ଅଶ୍ଳୀଳ ଭାଷା ପ୍ରୟୋଗ ଦ୍ୱାରା ଅପସଂସ୍କୃତି ସହ ସଭ୍ୟତାକୁ ନଷ୍ଟ କରୁଛନ୍ତି କିଛି ଯୁବ ‘ବୋଲ ବମ୍’ ଭକ୍ତ
ବାଲେଶ୍ୱର (ଧୀରଜ କୁମାର ଦାସ) : ଆରମ୍ଭ ହେଲା ଶ୍ରାବଣ ମାସ । ଭଗବାନ ଶିବଙ୍କର ୧୨ ମାସ ମଧ୍ୟରୁ ଶ୍ରାବଣ ମାସ ଅତ୍ୟନ୍ତ ପ୍ରିୟ । ଏହି ମାସରେ ମହାଦେବଙ୍କୁ ଭକ୍ତି ସହକାରେ ପୂଜାର୍ଚ୍ଚନା କରାଗଲେ ତାଙ୍କର ଅପାର କୃପା ପ୍ରାପ୍ତ ହୋଇଥାଏ । ତତ୍ସହ ଜଳଧାରା ଶିବଙ୍କର ପ୍ରିୟ ହୋଇଥିବାରୁ ଶ୍ରାବଣ ମାସରେ ଶିବଙ୍କ ମସ୍ତକରେ କାଉଁଡିଆମାନେ ଜଳାଭିଷେକ କରିବା ସହ ଅନ୍ୟ ଭକ୍ତମାନେ ମଧ୍ୟ ଏହି ସମୟରେ ଦେବଦେବ ମହାଦେବଙ୍କୁ ଜଳାଭିଷେକ କରିବା ଦ୍ୱାରା ତାଙ୍କର ଅବାଞ୍ଛନିତ ମନସ୍କାମନା ପୂରଣ ହୁଏ ବୋଲି ପୁରାଣ ପୋଥିଠୁ ଆରମ୍ଭ କରି ପୂର୍ବ ପୁରୁଷରୁ ପ୍ରଚଳିତ ହୋଇ ଆସୁଅଛି । ବେଲ ପତ୍ର ସହ ଜଳାଭିଷେକ ଦ୍ୱାରା ଶିବ କୃପା ମୋକ୍ଷ ପ୍ରାପ୍ତି ହୋଇଥାଏ । ଭକ୍ତମାନେ ନିଜର ମନସ୍କାମନା ଯଥା ଧନପ୍ରାପ୍ତି, ପୁତ୍ରପ୍ରାପ୍ତି, ସୁଖ, ସମୃଦ୍ଧି, ଲକ୍ଷ୍ମୀପ୍ରାପ୍ତି ଓ ଜ୍ଞାନ ବୃଦ୍ଧି ପାଇଁ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥାଆନ୍ତି । ସେହିପରି କାଉଁଡିଆମାନେ ମଧ୍ୟ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ ବାହୁଁଗି ଭିଡି ନଦୀରୁ କଳସୀରେ ଜଳ ଧରି ଶିବଙ୍କ ମସ୍ତକରେ ଢାଳିବା ସହ ଖାଲ ଢିପ ଅଙ୍କା ବଙ୍କା ରାସ୍ତାଗୁଡିକୁ ଖାତିର ନକରି ‘ବୋଲ୍ ବମ୍’ର ନାରା ଦେଇ ପହଂଚି ଯାଆନ୍ତି ପ୍ରଭୁଙ୍କ ପାଖରେ । ଭକ୍ତମାନେ ରାସ୍ତାରେ କଷ୍ଟ ଯନ୍ତ୍ରଣାକୁ ସହ୍ୟ କରିପାରୁନଥିବା ବେଳେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତିନି ଠାକୁରଙ୍କର ମିଶ୍ରଣକୁ ବୁଝାଉଥିବା ‘ବୋଲ୍ ବମ୍’ ଉଚ୍ଚାରଣ କରି ଚାଲି ଥାଆନ୍ତି । କିନ୍ତୁ ଦୁଃଖ ସହ କଷ୍ଟଦାୟକ କଥା ଆଜିର ଯୁବପୀଢିମାନେ ଜଳାଭିଷେକକୁ ଭକ୍ତି ମନୋଭାବ ନନେଇ ଏକ ଫ୍ୟାସନ୍ ଭାବେ ଗ୍ରହଣ କରିବା, ଅପସଂସ୍କୃତି ସହ ସଭ୍ୟତାକୁ ନଷ୍ଟ କରିବା ଭଳି ଆକ୍ଷେପ କରି ବିଭିନ୍ନ ଅଶ୍ଳୀଳ ଭାଷା ପ୍ରୟୋଗ କରି ରାସ୍ତାରେ ଯିବା ଦ୍ୱାରା ଅନ୍ୟ ଭକ୍ତମାନଙ୍କ ସହ ଜନସାଧାରଣଙ୍କର ଭାବାବେଗକୁ କୁଠାରଘାତ କରୁଛି । ତତ୍ସହ ଜଳାଭିଷେକ କରିବାକୁ ରାସ୍ତାରେ ଯାଉଥିବା ହଜାର ହଜାର ସଂଖ୍ୟାରେ ଝିଅ, ବୋହୂ ଓ ମହିଳା ଭକ୍ତମାନଙ୍କର ଭକ୍ତିଭାବନା ଆପଣାଛାଏଁ ଦୂରେଇ ଯାଉଛି । ବାଲେଶ୍ୱରରେ ବାବା ଚନ୍ଦନେଶ୍ୱର, ବାବା ଭୁଷଣ୍ଡେଶ୍ୱର, ବାବା ପଂଚଲିଙ୍ଗେଶ୍ୱର, ବାବା ମଣିନାଗେଶ୍ୱର, ବାବା ବାଣେଶ୍ୱର ଏହି ଭଳି ଅନେକ ଶୈବପୀଠଗୁଡିକୁ ଶ୍ରାବଣ ମାସରେ ହଜାର ହଜାର ସଂଖ୍ୟାରେ ଜଳାଭିଷେକ ପାଇଁ ଯାଉଥିବା କାଉଁଡିଆ ଭକ୍ତମାନଙ୍କୁ ଅଶ୍ଳୀଳ ଭାଷା ଶ୍ରବଣ ସହ ଫ୍ୟାସନ୍ରେ ପରିଣତ କରିଥିବା ଯୁବ କାଉଁଡିଆମାନେ ସାଧାରଣ ଭକ୍ତମାନଙ୍କ ଅନ୍ତରଆତ୍ମାକୁ କୁଠାରଘାତ କରୁଛନ୍ତି । ତେଣୁ ଚଳିତ ବର୍ଷ କାଉଁଡିଆମାନଙ୍କର ଜଳାଭିଷେକ ଆରମ୍ଭ ହେଉଥିବା ବେଳେ ଭକ୍ତ ନାମରେ କଳଙ୍କ ସାଜିଥିବା ଯୁବ କାଉଁଡିଆମାନଙ୍କୁ ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଠାବ କରି କଠୋର ଦଣ୍ଡରେ ଦଣ୍ଡିତ କରିବା ସହ ଜନସାଧାରଣଙ୍କର ଦିନକୁ ଦିନ କାଉଁଡିଆ ମାଁ, ଭଉଣୀ ଓ ଭାଇମାନଙ୍କ ପ୍ରତି ଉଠିଯାଉଥିବା ଆସ୍ଥା ଓ ଭରଷାକୁ ପୂନଃର୍ଜୀବିତ କରିବା ଏହା ହିଁ ଲକ୍ଷ୍ୟ ।