ଅସହ୍ୟ ହେଲା ପୁଅର ନିର୍ଯ୍ୟାତନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ପୁଅର ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ବୃଦ୍ଧା ମା’ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିବା ଦେଖାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଥାନା ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମର ସ୍ୱର୍ଗତ ବୈଷ୍ଣବ ଚରଣ ବେଦାନ୍ତଙ୍କ ପତ୍ନୀ ତଥା ୮୦ବର୍ଷର ବୃଦ୍ଧା ତାରେଣୀ ବେଦାନ୍ତ ଅଭିଯୋଗ କରିଛନ୍ତି ଯେ ୩୦ବର୍ଷ ହେବ ତାଙ୍କ ସ୍ୱାମୀଙ୍କ ବିୟୋଗ ପରେ ବହୁ ଦୁଃଖ କଷ୍ଟରେ ସେ ୩ଝିଅ ମଧ୍ୟରୁ ୨ଟି ଝିଅଙ୍କୁ ବିବାହ କରିବା ପରେ ଏକମାତ୍ର ପୁଅ ରବିନ୍ଦ୍ରକୁ ବଢାଇ ଥିଲେ । ୨୦ବର୍ଷ ହେବ ପୁଅର ବିବାହ ପରେ ରବିନ୍ଦ୍ର ମା’ ତାରେଣୀଙ୍କୁ ମାଡମାରି ଘରୁ ବାହାର କରିଦେଇଥିଲେ । ତାରେଣୀ ତାଙ୍କ ବାପାଙ୍କର ଏକମାତ୍ର ଝିଅ ହୋଇଥିବାରୁ ବାପା ମାଣେ ୧୫ଗୁଣ୍ଠ ଜମିକୁ ତାରେଣୀଙ୍କ ପୁଅ ରବିନ୍ଦ୍ରଙ୍କ ନାମରେ ଦତ୍ତପତ୍ର କରିଦେଇଥିଲେ । ଏତଦବ୍ୟତିତ ତାରେଣୀଙ୍କ ସ୍ୱାମୀଙ୍କର ୨୦ଗୁଣ୍ଠ ପୈତୃକ ସମ୍ପତ୍ତି ଥିବାବେଳେ ତାରେଣୀ ଅନ୍ୟ ୩ଗୁଣ୍ଠ ଜମି ପୁଅ ରବିନ୍ଦ୍ର ନାମରେ କିଣିଥିଲେ । ମାତ୍ର ଏସମସ୍ତ ସମ୍ପତ୍ତି ପୁଅ ରବିନ୍ଦ୍ର ନାମରେ କରିଦେବା ପରେ ବୃଦ୍ଧା ତାରେଣୀ ଉପରେ ନିର୍ଯ୍ୟାତନା ଦିନକୁ ଦିନ ବଢିବାରେ ଲାଗିଲା । ତାରେଣୀ ବାଧ୍ୟ ହୋଇ ସାନ ଝିଅ ରେବତୀ ଘରେ ଶ୍ୟାମସୁନ୍ଦର ପଞ୍ଚାୟତର ଖଣ୍ଡିଆବନ୍ଧ ଗ୍ରାମରେ ଦୀର୍ଘ ୨୦ବର୍ଷ ଧରି ରହି ଆସୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେ ଘରକୁ ଗଲେ ପୁଅ ତାଙ୍କୁ ମାଡଗାଳି ଦେଇ ବାହାର କରିଦେଉଥିବାରୁ ସେ ଏସମ୍ପର୍କରେ ଡେରାବିଶ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସେ ନ୍ୟାୟ ପ୍ରଦାନ ଦାବିରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତାରେଣୀଙ୍କ ସହ ତାଙ୍କର ଦୁଇ ଝିଅ ମଧ୍ୟ ଧାରଣାରେ ବସିରହିଛନ୍ତି । ତାଙ୍କୁ ନ୍ୟାୟ ପ୍ରଦାନ କରାନଗଲେ ସେ ଆତ୍ମହତ୍ୟା କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ