ଅଶେଷ ମିଶ୍ର ହେଲେ ଖେମୁଣ୍ଡି ଓକିଲ ସଂଘ ସମ୍ପାଦକ

ଦିଗପହଣ୍ଡି, (ୱାଇଏନ୍‌ଏସ୍‌): ରାଜ୍ୟ ବାରକାଉନସିଲର ନିର୍ଦ୍ଦେଶ ପ୍ରକାରେ ନିର୍ବାଚନ ଅଧିକାରୀ ପ୍ରଭାକର ରାଉତଙ୍କ ଉପସ୍ଥିତିରେ ସୋମବାର ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସମ୍ପାଦକ ଭାବେ ଅଶେଷ ନାଥ ମିଶ୍ରଙ୍କୁ ମନୋନୀତ କରାଯାଇଛି। ଖେମୁଣ୍ଡି ଓକିଲ ସଂଘର ମନୋନୀତ ଅଧ୍ୟକ୍ଷ ପରେଶ ଚନ୍ଦ୍ର ରଥଙ୍କ ଦ୍ଵାରା ସଂଘର ସମ୍ପାଦକ ପଦବୀ ନିମନ୍ତେ ଆଗତ ପ୍ରସ୍ତାବକୁ ଓକିଲ ସଂଘ ଅନ୍ତରୀଣ କମିଟି ର ଅନ୍ୟତମ ସଦସ୍ୟ ସୁରେଶ ଚନ୍ଦ୍ର ସାହୁ ସମର୍ଥନ କରିଥିଲେ। ନବନିର୍ବାଚିତ ସମ୍ପାଦକ ଅଶେଷ ନାଥ ମିଶ୍ରଙ୍କୁ ସଂଘର ଅଧ୍ୟକ୍ଷ ଓ ଉପସ୍ଥିତ ସଦସ୍ୟବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ। ପରେ ସଂଘର ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଆୟୋଜିତ ପୂର୍ଣ୍ଣାଙ୍ଗ ଆଲୋଚନା ସଭାରେ ଏନେଇ ବିଧିବଦ୍ଧ ପ୍ରସ୍ତାବକୁ ଗୃହୀତ କରାଯାଇ ରାଜ୍ୟ ବାରକାଉନସିଲର ଅନୁମୋଦନ ନିମନ୍ତେ ପଠାଯିବାକୁ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନିଆଯାଇଥିଲା।କୋଭିଡ – ୧୯ ପରିପ୍ରେକ୍ଷୀରେ ଓକିଲ ସଙ୍ଘ ନିର୍ବାଚନ ବାତିଲ କରାଯିବା ପରେ ରାଜ୍ୟ ବାରକାଉନସିଲ ପଠାଇଥିବା ନୂତନ ଗାଇଡ ଲାଇନ୍ ଅନୁସାରେ ସଂଘର ଅନ୍ତରୀଣ କମିଟି କାର୍ଯ୍ୟକର୍ତ୍ତା କିଏ ହେବ ସେନେଇ ବେଶ୍ କିଛିଦିନ ହେଲା ଚର୍ଚ୍ଚା ଲାଗିରହିଥିଲା।କୌଣସି ଗୋଷ୍ଠିଭୁକ୍ତ ନହୋଇ ସଂଘର ସମସ୍ତ ସଦସ୍ୟଙ୍କ ସହମତି ଭିତ୍ତିରେ ସେ କାର୍ଯ୍ୟ କରିବେ ବୋଲି ନବନିର୍ବାଚିତ ସମ୍ପାଦକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସଂଘକୁ ଅଧିକ କ୍ରିୟାଶୀଳ କରାଯିବା ସହ କୋଭିଡ – ୧୯ ଯୋଗୁଁ ବହୁ ସଂଖ୍ୟକ ଓକିଲ ଘୋର ଆର୍ଥିକ ସଙ୍କଟ ମଧ୍ୟଦେଇ ଗତି କରୁଛନ୍ତି। ଦୀର୍ଘ ୪ ମାସ ହେଲା କୋର୍ଟ କାର୍ଯ୍ୟ ବନ୍ଦ ରହିବାରୁ ଅନେକ ଓକିଲ ଆର୍ଥିକଦୃଷ୍ଟିକୋଣରୁ ଅଳ୍ପ ବହୁତେ ପ୍ରଭାବିତ ହୋଇଛନ୍ତି। ପଡେ଼ାଶୀ ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା ସମେତ ଅନ୍ୟାନ୍ୟ ଅନେକ ରାଜ୍ୟ ସରକାର ଓକିଲ ମାନଙ୍କୁ ଆର୍ଥିକ ସହାୟତା ମଞ୍ଜୁର କରିଥିବା ବେଳେ ଓଡ଼ିଶା ରାଜ୍ୟସରକାର ଏଥିପ୍ରତି ସମୁଚିତ ଦୃଷ୍ଟିଦେଇ ଓକିଲ ମାନଙ୍କ ପାଇଁ ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ ମଞ୍ଜୁର କରିବାକୁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଏକମାସ ପୂର୍ବେ ରାଜ୍ୟ ବାରକାଉନସିଲ ପଠାଇଥିବା ଚିଠି ଅନୁଯାୟୀ ସ୍ଥାନୀୟ ଓକିଲ ସଂଘର ଅଧ୍ୟକ୍ଷ ଏବଂ ସମ୍ପାଦକ ବଛା ଯାଇଥିଲା। ଏହା ବାର କାଉନସିଲ ର ସଂଶୋଧିତ ନିୟମ ପ୍ରକାରେ ହୋଇନାହିଁ ବୋଲି ତ୍ରୁଟି ଦର୍ଶାଇ ନିର୍ବାଚନ ଅଧିକାରୀ ପ୍ରଭାକର ରାଉତ ରାଜ୍ୟ ବାର କାଉନସିଲ ର ଦୃଷ୍ଟି ଆକର୍ଷଣ କରିଥିଲେ। ନୂତନ ନିୟମାବଳୀ ଅନୁଯାୟୀ ବାରକାଉନସିଲ ଏନେଇ ଚିଠି କରିବାପରେ ସଂଘର ଅନ୍ତରୀଣ କମିଟି ଅଧ୍ୟକ୍ଷ ଓ ଦୁଇ ଜଣ ସଭ୍ୟଙ୍କୁ ଚୟନ କରାଯାଇ ବାରକାଉନସିଲ ର ଅନୁମୋଦନ ନିମନ୍ତେ ପଠାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ