ଅଵ୍ୟବସ୍ଥା ଘେରରେ ଗିରିଜନ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସ : ଚାରି ବର୍ଷହେଲା ସୁପରିଟେଣ୍ଡେଣ୍ଟ ନାହାନ୍ତି : ସୁରକ୍ଷା ବ୍ୟବସ୍ଥା କୁ ନେଇ ଉଠୁଛି ପ୍ରଶ୍ନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତରେ ଥିବା ଗିରିଜନ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ନିବାସ ଟି ଦୀର୍ଘ ଦିନ ଧରି ଅବ୍ୟବସ୍ଥା ଘେରରେ ରହିଛି l ଉକ୍ତ ବିଦ୍ୟାଳୟ ରେ ଆଜକୁ ଦୀର୍ଘ ଚାରି ବର୍ଷ ହେଲା ହଷ୍ଟେଲ ସୁପରିଟଣ୍ଡେଣ୍ଟ ପଦବୀ ଖାଲି ପଡିଛି l ଯାହା ଫଳରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସାମଲଙ୍କ ମନମାନୀ ଦିନକୁ ଦିନ ବୃଦ୍ଧି ପାଉଛି l ସ୍କୁଲ ଠାରୁ ମାତ୍ର ୩୦୦ମିଟର ଦୂରବର୍ତ୍ତୀ କଟ୍ରିକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ପଢ଼ୁଥିବା ୧୫ଜଣ ଆଦିବାସୀ ଛାତ୍ରୀଙ୍କୁ ମିଳୁନି ହଷ୍ଟେଲ ସୁବିଧା l ରୁତୁଙ୍ଗିଆ ପଞ୍ଚାୟତର ଉପାନ୍ତ ଅଞ୍ଚଳ ତରସେଲ, ଅସବିଶ, ଡଡିମାହା ବାଦୁଙ୍ଗିଆ, ଉହାକିଆ, ସ୍ରାମ୍ବୁକିଆର ଆଦିବାସୀ ଛାତ୍ରୀ ପାଠ ପଢିବା ପାଇଁ ଜଙ୍ଗଲୀ ପାହାଡି ରାସ୍ତା ଅତିକ୍ରମ କରି କଟ୍ରିକିଆ ଆବାସ ବିଦ୍ୟାଳୟକୁ ଆସନ୍ତି l କଟ୍ରିକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଳିକାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ନାହିଁ l ଗିରିଜନ ଉଚ୍ଚ ବିଦ୍ୟାଳୟରେ ଶହେ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ ରହିଛି, କିନ୍ତୁ ପ୍ରଧାନ ଶିକ୍ଷକ ଶ୍ରୀ ସାମଲ ଛାତ୍ରୀ ମାନଙ୍କ ଆବେଦନକୁ ଗାଇଡ଼ଲାଇନର ଆଳ ଦେଖାଇ ନାକଚ କରିଛନ୍ତି l ଏହାକୁ ନେଇ ରୁତୁଙ୍ଗିଆ ସରପଞ୍ଚଙ୍କ ସମେତ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଛାତ୍ରୀ ମାନଙ୍କ ମଧ୍ଯରେ ତିନିଜଣ ପିତୃମାତୃ ହୀନ ଓ ଅନେକ ଗରିବ ଛାତ୍ରୀ ଥିବାବେଳେ ପ୍ରଧାନ ଶିକ୍ଷକ କେଉଁ ଗାଇଡ଼ଲାଇନ ଅନୁସରଣ କରିଛନ୍ତି ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟିହୋଇଛି l ଏନେଇ ଅଭିଭାବକ ମାନେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ତ୍ରିପାଠୀ ୧୦ ଜଣ ଅତି ଗରିବ ଓ ପିତୃମାତୃହୀନ ଛାତ୍ରୀଙ୍କୁ ହଷ୍ଟେଲ ସୁବିଧା ଯୋଗାଇ ଦେବାକୁ ସୁପାରିଶ କରିଥିଲେ, କିନ୍ତୁ ଶିକ୍ଷା ଅଧିକାରୀଙ୍କ କଥା ବି ଶୁଣୁନାହାନ୍ତି ପ୍ରଧାନ ଶିକ୍ଷକ l କଟ୍ରିକିଆ ସ୍କୁଲରେ ପଢ଼ୁଥିବା ଛାତ୍ରୀଙ୍କୁ ଆକ୍ରୋଶ ମୂଳକ ଭାବରେ ହଷ୍ଟେଲ ସୁବିଧା ମିଳୁନଥିବାରୁ ଅଭିଭାବକ ଗ୍ରାମବାସୀ ଓ ସରପଞ୍ଚ ନନ୍ଦକିଶୋର ପ୍ରଧାନ ପିଲାଙ୍କୁ ହଷ୍ଟେଲ ସୁବିଧା ଯୋଗାଇଦେବା ପାଇଁ ଜ଼ିଲ୍ଲାପ୍ରଶାସନକୁ ନିବେଦନ କରିଛନ୍ତି l ସୂଚନାଯୋଗ୍ୟଯେ ପ୍ରଧାନଶିକ୍ଷକଙ୍କ ଅବହେଳା ଯୋଗୁଁ ଦୁଇବର୍ଷ ତଳେ ସାତଜଣ ଛାତ୍ରୀ ଡ୍ରପ ଆଉଟ ହୋଇଥିଲେ l ହଷ୍ଟେଲର ଅବ୍ୟବସ୍ଥା ଓ ମହିଳା ସୁପରିଟେଣ୍ଡଣ୍ଟ ନ ଥିବାରୁ ହଷ୍ଟେଲ କି ଭଳି ଚାଲୁଥିବ ସହଜେ ଅନୁମେୟ l ଏନେଇ ପ୍ରଧାନ ଶିକ୍ଷକ ସାମଲ ଦୋ ମୁହାଁ କଥା କହୁଥିବା କହିଛନ୍ତି ଅଭିଭାବକ କେତେବେଳେ ଡିଡବ୍ଲୁଓ ମନା କରିଛନ୍ତି ତ ଆଉ କେତେବେଳେ ଶିକ୍ଷା କମିଟି ମନା କରିଛନ୍ତି ବୋଲି କହୁଛନ୍ତି l ପ୍ରକୃତରେ କିଏ କେଉଁ କାରଣରୁ ପିଲାଙ୍କୁ ହଷ୍ଟେଲ ସୁବିଧାରୁ ବଞ୍ଚିତ କରୁଛି, କେଉଁ ଅଫିସରଙ୍କ ଅଦୃଶ୍ୟଶକ୍ତି ଶିକ୍ଷକଙ୍କ ମୁଣ୍ଡ ଉପରେ ଅଛି, ଯାହା ଫଳରେ ପ୍ରଧାନଶିକ୍ଷକ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ତାହା ତ ତଦନ୍ତ ସାପେକ୍ଷ l ଏହାକୁ ନେଇ କୁଇ ସମାଜର ସମ୍ପାଦକ ଲମ୍ବୋଦର କହଁର ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି l ଏନେଇ ପ୍ରଧାନ ଶିକ୍ଷକ ସାମଲଙ୍କୁ ପଚାରିବାରୁ ଗାଇଡ଼ଲାଇନ ବାହାରେ ହୋଇଥିବାରୁ ପିଲାଙ୍କୁ ହଷ୍ଟେଲରେ ଆଡ଼ମିସନ ଦିଆଯାଇ ନାହିଁ ଡବ୍ଲୁଇଓ ବିଭୀଷଣ ଭୋଇଙ୍କୁ ପଚାରିବାରୁ ସେ ଏସମ୍ପର୍କରେ କିଛି ମଧ୍ୟ କହିବାକୁ ମନା କରିଦେଇଛନ୍ତି l ଦେଢ଼ କିଲୋମିଟର ରାସ୍ତା ହୋଇଥିବାରୁ ସ୍କୁଲ ଯିବା ଆସିବା କରିବାକୁ ଅସୁବିଧା ହେବ ବୋଲି କହିଛନ୍ତି l ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଠାରୁ ଗିରିଜନ ହଷ୍ଟେଲର ଦୂରତା ୩୦୦ ମିଟର ରାସ୍ତାକୁ ତିନି କିଲୋମିଟର ଓ ରାସ୍ତା କୁହାଯାଉଛି l ମାସକୁ ଡବ୍ଲୁଇଓ କେତେଥର ପରିଦର୍ଶନରେ ଯାଉଛନ୍ତି ତାହା ସହଜେ ଅନୁମେୟ l ଏଡିଡବ୍ଲୁଓ ଜଗତ ବଗର୍ତ୍ତୀ ରୁତୁଙ୍ଗିଆ ଯାଇ ତଦନ୍ତ କରି ଫେରିଛନ୍ତି କିନ୍ତୁ ପ୍ରତିକ୍ରିୟା ଦେବାକୁ ମନାକରିଛନ୍ତି l ଏନେଇ ବାଲିଗୁଡା ଉପ ଜ଼ିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଏହାର ପୁନଃ ତଦନ୍ତ କରିବେ ବୋଲି କହିଛନ୍ତି l ରୁତୁଙ୍ଗିଆ ଗିରିଜନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଅସାଧୁ ମେଣ୍ଟ କୁ ବ୍ଲକ ଅଧକ୍ଷ ପ୍ରମୋଦ କୁମାର ମଲିକ ତୀବ୍ର ନିନ୍ଦା କରିଛନ୍ତି l ତୁରନ୍ତ ୧୫ ଜଣ ଗରିବ ଆଦିବାସୀ ଛାତ୍ରୀଙ୍କୁ ନିଜ ପଞ୍ଚାୟତରେ ଥିବା ଛାତ୍ରୀ ନିବାସରେ ଭର୍ତ୍ତି କରିବା ସହିତ ମହିଳା ସୁପରିଟଣ୍ଡେଣ୍ଟ ନିଯୁକ୍ତି ପାଇଁ ଦାବୀ କରିଛନ୍ତି lଅନ୍ୟଥା ଗ୍ରାମବାସୀ ମାନେ ରାଜରାସ୍ତା କୁ ଓଲ୍ହାଇବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ