ଅସହାୟ, ଜରାଗ୍ରସ୍ତଙ୍କୁ ଶୀତବସ୍ତ୍ର ବଣ୍ଟନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବୌଦ୍ଧିକ ସମାବେଶ ଓଡ଼ିଶା ଓ ବିଜୁ ପଟ୍ଟନାୟକ କମ୍ପୁଟର ଶିକ୍ଷାକେନ୍ଦ୍ର ବମିଖାଲର ମିଳିତ ଆନୁକୂଲ୍ୟରେ ଡ଼େରାଶ ନିକଟ କଣ୍ଟାବାଡ଼ ଗ୍ରାମରେ ମହାନ୍ ସମାଜସେବୀ, ଶିକ୍ଷାବିତ୍ ସ୍ୱର୍ଗତ କାଳିପ୍ରସାଦ ସାମନ୍ତରାୟଙ୍କ ୫୯ତମ ଜୟନ୍ତୀ ଉପଲକ୍ଷେ ଅସହାୟ, ଜରାଗ୍ରସ୍ତ, ଦୁଃସ୍ଥ ପରିବାରବର୍ଗଙ୍କୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କମ୍ପୁଟର ଶିକ୍ଷାକେନ୍ଦ୍ରର ସଭାପତି ଭାଷାବିତ୍, ଶିକ୍ଷାବିତ୍, ସୀତାବଲ୍ଲଭ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଓ ବରେଣ୍ୟ ଅତିଥି ଭାବେ ଯୋଗଦେଇ ମାନବ ସେବା ହିଁ ମାଧବ ସେବା ଓ ସମସ୍ତେ ନିଜ ନିଜ ସ୍ତରର ସାମାଜିକ କାର୍ଯ୍ୟ କରିବାକୁ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ବୌଦ୍ଧିକ ସବାବେଶର ଉପସଭାପତି ତଥା ସାମ୍ବାଦିକ ସୌଭାଗ୍ୟ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ସ୍ୱର୍ଗତ କାଳିପ୍ରସାଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ । ଗରିବ ଅସହାୟଙ୍କୁ କମ୍ପୁଟର ଶିକ୍ଷା, ନୈତିକ ଶିକ୍ଷା, ମାତୃଭାଷା ପାଇଁ କାର୍ଯ୍ୟ ଦରିଦ୍ର ନାରାୟଣ ସେବା ସ୍ୱାସ୍ଥ୍ୟସେବା, ସାମ୍ବାଦିକତା ଶିକ୍ଷା ସହିତ ବୃକ୍ଷ ରୋପଣ ଓ ରକ୍ତଦାନର ମହାନ କାଣ୍ଡାରୀ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ସଦସ୍ୟ ବିଜୟ ପରିଡ଼ା, ସଞ୍ଜୀବ ପର୍ଡା, ଶରତ ରାଉତ ପ୍ରମୁଖ ସହଯୋଗ କରିଥିବା ବେଳେ ଶିବ ପଟ୍ଟନାୟକ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ୍ର ତ୍ରିପାଠଈ ଜଣାଇଛନ୍ତି ।


