ଅସନ୍ତୋଷ୍ଟଙ୍କୁ ରାଜ୍ୟସଭା ପ୍ରତିଶୃତି

ବିଜୁ ଜନତା ଦଳ ମୁଖପାତ୍ର ଅରୁଣ ସାହୁ ସ୍ୱୀକାର କରିଛନ୍ତି ଯେ, ପ୍ରାର୍ଥୀଚୟନ ଓ ଟିକଟ ବଣ୍ଟନକୁ ନେଇ ବିଜେଡି ଦଳ ମଧ୍ୟରେ ଅସନ୍ତୋଷ ବଢିଛି । ଏହା ସମସ୍ୟା ନୁହେଁ, ଦଳ ପକ୍ଷରୁ ଏହାର ସମାଧାନ ଲାଗି ଉଦ୍ୟମ ଚାଲିଛି। ମୁଖପାତ୍ର ହୋଇଥିବାରୁ ଦଳର ସମସ୍ୟାକୁ କମ କରିବା ନେଇ ଉଦ୍ୟମ କରିଛନ୍ତି ଅରୁଣ। କିନ୍ତୁ ସମସ୍ୟା ଉତ୍କଟ ଏବଂ ଉପକୂଳ, ଉତ୍ତର ଏବଂ ମଧ୍ୟ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ପରେ ବିଜେଡିର ସମସ୍ୟା କେତେ ପ୍ରଖର, ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହବ। କିନ୍ତୁ ସ୍ୱୀକାର କରିବାକୁ ପଡ଼ିବ ଯେ, ବିଜୁ ଜନତା ଦଳ ଟିକଟରେ ଲଢ଼ିବା ପାଇଁ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି । ଏହାର ବି ବହୁବିଦ୍ଧ କାରଣ ରହିଛି। ପ୍ରଥମତଃ ଗୋଷ୍ଠୀ ବିବାଦରେ ଆକ୍ରାନ୍ତ ହୋଇଛି ଦଳ। ତେଣୁ ବହୁ ରାଜନେତାଙ୍କ ମନରେ ଟିକଟ ମିଳିବାର ସ୍ୱପ୍ନ ବିଜେଡି ନେତାମାନେ ଭରିଦେଇଛନ୍ତି। ଏବେ ତାହାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଦ୍ୱିତୀୟରେ ଟିକଟ ବଣ୍ଟନର ଚାବି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ହାତରେ ରହିଛି । ଯେଉଁମାନଙ୍କର ଟିକଟ କଟାଯାଉଛି, ସୌଜନ୍ୟ ଦୃଷ୍ଟିରୁ ସେମାନଙ୍କୁ ଆଗରୁ ଅବଗତ କରାଯାଇ ନାହିଁ। ବିଜେଡିରେ ଟିକଟ ଆଶାୟୀଙ୍କ ସଂଖ୍ୟା ଅଧିକ ହୋଇପଡ଼ିବା କାରଣରୁ ଗୁରୁତର ସମସ୍ୟା ଉପୁଜିଛି। ୨୦୧୪ରେ ଏକତରଫା ନିର୍ବାଚନ ବିଜୁ ଜନତା ଦଳ ଜିଣିଥିଲା। ସେତେବେଳେ ଯେଉଁମାନଙ୍କର ଟିକଟ କଟିଥିଲା, ସେମାନଙ୍କୁ ବିଧାନପରିଷଦ କିମ୍ୱା ରାଜ୍ୟସଭା ଲୋଭ ଦେଖାଇବାର ଆବଶ୍ୟକତା ନଥିଲା ନବୀନବାବୁଙ୍କ ପାଖରେ। ତେଣୁ ଟିକଟ କଟିବା ପରେ ବିଦ୍ରୋହ କରିବା ପାଇଁ ଅସନ୍ତୁଷ୍ଟ ବିଧାୟକମାନଙ୍କର ସାହସ ଓ ସୁଯୋଗ ନଥିଲା। ସେତେବେଳେ ଅସନ୍ତୋଷ ଥିଲା, କିନ୍ତୁ ଏହାକୁ ଦାଣ୍ଡଘାଟରେ ପକାଇବା ଲାଗି ସାହସ ନଥିଲା ଟିକଟ ନମିଳିଥିବା ନେତା ମାନେ । ବଡ଼ କାରଣଟି ହେଲା, ବିଦ୍ରୋହ କଲେ ଯିବେ କୁଆଡେ଼? କାନ୍ଦି, କାଟି ଯଦି ଦଳରେ ମୁହଁ ମାଡ଼ି ରହି ହେଲା ତ କିଛି ମିଳିବାର ଭରସା ଥିଲା। ବର୍ତ୍ତମାନ ସେ ଅବସ୍ଥା ନାହିଁ। ଅସନ୍ତୋଷ ଚାରିଆଡେ଼। ଭିନ୍ନ ଧରଣର ଅସନ୍ତୋଷ ବଢିଗଲାଣି କିନ୍ତୁ ଏହାକୁ ପ୍ରଶମିତ କେମିତି କରିବେ ନବୀନ ସେଥିପାଇଁ ସେ ଅସନ୍ତୁଷ୍ଟ ଓ ଟିକଟ କଟୁଥିବା ନେତାମାନଙ୍କୁ ରାଜ୍ୟସଭା ଆସନ ପ୍ରତିଶୃତି ଦେଇ ଚାଲିଛନ୍ତି। ଗତଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଅଚ୍ୟୁତ ସାମନ୍ତ। ଏବେ ତାଙ୍କୁ କନ୍ଧମାଳରେ ଲୋକସଭା ଟିକଟ ଦେଇଛି ବିଜେଡି । ଯଦି ସେ ଜିତନ୍ତି, ତେବେ ରାଜ୍ୟସଭା ଆସନ ଖାଲି ହେବ। ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର‌୍ୟ୍ୟ ପ୍ରାର୍ଥୀ ହୋଇଛନ୍ତି ବରଗଡ଼ ଲୋକସଭା ଆସନ ସକାଶେ। ଯଦି ବିଜୟଲାଭ କରନ୍ତି ତେବେ ସେ ରାଜ୍ୟସଭା ଆସନ ଛାଡ଼ିବେ। ଅନୁରୁପ ଭାବେ ରାଜ୍ୟସଭା ସଦସ୍ୟ ପ୍ରତାପ ଦେବ ଲଢ଼ିବେ ଆଳିରୁ। ତେଣୁ ଏମାନଙ୍କୁ ମିଶାଇଲେ ୩ଟି ଆସନ ଖାଲି ହେବ ରାଜ୍ୟସଭାରେ। ରାଜ୍ୟସଭାର ପରବର୍ତ୍ତୀ ନିର୍ବାଚନ ୨୦୨୦ରେ। ବିଧାନସଭା ନିର୍ବାଚନ ପରେ ଦଳର ସ୍ଥିତି କ’ଣ ରହିବ, ତାହ ଭବିଷ୍ୟତ କହିବ । କିନ୍ତୁ ସାମ୍ପ୍ରତିକ ପରିସ୍ଥିତି ସୂଚାଇ ଦେଉଛି ଯେ, ପୂର୍ବଭଳି ବିଧାନସଭାରେ ଏକାଧିପତ୍ୟ ରହିବ ନାହିଁ ବିଜୁ ଜନତା ଦଳର। କିନ୍ତୁ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ସକାଶେ ସଭାପତି ନବୀନ ପଟନାୟକ ରାଜ୍ୟସଭା ଥୋପ ଦେଇଚାଲିଛନ୍ତି। ଏହା ଭିତରେ ଯେତେ ଜଣଙ୍କୁ ରାଜ୍ୟସଭା ପ୍ରତିଶ୍ରୁତି ଦେଇଛନ୍ତି, ସେଗୁଡ଼ିକୁ ହିସାବ କଲେ ଏହି ସଂଖ୍ୟା ଓଡ଼ିଶାରୁ ନିର୍ବାଚିତ ହେଉଥିବା ରାଜ୍ୟସଭା ସଦସ୍ୟଙ୍କ ସଂଖ୍ୟାଠାରୁ ଯଥେଷ୍ଟ ଅଧିକ ହେଲାଣି। କିଶୋର ମହାନ୍ତି ଏବଂ ଅନୁପ ସାଏଙ୍କ ମଧ୍ୟରୁ କାହାକୁ ବ୍ରଜରାଜନଗରରେ ଟିକଟ ଦେବେ, ସେ ସମସ୍ୟା ଦେଖି ନବୀନ ବାବୁ ଉଭୟଙ୍କୁ ରାଜ୍ୟସଭା ଲୋଭ ଦେଖାଇଛନ୍ତି। ପଶ୍ଚିମଓଡ଼ିଶାର ଆହୁରି ବହୁ ନେତାଙ୍କୁ ରାଜ୍ୟସଭା ପଠାଇବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି । ବ୍ରହ୍ମପୁର ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠେଇବେ ବୋଲି ସଭାପତି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କଂଗ୍ରେସରୁ ଆସିଥିବା ବିକ୍ରମ ପଣ୍ଡାଙ୍କୁ ଦଳ ଟିକଟ ଦେଇଛି । ସମାନ ପ୍ରତିଶ୍ରୁତି ମିଳିଛି ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ । ତାଙ୍କ ଜାଗାରେ କଂଗ୍ରେସରୁ ଆସିଥିବା ଚନ୍ଦ୍ରଶେଖରସାହୁଙ୍କୁ ଟିକଟ ଦେଇଛନ୍ତି ନବୀନ। ସେହିପରି ଉପକୂଳ ଅଞ୍ଚଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ନାହିଁ। ତେଣୁ ଅଧିକ ଅସନ୍ତୁଷ୍ଟ ନେତା ସାମ୍ନାକୁ ଆସିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ