ଅସହାୟ ହୋଇ ପଡିଛି ଆରତୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ହରିଜନ ସାହି ରେ ରୁହନ୍ତି ଆରତୀ ନାଇକ।ବୟସ ମାତ୍ର ୧୨ ବର୍ଷ।ଜନ୍ମ ହେବାର କିଛି ଦିନ ପରେ ନିଜ ମାଆଙ୍କୁ ହରାଇ ବସିଲା ଆରତୀ। ସେ ଦଶ ମାସର ହୋଇଥିବା ବେଳେ ଏକାକରି ବାପା ବି ଚାଲିଗଲେ ଆରପାରିକୁ । ଏତିକି ରେ ଦୁଃଖ ସରିନଥିଲା ଆରତୀର। ପିଉସା ପିଉସୀଙ୍କ ପାଖରେ ନିଜର ଆଶା ବାନ୍ଧି ବଞ୍ଚିଥିଲା ଆରତୀ କିନ୍ତୁ ଭାଗ୍ୟର ବିଡମ୍ବନା ୨ ବର୍ଷତଳୁ ସେମାନେ ମଧ୍ୟ ଚାଲିଗଲେ ଆରପାରିକୁ। ଭଗବାନ ଏହି ଶେଷ ଆଶା ମଧ୍ୟ ଚଢାଇନେଲେ ଆରତୀ ପାଖରୁ।ମାନସିକ ଭାବେ ଆଘାତ ପାଇ ଆରତୀ ପାଲଟି ଯାଇଛି ବିକୃତ ମସ୍ତିସ୍କ। ଜୀବନ ଯୁଦ୍ଧରେ ଏକା ହୋଇଯାଇଥିବା ବେଳେ ସାହି ପଡିଶାଙ୍କ ଉପରେ ନିର୍ଭର କରି ବଞ୍ଚି ରହିଛି ଆରତୀ।ଏବେ ଆରତୀର ଦେଖାଶୁଣା କରିବାକୁ ପାଖରେ କେହିନାହଁନ୍ତି। ଗୋଟେ ବଖରା ଭଙ୍ଗା ଘରେ ବିତୁଛି ଜୀବନ। କଥା ବି କହି ପାରୁନି। ଜନ୍ମରୁ ଅପସ୍ମାର ରୋଗରେ ପୀଡିତ। କେତେବେଳେ ମୂର୍ଚ୍ଛା ହୋଇଯାଉଛି ତ କେତେବେଳେ ପାଗଳିଙ୍କ ଭଳି ଆଚରଣ ଦେଖାଉଛି। ଯେତେ ଯାହା ହେଲେ ବି ନିଜେ ଦୁଇମୁଠା ହାତରେ ଖାଉଛି। ପିଇବା ପାଇଁ ପାଣି ନିଜେ ଆଣୁଛି। ସେପଟେ ସାହିପଡ଼ିଶା ଯିଏ ଯାହା ଦେଲା ଖାଇକି ଶୋଉଛି ନ ହେଲେ ସେମିତି ଶୋଇ ପଡୁଛି। ପାଖରେ କେହି ନଥିବାରୁ ଆରତୀର ଚିକିତ୍ସା ବି ହୋଇପାରୁନି। ଗ୍ରାମବାସୀଙ୍କ ମତରେ, ସେ ନିଜର ଯତ୍ନ ନେଇପାରୁନି, ଆମେ ସମସ୍ତେ ନିଜ ପରିବାର କାମରେ ବ୍ୟସ୍ତ। କୁଲି ମଜୁରୀ କଲେ ଆମ ପରିବାର ଚାଲୁଅଛି। ଆମେ ତାର ଦାୟିତ୍ଵ ନେଇ ପାରୁନୁ ଯଦି ସରକାର ତାକୁ କୋଉ ଅନାଥ ଆଶ୍ରମ ରଖିବେ। ନହେଲେ କୌଣସି ପାଗଳ ଡାକ୍ତରଖାନାରେ ନେଇ ଚିକିତ୍ସା ଯଦି କରନ୍ତି ତାହେଲେ ଆରତୀ ଭଲ ହୋଇପାରନ୍ତା ଏବଂ ପୁଣିଥରେ ଆରତୀ ସୁନ୍ଦର ଜୀବନ ପାଇ ପାରନ୍ତା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ