ଅସହାୟ ଛାତ୍ରଛାତ୍ରୀଙ୍କୁ ମିଳୁନି ପୋଷାକ କିନ୍ତୁ ଜଙ୍ଗଲରେ ଫୋପଡ଼ା ଯାଉଛି
କରଞ୍ଜିଆ, (ଜିତେନ୍ଦ୍ର ରାଜ):କାହାକୁ ମିଳୁନି କିନ୍ତୁ କୋଉଠି ଫୋପାଡା ଯାଉଛି। ଆଜ୍ଞା ଅସହାୟ ପିଲାଙ୍କୁ ଡ୍ରେସ ଖଣ୍ଡେ ମିଳିବା ସାତ ସପନ। କିନ୍ତୁ ସର୍ବଶିକ୍ଷା ଅଭିଯାନରେ ବଣ୍ଡାଯିବାକୁ ଥିବା ଡ୍ରେସ ଜଙ୍ଗଲର ପଡୁଛି। ଏଭଳି ଘଟଣା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ। ପ୍ୟାକେଟ ଖୋଲି ନଥିବା ଏତେ ଗୁଡିଏ ନୂଆ ପୋଷାକ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଅଧିକାଂଶ ପରିବାର ଗରିବ ସୀମାରେଖା ତଳେ ରହୁଛନ୍ତି। ଶିକ୍ଷା କ୍ଷେତ୍ରରେ ସେମିତି ଆଖିଦୃଶିଆ ଅଭିବୃଦ୍ଧି ଘଟିନାହିଁ।ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବହୁତ କମ ରହୁଥିବା ଦେଖିବାକୁ ମିଳୁଛି। ସେହିଭଳି ଡ୍ରପଆଉଟ ପିଲାଙ୍କ ସଂଖ୍ୟା ନେଇ ଉଦବେଗ ବୃଦ୍ଧି ପାଉଛି। ବିଦ୍ୟାଳୟରେ ପଢ଼ିବା ପାଇଁ ସରକାର ମଧ୍ୟାହ୍ନ ଭୋଜନ, ପୋଷାକ, ଯୋତା ପ୍ରଭୃତି ବିନାମୂଲ୍ୟରେ ବିତରଣ କରୁଥିବା ବେଳେ ଏସମସ୍ତ ସୁବିଧା ବାସ୍ତବରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ପାଇଁ ବର୍ଷକୁ ଦୁଇହଳ ପୋଷାକ ଦିଆଯାଏ। କିନ୍ତୁ ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ରରୁଆଁ ଥାନା ପଛପଟେ ବନଦୁର୍ଗା ମନ୍ଦିରକୁ ଲାଗିରହିଥିବା ସଂରକ୍ଷିତ ଜଙ୍ଗଲରେ ଶିକ୍ଷା ଅଧିକାର, ସର୍ବଶିକ୍ଷା ଅଭିଯାନ ଲୋଗ ରହିଥିବା ହଜାର ହଜାର ନୂଆ ପୋଷାକ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି। ଏନେଇ ବୁଦ୍ଧିଜୀବୀ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କେଉଁ କାରଣରୁ ସରକାରୀ ବିଦ୍ୟାଳୟରେ ପଢୁଥିବା ଗରିବ ପିଲାଙ୍କ ପାଇଁ ଆସିଥିବା ଏତେ ପରିମାଣର ନୂଆ ପ୍ୟାକେଟରେ ଥିବା ଫ୍ରକ(ପୋଷାକ) ନଷ୍ଟ କରିବା ଉଦ୍ଦେଶ୍ୟ ବୁଝାପଡୁନାହିଁ। ଏସମ୍ପର୍କରେ ରରୁଆଁ ବିଇଓ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି କି ଫୋପାଡ଼ି ଦିଆଯାଇଥିବା ଡ୍ରେସ ଗୁଡିକ ୨୦୧୩/୧୪ ଓ ୨୦୧୪/୧ ୫ ବର୍ଷର ଏଗୁଡିକ କେଉଁ ସ୍କୁଲ ର ବା ଦୋକାନ ର ତାହା ଜଣାପଡ଼ୁନାହିଁ ଏଣୁ ସମସ୍ତ ସ୍କୁଲ ରୁ ତଥ୍ୟ ସଂଗ୍ରହ ପରେ ଡ୍ରେସ ଗୁଡିକ କୋଉଠୁ ଆସିଲା ଜଣାପଡିବ ଯଦି କୌଣସି ସ୍କୁଲ ର ହୋଇଥାଏ ତେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏଦିଗରେ ବିଭାଗୀୟ ଉଚ୍ଚ ଅଧିକାରୀ ତଦନ୍ତ କଲେ କିଏ କାହିଁକି ପୁଳା ପୁଳା ପୋଷାକ ବିତରଣ କରିବା ବଦଳରେ ଫୋପାଡି ଦେଇଛି ଜଣାପଡିବ।


