ଅସମ୍ଭବ ମେଧା ଆମେରିକା ବିଶ୍ୱବିଦ୍ୟାଳୟରୁ ଭାରତୀୟ ଛାତ୍ରୀଙ୍କୁ ଡାକରା
ଆବୁଧାବି(ଏଜେନ୍ସି): ପ୍ରଚଣ୍ଡ ମେଧାଶକ୍ତିସମ୍ପନ୍ନ ଏହି ଝିଅଟି । ସେହି ମେଧା ତାଙ୍କୁ ମାର୍କିନ୍ ମୂଲକରେ ମଧ୍ୟ ପରିଚିତ କଲାଣି । ୧୭ବର୍ଷ ବୟସ୍କା ସିମନ ନୂରାଲୀ ଜଣେ ଭାରତୀୟ ଛାତ୍ରୀ । ଏବେ ସେ ରହୁଛନ୍ତି ଦୁବାଇରେ । ତାଙ୍କର କୃତିତ୍ୱ ସମ୍ପର୍କରେ ଜାଣିବା ପରେ ସିମନଙ୍କୁ ଡାକରା ଆସିଛି ଆମେରିକାରୁ । ଯୁକ୍ତରାଷ୍ଟ୍ରରେ ଥିବା ୭ଟି ଆଇଭି ଲିଗ୍ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ଡକରା ମିଳିଛି ।
ସିମନ ଦୁବାଇର ମାର୍ଦ୍ଦିଫ୍ରେ ଥିବା ଅପ୍ଟାଉନ୍ ସ୍କୁଲରୁ ଗତ ୯ ବର୍ଷ ଧରି ଏ’ ଗ୍ରେଡ୍ରେ ପାସ୍ କରି ଆସୁଛନ୍ତି । ଏବେ ତାଙ୍କୁ ଆଇଭି ଲିଗ୍ ସ୍କୁଲରୁ ଉଚ୍ଚଶିକ୍ଷା ପାଇଁ ଆମନ୍ତ୍ରଣ ଆସିଛି । ଏହି ଆଇଭି ଲିଗ୍ ସ୍କୁଲ ମଧ୍ୟରେ ରହିଛି ଡାର୍ଟ ମାଉଥ୍ କଲେଜ ଆଣ୍ଡ ଦି ୟୁନିଭରସିଟି ଅଫ୍ ପେନ୍ସିଲ୍ଭାନିଆ, ବାର୍କେଲର ୟୁନିଭର ସିଟି ଅଫ୍ କାଲିଫର୍ଣ୍ଣିଆ, ଜନ୍ ହପ୍କିନ୍ସ ୟୁନିଭରସିଟି, ଇମ୍ରି ୟୁନିଭରସିଟି, ଜର୍ଜ ଟାଉନ୍ ୟୁନିଭରସିଟି ଓ ଜର୍ଜ ୱାଶିଂଟନ ୟୁନିଭରସିଟି । ଦୁବାଇର ଏକ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ସିମନ ଜଣାଇଛନ୍ତି ଯେ, ଏହି ବିଶ୍ୱବିଦ୍ୟାଳୟଗୁଡିକରୁ ଆମନ୍ତ୍ରଣ ପାଇବା କ୍ଷେତ୍ରରେ କୌଣସି ଗୋପନ ରହସ୍ୟ ରହିଛି ବୋଲି ସେ ମନେ କରୁନାହାନ୍ତି ।
ସିମନ ଇତିମଧ୍ୟରେ ଏକ ପୁସ୍ତକ ରଚନା କରିଛନ୍ତି । ଭାରତରେ ହେଉଥିବା ଯୁବତୀ ଚାଲାଣ ଉପରେ ଆଧାରିତ ଏହି ପୁସ୍ତକ ‘ଦି ଗାର୍ଲ ଇନ୍ ଦି ପିଙ୍କ୍ ରୁମ୍’ ବେଶ୍ ଆଦୃତ ହୋଇଛି । ଏହି ପୁସ୍ତକଟି କେତେକ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସେମାନଙ୍କ ଗବେଷଣା ପାଇଁ ବ୍ୟବହାର କରୁଛନ୍ତି । ଏ ସମ୍ପର୍କରେ ଜାଣିବା ପରେ ଆମେରିକାର ଆଇଭି ଲିଗ୍ ବିଶ୍ୱବିଦ୍ୟାଳୟଗୁଡିକ ସିମନଙ୍କୁ ଛାତ୍ରୀ ହିସାବରେ ଗ୍ରହଣ କରିବାକୁ ଆଗ୍ରହ ଦେଖାଇଛନ୍ତି । ସିମନଙ୍କୁ ଆମନ୍ତ୍ରଣ କରିଥିବା ଏହି ଆମେରିକୀୟ ବିଶ୍ୱବିଦ୍ୟାଳୟଗୁଡିକରେ ଅନ୍ତର୍ଜାତୀୟ ସମ୍ପର୍କ ଏବଂ ଅର୍ଥନୀତି ଉପରେ ଉତ୍ତମ ଶିକ୍ଷା ଦିଆଯାଇଥାଏ । ସିମନ କହିଛନ୍ତି ଯେ, ଏହି ବିଷୟ ଉପରେ ଯେଉଁ ବିଶ୍ୱବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନର ସୁଯୋଗ ଥିବ ସେହି ଅନୁଷ୍ଠାନରେ ସେ ନାମ ଲେଖାଇବେ । ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସିମନଙ୍କର ପରାମର୍ଶ ହେଉଛି ମନ ଯାହା ଚାହୁଁଛି ତାହା କରିବା ଉଚିତ୍ । କୌଣସି ପଢୁଆ ପିଲା ଉପରେ ଜୋର କରି କିଛି ଲଦି ଦିଆଯିବା ଉଚିତ୍ ନୁହେଁ । ପିତାମାତାମାନେ ଏଥିପ୍ରତି ସଚେତନ ହେବା ଜରୁରୀ ବୋଲି ସିମନଙ୍କର ମତ ।
ସିମନର ଏହି ସଫଳତାକୁ ନେଇ ଅତ୍ୟନ୍ତ ଗର୍ବିତ ତାଙ୍କର ପିତାମାତା । ସିମନଙ୍କ ବାପା କୁହନ୍ତି, ତାଙ୍କ ଝିଅର ଶିକ୍ଷା ସେମାନଙ୍କ ପାଇଁ ଏକ ବଡ଼ ଉଦାହରଣ । ଆମେ କୌଣସି ଦିନ ସିମନ ଉପରେ ପାଠ ଲଦି ଦେବାକୁ ଚେଷ୍ଟା କରିନାହୁଁ । ସେ ନିଜ ଇଚ୍ଛା ମୁତାବକ ପଢାଶୁଣା କରିଛି । ଛାତ୍ରଛାତ୍ରୀମାନେ ଯଦି ଚେଷ୍ଟା କରିବେ, ତେବେ ସେମାନେ ନିଜ ଲକ୍ଷ୍ୟରେ ନିଶ୍ଚୟ ପହଞ୍ôଚପାରିବେ । ସେମାନଙ୍କର ସେହି ସାଫଲ୍ୟକୁ ବାପାମାଆ ଅର୍ଥ ବିନିମୟରେ କିଣିପାରିବେ ନାହିଁ ।