ଅସହାୟଙ୍କ ସାହାରା ହେଲେ ଯୁବ ସଂଗଠନ କଲେ ଶବ ସତ୍କାର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିଠାରେ ମଙ୍ଗଳବାର ଦିନ ଜଣେ ଅସହାୟ ପରିବାରର ସାହାରା ହେଲେ ଜଣାଶୁଣା ଯୁବ ସଂଗଠନ ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟମାନେ। ବିନା ଦ୍ୱିଧାରେ ଜଣେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଯୁବ ସ୍ୱେଚ୍ଛାସେବୀ ମାନଙ୍କର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି।ଖବର ପ୍ରକାରେ, ଚକାପାଦ ବ୍ଳକ ଅନ୍ତର୍ଗତ ଘୁଡ଼ୁକାପଦର ଗ୍ରାମରେ ରହୁଥିବା କେ. ଗୌର ଚନ୍ଦ୍ର ପାତ୍ର(୬୪) ରାତ୍ରରେ ହଠାତ୍ ଗୁରୁତର ହୋଇ ପଡିଥିବାରୁ ପରିବାରର ସଦସ୍ୟମାନେ ଚିକିତ୍ସା ପାଇଁ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସିତ ଅବସ୍ଥାର ମଙ୍ଗଳବାର ସକାଳ ପ୍ରାୟ ୪ଟାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇ ଥିଲା। ତେବେ ଶବକୁ ଘରକୁ ନେବା ପାଇଁ ଟଙ୍କା ନଥିବା ବେଳେ ଶବଦାହ ପାଇଁ ମଧ୍ୟ ସ୍ୱର୍ଗତ ପାତ୍ରଙ୍କ ସ୍ତ୍ରୀ ଓ ଅନ୍ୟ ସମ୍ପର୍କିୟ ମାନେ ଅସହାୟ ହୋଇ ପଡିଥିଲେ। ଏନେଇ ଅସହାୟ ପରିବାର ଟିକାବାଲି ଟିମ୍ ହ୍ୟୁମାନିଟ୍ କନ୍ଧମାଳର ସଦସ୍ୟମାନଙ୍କୁ ଅବଗତ କରିବା ସହିତ ସହଯୋଗ ପାଇଁ ନିବେଦନ କରିଥିଲେ । ନିବେଦନ ପ୍ରକାରେ,ଖବର ପାଇଁ ତୁରନ୍ତ ଟିମର ସଦସ୍ୟ ହିରୋ ନାୟକ, ସନ୍ତୋଷ ସୁବୁଦ୍ଧି, ନିଳ ମାଧବ ପାତ୍ର, ସଂଜିବ ମିଶ୍ର, ଶିବ ସେନାପତି ଓ ଅନ୍ୟମାନେ ଡ଼ାକ୍ତରଖାନାରେ ପହଞ୍ଚି ସମସ୍ତ କାଗଜପତ୍ର କାମ ସରିବା ପରେ ଶବକୁ ଗ୍ରହଣ କରିବା ସହିତ ଟିକାବାଲି ସ୍ଥିତ ସାଲୁଙ୍କିନଦୀ ସ୍ମସାନରେ ଦାହ କରିଥିଲେ। ମୃତକଙ୍କ ଜଣେ ସମ୍ପର୍କିିୟ ଏଥିରେ ସାମିଲ୍ ହୋଇ ମୁଖାଗ୍ନି ଦେଇଥିଲେ। ମୃତକ ଜଣକ ଜଣେ ବୁଲା ବ୍ୟବସାୟୀ ଓ ଦୀର୍ଘଦିନ ହେଲା ସେ ଘୁଡ଼ୁକାପଦର ଅଞ୍ଚଳରେ ବସବାସ କରୁଥିଲେ।