକାଦାର ସଂସ୍ଥା ଓ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ନେବାକୁ ସୋମନାଥ ମଲିକ,କୈଳାଶ ମଲିକ,ଜୟସିଂ ପାତ୍ର ସମେତ ସଲାଗୁଡ଼ା ପଞ୍ଚାୟତବାସୀ ଦାବୀ କରିଛନ୍ତି l


