ଅଷ୍ଟମ ବେତନ ଆୟୋଗ

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ଇତିମଧ୍ୟରେ ଘୋଷଣା କରିଛନ୍ତି । ଅବଶ୍ୟ ସରକାରୀ କର୍ମଚାରୀଙ୍କ ବେତନ ନିର୍ଦ୍ଧାରଣ ପାଇଁ କମିଶନ ଗଠନ ନୂଆ କଥା ନୁହେଁ । ଆମ ଦେଶରେ ପ୍ରତି ୧୦ବର୍ଷରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ବେତନ ଓ ଭତା ନିର୍ଦ୍ଧାରଣ କରିଥାନ୍ତି । ପ୍ରଥମେ କେନ୍ଦ୍ରୀୟ କର୍ମଚାରୀଙ୍କ କ୍ଷେତ୍ରରେ ନୂତନ ବେତନ ହାର ଲାଗୁହୋଇଥିବାବେଳେ ପରବର୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାରାମାନେ ରାଜ୍ୟକର୍ମଚାରୀମାନଙ୍କ ପାଇଁ ଲାଗୁ କରିଥାନ୍ତି । ବେତନ କମିଶନ ତାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବା ପରେ କାର୍ଯ୍ୟକାରୀ ହୋଇଥାଏ । ବେତନ ଆୟୋଗ ଯେଉଁ ସୁପାରିଶ କରିବ, ତାହା ୨୦୨୬ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବ । ଏହା ଫଳରେ କେନ୍ଦ୍ର କର୍ମଚାରୀଙ୍କ ବେତନ ଓ ଭତା ବୃଦ୍ଧି ପାଇବା ପଥ ପରିସ୍କାର ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବେତନ ଓ ଭତାବୃଦ୍ଧି ପାଇଁ ସରକାରୀ କର୍ମଚାରୀମାନେ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି । ସରକାରୀ କର୍ମଚାରୀ ଉତମ ବେତନ ଓ ଭତା ପାଇବା କୌଣସି ଅଯୌକ୍ତିକ ନାହିଁ । ସରକାର ପରିଚାଳନା ଏକ ଜଟିଳ ବ୍ୟାପାର ଏଥିରେ ସନ୍ଦେହ ନାହିଁ । ତେଣୁ ସେମାନେ ନିଜର ବେତନ ଓ ଭତା ଦାବି କରିବା କିମ୍ବା ସରକାର ସେମାନଙ୍କର ବେତନ ଓ ଭତା ବୃଦ୍ଧି କରିବାରେ ଅଯୌକ୍ତିକ ଘଟଣା ନୁହେଁ । ମାତ୍ର ଯେଉଁ ହାରରେ ବେତନ ଓ ଭତା ବୃଦ୍ଧି ନେଇ ରିପୋର୍ଟ ପ୍ରକାଶ ପାଇଛି, ତାହାର ଔଚିତ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଉଲ୍ଳେଖ କରାଯାଇପାରେ ଯେ, ଗତ ୨୦୧୬ ମସିହା ଜାନୁୟାରୀ ପହିଲାରେ ସପ୍ତମ ବେତନ କମିଶନଙ୍କ ସୁପାରିଶ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଲାଗୁ କରାଯାଇଥିଲା । ସେତେବେଳେ କର୍ମଚାରୀଙ୍କୁ ମାସିକ ବେତନ ସର୍ବନିମ୍ନ ୭ହଜାର ଟଙ୍କା ଥିବାବେଳେ ତାହା ୧୮ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା । ଅନ୍ୟାନ୍ୟ ଭତାକୁ ମିଶାଇଲେ ସର୍ବନିମ୍ନ ତଳପାହ୍ୟାର ଜଣେ କର୍ମଚାରୀଙ୍କୁ ମାସିକ ୩୬ହଜାର ଟଙ୍କା ମିଳୁଥିଲା । ଅର୍ଥାତ ଏଥିରେ ଫିଟମେଂଟ ଫ୍ୟାକ୍ଟର ଥିଲା ୨.୫୭ । ଅଷ୍ଟମ ବେତନ ଆୟୋଗ ସୁପରିଶରେ ଫିଟମେଂଟ ଫ୍ୟାକ୍ଟର ଥିଲା ୨.୫୭ । ଅଷ୍ଟମ ବେତନ ଆୟୋଗ ସୁପାରିଶରେ ଫିଟମେଂଟ ଫ୍ୟାକ୍ଟର ୨.୫୭ ରୁ ୨.୮୬କୁ ବୃଦ୍ଧି ପାଇବା ନେଇ ଚର୍ଚ୍ଚା ହେଉଛି । ଏହା ଯଦି ହୁଏ ତେବେ ୧୮ହଜାରରୁ ବେତନ ବୃଦ୍ଧି ପାଇଁ ୫୧ହଜାର ଟଙ୍କା ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି । ସେହିପରି ପଦସ୍ଥ ପ୍ରଶାସନିକ ଅଧିକାରୀ ବେତନ କେତେ ହେବ, ତାହା ସହଜରେ ଅନୁମାନ କରାଯାଇପାରେ । କହିବା ବାହୁଲ୍ୟ ଯେ, ସରକାରୀ ଚାକିରୀରେ ବେତନ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଭତାରେ କୌଣସି ଅନିଶ୍ଚିତତା ନଥିବା ଚାକିରିର ସ୍ଥାୟିତ୍ୱ ନିରାପତା ରହିଛି । ଆମ ଦେଶରେ ଯୁବକଯୁବତୀମାନେ ସରକାରୀ ଚାକିରୀଟିଏ ପାଇଗଲେ ନିଜକୁ ସୌଭାଗ୍ୟ ମଣିଥାନ୍ତି । ସରକାରୀ ଚାକିରିଟିଏ ମିଳିଗଲା ପରେ ଉପୁରି (ଅସଦ ଉପାୟରେ ଆୟ) ମଧ୍ୟ ରହିଛି । ଯେଉଁଁଥିପାଇଁ କି ଆଜି ସମସ୍ତେ ସରକାରୀ ଚାକିରିଟିଏ ପାଇଁ ବ୍ୟାକୁଳ । ଅନ୍ୟପକ୍ଷରେ ସରକାରୀ ନିଯୁକ୍ତିଟିଏ ମିଳିବା ମଧ୍ୟ ସାତସପନ । ଦଉଡି ଦଉଡି ବୟସ ଚାଲିଯାଏ, କିନ୍ତୁ ଚାକିରି ମିଳେ ନାହିଁ । ଯେଉଁଥିପାଇଁ କି ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ଆକାର ଧାରଣ କରିଛି । ଗୋଟିଏ ଚତୁର୍ଥ ଶ୍ରେଣୀ ପଦବୀ ପାଇଁ ଏମବିଏ ଏବଂ ଟେକ୍ନିକାଲ ଡିଗ୍ରିଧାରି ଯୁବକଯୁବତୀ କୁଣ୍ଠାବୋଧ କରୁନାହାଁନ୍ତି । କେବଳ ଏତିକି ନୁହେଁ, ଗୋଟିଏ ପଦବୀ ପାଇଁ ଲକ୍ଷଲକ୍ଷ ଆଶାୟୀ ଆବେଦନ କରିବା ଏବେ ଏକ ନିୟମିତ ଘଟଣାରେ ପରିଣତ ହୋଇଛି । ଅନ୍ୟପକ୍ଷରେ ବେସରକାରୀ ସଂସ୍ଥା ପ୍ରତି ଶିକ୍ଷିତ ଯୁବକଯୁବତୀ ବିମୁଖ । ଏହାର କାରଣ ନିଯୁକ୍ତି ଅସୁରକ୍ଷିତ । ତାଳ ଗଛର ଛାଇ ପରି । ସେହିପରି କର୍ପୋରେଟ ସେକ୍ଟରର ଉଚ୍ଚ ପଦବୀ ବ୍ୟତୀତ ତଳତଳିଆ ପଦବୀରେ ବେତନ ସର୍ବନିମ୍ନ । ନିଯୁକ୍ତି ମଧ୍ୟ ଅସୁରକ୍ଷିତ । ଆହୁରି ମଧ୍ୟ ଅବସରପରେ ଉଚ୍ଚ ବେତନରେ ନିଯୁକ୍ତି ଏବେ ଆମ ଦେଶରେ ଆଉ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି । ଯାହାର କାରଣ ସ୍ୱରୁପ ସରକାରୀ ଚାକିରୀରେ ନିଯୁକ୍ତି ସଂକୁଚିତ ହେବାରେ ଲାଗିଛି । ଆନ୍ତର୍ଜାତିକି ଶ୍ରମ ସଂଗଠନ (ଆଇଏଲଓ) ର ରିପୋର୍ଟ ଅନୁଯାୟୀ ମୋଟ ଶ୍ରମଶକ୍ତି ହାର ତୁଳନାରେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ସର୍ବନିମ୍ନ ଥିଲେ ମଧ୍ୟ ସର୍ବାଧିକ ବ୍ୟୟ ବହୁଳ । ନିଯୁକ୍ତି ହାର ବୃଦ୍ଧି ସହ ବେତନ ନେଇ ଆୟୋଗ ଏବଂ ସରକାର ଧ୍ୟାନ ଦେବା ଜରୁରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ