ଅସହାୟ ମହିଳାଙ୍କୁ ରକ୍ତଦାନ କଲେ ଯୁବ କାଉନସିଲର୍
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା କଂସାରୀ ସାହିର ହରିରାମ ପାତ୍ରଙ୍କ ସ୍ତ୍ରୀ ଜୟନ୍ତୀ ପାତ୍ର ଗତ କିଛି ଦିନ ହେବ ରକ୍ତ ହୀନତା ରୋଗରେ ଆକ୍ରାନ୍ତ ହୋଇ ହାତ, ଗୋଡ଼, ମୁହଁ ଫୁଲିଯିବା ସହ ରକ୍ତ ଦେବା ପାଇଁ ପରିବାରରେ କେହି ସକ୍ଷମ ନଥିବାରୁ ସେ ମେଡିକାଲ୍ କୁ ଯାଇପାରୁନଥିଲେ I କିନ୍ତୁ ଅବସ୍ଥା ଗୁରୁତର ହେବାରୁ 15 ତାରିଖ ଦିନ ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳାୟରେ ଭର୍ତ୍ତି ହୋଇଥିଲେ I ସେଠାରେ ତାଙ୍କର ରକ୍ତରେ ହିମୋଗ୍ଲୋବିନ୍ ସ୍ତର ମାତ୍ର 5. ପଏଣ୍ଟ୍ ଥିବା ଜଣା ପଡ଼ିଥିଲା I ତେଣୁ ତାଙ୍କୁ ତୁରନ୍ତ ରକ୍ତ ଆଣିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ I ଏଥିରେ ସେ ଅସହାୟତା ପ୍ରକାଶ କରିବା ସହ ସମ୍ବାଦ-ଆମ ଓଡ଼ିଶା ସଂଯୋଜକ ପ୍ରଦ୍ୟୁମ୍ନ ପାତ୍ର ଏବଂ ଆମ ପୋଲିସ୍ ସମିତି ଅଧ୍ୟକ୍ଷ ତଥା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ସହ ଯୋଗାଯୋଗ କରିଥିଲେ I ଉଭୟେ ଭଞ୍ଜନଗର ରକ୍ତଭଣ୍ଡାର ସହ ଯୋଗାଯୋଗ କରି ଜୟନ୍ତୀଙ୍କ ପାଇଁ ଦୁଇ ୟୁନିଟ୍ ଏ ପଜିଟିଭ ରକ୍ତର ବ୍ୟବସ୍ଥା କରିଦେଇଥିଲେ I କିନ୍ତୁ ଦୁଇ ୟୁନିଟ୍ ରକ୍ତ ନେଲା ପରେ ମଧ୍ୟ ଜୟନ୍ତୀଙ୍କ ହିମୋଗ୍ଲୋବିନ୍ ସ୍ତର ସ୍ଵାଭାବିକ୍ ହୋଇପାରିନଥିଲା I ତେଣୁ ଅନ୍ତତଃ ଆଉ ଗୋଟିଏ ୟୁନିଟ୍ ରକ୍ତ ନେଲା ପରେ ହିଁ ଜୟନ୍ତୀଙ୍କ ଚିକିତ୍ସା ସମ୍ଭବ ବୋଲି ଡାକ୍ତର ପ୍ରକାଶ କରିଥିଲେ I କିନ୍ତୁ ଭଞ୍ଜନଗର ରକ୍ତଭଣ୍ଡାରରେ ଆଉ ଅଧିକ ଏ ପଜିଟିଭ ରକ୍ତ ନଥିବାରୁ ରକ୍ତ ଭଣ୍ଡାରରୁ ଜୟନ୍ତୀଙ୍କୁ ରକ୍ତ ଯୋଗାଇ ଦିଆଯାଇ ପାରିନଥିଲେ I ଏ ସଂକ୍ରାନ୍ତରେ ଖବର ପାଇ ବେଲଗୁଣ୍ଠା ଦୁଇ ନମ୍ବର୍ କାଉନସିଲର୍ ତଥା ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସଂପାଦକ ଦିବ୍ୟ ରଞ୍ଜନ ଦାଶ ସମ୍ବାଦ-ଆମ ଓଡ଼ିଶା ସଂଯୋଜକ ପ୍ରଦ୍ୟୁମ୍ନ ପାତ୍ରଙ୍କ ସହ ଯୋଗାଯୋଗ କରି ଭଞ୍ଜନଗର ମେଡିକାଲ୍ ରେ ପହଞ୍ଚି ଜୟନ୍ତୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ I ତାଙ୍କର ଏ ପଜିଟିଭ ରକ୍ତ ଥିବାରୁ ଦିବ୍ୟ ରଞ୍ଜନ ନିଜେ ରକ୍ତଦାନ କରିବା ପରେ ଜୟନ୍ତୀଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା I ଜୟନ୍ତୀଙ୍କୁ ରକ୍ତ ଦେବା ପରେ ଏହା ତାଙ୍କର 28 ତମ ରକ୍ତଦାନ ବୋଲି ଶ୍ରୀ ଦାଶ ପ୍ରକାଶ କରିଥିଲେ I ଦିବ୍ୟ ରଞ୍ଜନ ପୂର୍ବରୁ ବିଭିନ୍ନ ରକ୍ତଦାନ ଶିବିରରେ ସ୍ଵେଚ୍ଛାକୃତ ରକ୍ତଦାନ କରୁ୍ଥିବା ବେଳେ ଏବେ ସେ ନିୟମିତ ଭାବେ ବିଭିନ୍ନ ରୋଗୀଙ୍କୁ ରକ୍ତ ଦେଇ ଆସୁଛନ୍ତି I ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି I