ଅଶୋଧିତ ତୈଳ ଦର ହ୍ରାସ ସାଉଦି ଆରବ ପାଇଁ ସମସ୍ୟା
ନୂଆଦିଲ୍ଲୀ: ଅଶୋଧିତ ତୈଳ ଦରରେ ହ୍ରାସ ସାଉଦି ଆରବ ପାଇଁ ସମସ୍ୟା ସୃଷ୍ଟି କରିଛି । ଦେଶର ବୈଦଶିକ ମୁଦ୍ରା ଭଣ୍ଡାରରେ ବଡ଼ ଧରଣର ହ୍ରାସ ଘଟିଛି । ୨୦୦୦ ରୁ ଏଥିରେ ଦ୍ରୁତ ହ୍ରାସ ଘଟିଥିବା ବ୍ଲୁମବର୍ଗ ରିପୋର୍ଟରୁ ଜଣାଯାଇଛି ।
ମାର୍ଚ୍ଚରେ ସାଉଦି ଆରବର ବୈଦେଶିକ ମୁଦ୍ରା ଭଣ୍ଡାର ୨୭୦୦ କୋଟି ଡଲାର ସଙ୍କୁଚିତ ହୋଇଛି । ଫଳରେ ଏହା ୪୬୪୦୦ କୋଟି ଡଲାରକୁ ହ୍ରାସ ପାଇଛି । ୨୦୧୧ ରୁ ଏହା ସର୍ବନିମ୍ନ ସ୍ତର । ଗତ ସପ୍ତାହରେ ସାଉଦି ଆରବର ଅର୍ଥମନ୍ତ୍ରୀ ମହମ୍ମଦ-ଅଲ-ଜଦାନ କହିଥିଲେ ଯେ, ବର୍ଷ ତମାମ ଦେଶ କେବଳ ୧୨୦୦ ଡଲାର ପର୍ଯ୍ୟନ୍ତ ପୁଞ୍ଜି ଏଥିରେ ଉଠାଇବ । ଅଶୋଧିତ ତୈଳ ଦରରେ ବୃହତ ହ୍ରାସ ବିଶ୍ୱର ସର୍ବବୃହତ ତୈଳ ରପ୍ତାନୀକାରୀ ସାଉଦି ଆରବ ପାଇଁ ଚିନ୍ତାର ବିଷୟ ପାଲଟିଛି । ସରକାରଙ୍କ ମୋଟ ରାଜସ୍ୱ ମଧ୍ୟରୁ ବୃହତ ଭାଗ ଅଶୋଧିତ ତୈଳ ବିକ୍ରିରୁ ଆସିଥାଏ । ମାର୍ଚ୍ଚରେ ବ୍ରେଣ୍ଟ କ୍ରୁଡ ଦରରେ ୫୦ %ରୁ ଊର୍ଦ୍ଧ୍ବ ହ୍ରାସ ଘଟିଛି । ବ୍ୟାରେଲ ପିଛା ଏହା ୨୦ ଡଲାରକୁ ଖସିଆସିଛି । ଏହା ୧୮ ବର୍ଷର ସର୍ବନିମ୍ନ ସ୍ତର । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଆକଳନ ଅନୁସାରେ ସାଉଦି ଆରବକୁ ଏହାର ବଜେଟରେ କାଟଛାଣ୍ଟ କରିବାକୁ ପଡ଼ିବ ।
ବିଶ୍ୱର ପ୍ରାୟ ସବୁଦେଶରେ ଲକଡାଉନ ଜାରି ରହିଛି । ଅର୍ଥନୈତିକ କାର୍ଯ୍ୟକଳାପ ତଥା ପରିବହନ ବନ୍ଦ ଥିବାରୁ ତେଲ ଚାହିଦାରେ ହଠାତ ଭୟଙ୍କର ହ୍ରାସ ଘଟିଛି । ଚାହିଦାରେ ହ୍ରାସ ଘଟିଥିବା ଉପôାଦନ କମାଉନାହାନ୍ତି ତୈଳ ଉତ୍ପାଦନକାରୀ ରାଷ୍ଟ୍ର । ଆଶା ବାହାରେ ଉତ୍ପାଦନ ଯୋଗୁ ଭଣ୍ଡାରଗୁଡ଼ିକ ଭର୍ତ୍ତି ହୋଇଗଲାଣି । ତେଲ ରଖିବାକୁ ଜାଗା ନାହିଁ । ଏଭଳି କ୍ଷେତ୍ରରେ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ଚିନ୍ତାରେ ପଡ଼ିଗଲେଣି ଯେ, ଅନାବଶ୍ୟକ ତେଲକୁ କ’ଣ କରିବେ ।


