ଅସହାୟକୁ ସହାୟତାର ହାତ ବଢାଇଲା ପ୍ରଶାସନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ପୋଡାପଦର ଗ୍ରାମର ରାସ୍ତା କଡରେ ଜୀବନ କାଟୁଥିବା ୬ ହରିଜନ ପରିବାରଙ୍କ ଉପରେ ଆଜି ପ୍ରଶାସନିକ ଅଧିକାରୀମାନଙ୍କ ନଜର ପଡିଲା । ଏହି ୬ ପରିବାର ବାରମ୍ବାରା ଜିଲ୍ଲାପ୍ରଶାସନ ଦ୍ୱାରସ୍ଥ ହୋଇଥିଲେ ଖଣ୍ଡିଏ ଖଣ୍ଡିଏ ଘର ପାଇଁ । ମାତ୍ର ବହୁ ବର୍ଷ ପରେ ତାଙ୍କୁ ଏହି ପ୍ରଶାସନିକ ଅଧିକାରୀ ମାନେ ଶାହା ହେଲେ । ଏହି ୬ ପରିବାର ଗ୍ରାମୀଣ ଗୃହ ଯୋଜନାରେ ଗୃହ ଯୋଗାଇଦେବା ନିମନ୍ତେ ଆବେଦନ ପତ୍ର ଦେଉଥିଲେ । ସେମାନଙ୍କର ଜାଗା ନଥିବାରୁ ସେମାନେ ଏଥିରୁ ବଞ୍ଚିତ ହେଉଥିଲେ । ସୋମବାର ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ଓ ତହସିଲଦାର ନୀଳମାଧବ ଭୋଇ ସେହି ରାସ୍ତାରେ ଗଲାବେଳେ ରାସ୍ତାକଡରେ ଥିବା ହରିଜନ ପରିବାରଙ୍କ ଉପରେ ନଜର ପଡିଥିଲା । ଦୀର୍ଘ ବର୍ଷ ହେଲା ଗ୍ରାମୀଣ ଆବାସ ଯୋଜନାରେ ସାମିଲ ନ ହୋଇପାରି ଏହି ୬ ଟି ପଛୁଆବର୍ଗର ପରିବାର ରାସ୍ତାକଡରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି ବୋଲି ଉଭୟ ଅଧିକାରୀଙ୍କୁ ଗୁହାରୀ କରିଥିଲେ । ସାରା ଦିନ ରାସ୍ତାକଡ ଅସ୍ଥାୟୀ କୁଡିଆ ଭିତରେ ଖଜୁରୀ ଝାଡୁ ବିକ୍ରି କରି ପ୍ରତିପୋଷଣ କରୁଛୁ । ବର୍ଷସାରା ପ୍ରାକୃତିକ ବିପର୍ୟ୍ୟୟ ଭୟ । ଏଭଳି ସଂଘର୍ଷମୟ ଜୀବନ କାଟୁଥିବା ସମ୍ବନ୍ଧରେ ପରିବାର ଲୋକେ କହିଥିଲେ । ଗୃହ ଖଣ୍ଡିଏ ମାଗିଲେ ପ୍ରଶାସନିକ ଅଧିକାରୀମାନେ ଜମି କିଣିବାକୁ କହୁଛନ୍ତି । ନିଜ ପାଇଁ ଦୁଇ ଓଳା ଦାନା ଯୋଗାଡ କରିପାରୁ ନଥିବା ବେଳେ ଜମି କେଉଁଠୁ ଆଣିପାରିବୁ ଏଣୁ ଭାଗ୍ୟକୁ ନିନ୍ଦୀ ନିଜର ପରିବାରକୁ ଧରି ଦୁର୍ଦ୍ଦିନରେ ଦୀନ କାଟୁଥିବା କଥା ଅଧିକାରୀଙ୍କୁ କହିଥିଲେ । ଛତ୍ରପୁର ତହସିଲଦାର ଶ୍ରୀ ଭୋଇ ଉକ୍ତ ୬ ଜଣ ପରିବାରଙ୍କୁ ଏକମାସ ମଧ୍ୟରେ ଜମି ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ବିଡିଓ ଶ୍ରୀ ଦାଶ ସେମାନଙ୍କୁ ଗୃହ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।


