ଅସହାୟ ବିଶ୍ୱଜିତଙ୍କୁ ସହାୟ ହେଲେ ସରକାର

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମର ନକୁଳ ମଳିକଙ୍କ ପୁଅ ବିଶ୍ୱଜିତ ମଳିକ । ତିନିବର୍ଷ ତଳେ ଡ଼ମ୍ଫର ଧକ୍କାରେ ତାଙ୍କର ଡ଼ାହାଣଗୋଡ଼ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ବିଶ୍ୱଜିତଙ୍କ ପରିବାର ଅତ୍ୟନ୍ତ ଗରିବ ଓ ଅସହାୟ ହୋଇଥିବାରୁ ଠିକ୍ ଭାବେ ଚିକିତ୍ସା କରିପାରୁ ନଥିଲେ । ବାପା ନକୁଳ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ପରିବାରରେ ସଦସ୍ୟଙ୍କ ସଂଖ୍ୟା ୭ । ଏପରି ଅବସ୍ଥାରେ ଘର ଚଳାଇବା ବଡ କଷ୍ଟକର ହେଉଥିଲା । ବିଶ୍ୱଜିତଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବାରେ ଅସମର୍ଥ ଥିଲେ ନକୁଳ । ସ୍ୱେଚ୍ଛାସେବୀ ସଂଗଠନ ଆଶାର ଦିଶା ଫାଉଣ୍ଡେସନ, ଚଣ୍ଡିଖୋଲ ଶାଖାର ମୁଖ୍ୟ ସଂଯୋଜକ ସର୍ବେଶ୍ୱର ବାରିକ ବିଶ୍ୱଜିତଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇଥିଲେ । ସଂଗଠନର ଜିଲ୍ଲା ସଦସ୍ୟ ଯଶୋବନ୍ତ ଦାସ ବିଶ୍ୱଜିତ ମଳିକଙ୍କ ଚିକିତ୍ସା ପାଇଁ ସରକାରଙ୍କୁ ଟ୍ୱିଟର ମାଧ୍ୟମରେ ଜଣାଇଥିଲେ । ଏହାପରେ ସରକାର ସହାୟତା କରିବାକୁ ଆଗେଇ ଆସିଥିଲେ । ସଂଯୋଜକ ସର୍ବେଶ୍ୱର ବାରିକ, ଜିଲ୍ଲା ସଭାପତି ମୁନା ବିଶ୍ୱାଳ ବିଶ୍ୱଜିତଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପରେ ସରକାରଙ୍କ ତରଫରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ଲାଗି ପଠାଯାଇଥିଲା । ଚଳିତମାସ ୧୮ରେ ବିଶ୍ୱଜିତଙ୍କ ସଫଳ ଭାବେ ଅସ୍ତ୍ରୋପଚାର ହୋଇଥିଲା । ବର୍ତ୍ତମାନ ବିଶ୍ୱଜିତ ସୁସ୍ଥ ଅଛନ୍ତି ଏବଂ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଫଳରେ ପରିବାରରେ ପୁଣି ଖୁସି ଫେରିଆସିଛି । ବିଶ୍ୱଜିତଙ୍କ ସାଥୀରେ ରହି ତାଙ୍କୁ ଦିଶା ଦେଖାଇଥିବା ଆଶାର ଦିଶା ଟିମ୍ ସହାୟତା ଲାଗି ଓଡ଼ିଶା ସରକାର, ଯାଜପୁର ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସଂଗଠନର ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ଓଝା, ସଭ୍ୟ ସମ୍ବିତମାହାଲା, ଜୀବନଜ୍ୟୋତି ସାହୁ, ସୁଧାଂଶୁ ସାମନ୍ତରାୟ, ଅରୁପ ଜେନା, ପ୍ରିୟରଞ୍ଜନ ମାହାଲା, ସମ୍ବିତ ରାଉତ, ମାନସ ରଞ୍ଜନ ଖଣ୍ଡାଇ, ଧୀରେନ ରାଉତରାୟ, ତନ୍ମୟ ସାମନ୍ତରାୟ ଓ ସଂଗଠନର ରାରଜ୍ୟ ସଂଯୋଜକ ପ୍ରସନ୍ନ ପାଣି ପ୍ରମୁଖ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ