ଅଷ୍ଟ୍ରେଲିଆର ପ୍ରାଚୀନ ବନ୍ଦିଗୃହ
୧୭୮୭-୧୮୬୮ ମଧ୍ୟରେ ୧,୬୬,୦୦୦ ମହିଳା, ପୁରୁଷ ଓ ଶିଶୁଙ୍କୁ ଇଂଲଣ୍ଡରୁ ଅଷ୍ଟ୍ରେଲିଆ ପଠାଯାଇଥିଲା । ସେମାନେ ସମସ୍ତେ ଥିଲେ ଆଇନ ଦୃଷ୍ଟିରେ ଦୋଷୀ । ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କୁ ସରକାରୀ ଖର୍ଚ୍ଚରେ ଦେଶାନ୍ତରିତ କରାଯାଇଥିଲା । ସେମାନଙ୍କ ରହଣି ପାଇଁ ସେହି କାଳରେ ଅଷ୍ଟ୍ରେଲିଆର ବିଭିନ୍ନ ଅଞ୍ଚଳରେ ପ୍ରାୟ ତିନି ହଜାର ବନ୍ଦିଗୃହ ନିର୍ମାଣ କରାଯାଇଥିଲା । କେତେକ ବନ୍ଦୀଗୃହରେ ଦୁର୍ଦ୍ଧର୍ଷ ଅପରାଧୀମାନେ କଡ଼ା ନିରାପତ୍ତା ମଧ୍ୟରେ ବନ୍ଦ ରହୁଥିଲେ । ଆଉ କେତେକରେ ଅପେକ୍ଷାକୃତ ଶାନ୍ତ ଅପରାଧୀମାନେ କିଛି ପରିମାଣରେ ମୁକ୍ତ ଜୀବନଯାପନ କରୁଥିଲେ । ସମସ୍ତଙ୍କ ପାଇଁ ଶ୍ରମ ବାଧ୍ୟତାମୂଳକ ଥିଲା । ସେମାନଙ୍କ ମାଧ୍ୟମରେ ସଡ଼କ ନିର୍ମାଣଠାରୁ ଆରମ୍ଭ କରି ଚାଷ-ବାସ କରାଯାଉଥିଲା । ପରେ ଅନେକଙ୍କୁ ସ୍ଥାୟୀ ଭାବେ ଥଇଥାନ କରାଯାଇଥିଲା । ସେହି ଅପରାଧୀଙ୍କ ମାଧ୍ୟମରେ ଅଷ୍ଟ୍ରେଲିଆରେ ବ୍ରିଟିସ୍ ଉପନିବେଶ ସଂପ୍ରସାରିତ ହୋଇଥିଲା । ସେମାନେ ସ୍ଥାନୀୟ ଆଦିମ ଅଧିବାସୀଙ୍କୁ ତଡ଼ି ବଳପୂର୍ବକ ସେମାନଙ୍କ ବାସସ୍ଥାନ, ଚାଷ ଜମି ଆଦି ଦଖଲ କରିଥିଲେ । ଫଳସ୍ୱରୂପ ଏକ ଭିନ୍ନ ଅଷ୍ଟ୍ରେଲିଆର ସୃଷ୍ଟି ହୋଇଥିଲା । ସେହି ପ୍ରାଚୀନ ବନ୍ଦୀଗୃହ ମଧ୍ୟରୁ ଏଗାରଟିକୁ ୨୦୧୧ରେ ବିଶ୍ୱ ଐତିହ୍ୟର ମାନ୍ୟତା ମିଳିଥିଲା । ସେଗୁଡ଼ିକ ଟାସ୍ମାନିଆ, ନର୍ଫୋକ୍ ଆଇଲାଣ୍ଡ୍, ନିଉ ସାଉଥ୍ ୱେଲ୍ସ ଓ ପଶ୍ଚିମ ଅଷ୍ଟ୍ରେଲିଆରେ ରହିଛି ।


