ଅସାଧୁ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ
ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତଶିଳ୍ପୀଙ୍କ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରଛନ୍ତି । ହେଲେ ଏହାର ସୁଫଳ ତଳସ୍ତରରେ ଥିବା କାରିଗରଙ୍କ ନିକଟରେ ପହଁଚିପାରୁନି । କେତକ ଦୁର୍ନିତିଗ୍ରସ୍ତ ଓ ଅସାଧୁ ସରକାରୀ କର୍ମଚାରୀ ଏ କ୍ଷେତ୍ରରେ ବାଧକ ସାଜିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଯାଜପୁର ଜିଲ୍ଲାର ବହୁ ନିପୁଣ ହସ୍ତଶିଳ୍ପୀ ବା ମାଷ୍ଟର କ୍ରାଫ୍ଟସମ୍ୟାନ । ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏଥିପ୍ରତି ଯତ୍ନବାନ ହେବାସହ କାରିଗର ବିକାଶ ବିରୋଧୀ ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାର ହସ୍ତଶିଳ୍ପୀଗଣ ଦାବୀ କରିଛନ୍ତି । ସୂଚନା ଥାଉକି, ଓଡିଶା ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କରଙ୍କ ଅଧକ୍ଷ୍ୟତାରେ ଯାଜପୁର ରୋଡ ସ୍ଥିତ କାର୍ଯ୍ୟାଳୟରେ ଯାଜପୁର ଜିଲ୍ଲାର ପ୍ରମୁଖ ନିପୁଣ ହସ୍ତଶିଳ୍ପୀଙ୍କୁ ନେଇ ଏକ ବୈଠକ ବସିଥିଲା । ଏହି ବୈଠକରେ ଗତ ୧୮ ତାରିଖରେ ଲାଂଚ ନେଉଥିବାବେଳେ ଭିଜିଲାନସ ହାତରେ ଧରା ପଡିଥିବା ଯାଜପୁର ଜିଲ୍ଲା ହସ୍ତଶିଳ୍ପର ସହକାରୀ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଓ ଏମସିଏମ ଲକ୍ଷ୍ମୀପ୍ରିୟା ମହାରଣାଙ୍କ ଗିରଫଦାରୀକୁ ସ୍ୱାଗତ କରାଯାଇଥିଲା । ସେମାନଙ୍କୁ ମିଳିଥିବା ସରକାରୀ ତାଲିମର କଂଚାମାଲ ଓ ଉପକରଣ ବାବଦକୁ ମିଳିଥିବା ଅର୍ଥକୁ ପ୍ରଭାତ ମିଶ୍ର କିଭଳି ଧମକଚମକ ଦେଇ ଦୀର୍ଘ ଦିନ ହେବ ହଡପ କରୁଥିଲେ ସେ ସଂପର୍କରେ ଉପସ୍ଥିତ ନିପୂଣ ଶିଳ୍ପୀମାନେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ତତସହିତ ଲକ୍ଷ୍ମୀପ୍ରିୟା ମହାରଣାଙ୍କ ଭଳି ଅସାଧୁ ଅଧିକାରୀଙ୍କ ହାତବାରିସୀ ସାଜି ଅନ୍ୟ କାରିଗରଙ୍କୁ ହଇରାଣ ହରକତ କରୁଥିବା ଜିଲ୍ଲାର କେତକ ଶିଳ୍ପୀଙ୍କୁ ଆଜିର ବୈଠକରେ ଦୃଢ ନିନ୍ଦା କରାଯାଇଥିଲା । ଏହି ଅବସରରେ ଏମାନଙ୍କୁ ଭିଜିଲାନସ ହାତରେ ଧରାଇବାରେ ସହଯୋଗ କରିଥିବା ବ୍ୟାସନଗର ପୈାର ପରିଷଦ ଅନ୍ତର୍ଗତ ପାଇକରାପୁର ଗ୍ରାମର କ୍ଳଥ ପ୍ୟାଚ ଓାର୍କ ଶିଳ୍ପୀ ଖଗେଶ୍ୱର ମଲ୍ଲିକ ଓ ବାଲିପାଟଣାର କଂସାପିତଳ ଶିଳ୍ପୀ କାର୍ତିକ ଚନ୍ଦ୍ର ମହାରଣାଙ୍କୁ ଫୁଲଗଛ ଓ ଉତରିୟ ଦେଇ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସଂବର୍ଦ୍ଧିତ କରାଯାଇଥିଲା । କୋଭିଡ କଟକଣା ହଟିବାପରେ ଯାଜପୁର ଜିଲ୍ଲାର ବୁଣାକାର ଓ ହସ୍ତଶିଳ୍ପୀଙ୍କୁ ନେଇ ଏକ କାରିଗର ସମାବେଶ ଆୟୋଜନ କରିବାକୁ ଆଜିର ବୈଠକରେ ନିଷ୍ପତି ନିଆଯାଇଛି । ଏହି ସମାବେଶର ସଫଳ ଆୟୋଜନ ପାଇଁ କାଇଁଚ ଶିଳ୍ପୀ ପ୍ରଶାନ୍ତ ବେହେରାଙ୍କ ଆବାହକତ୍ୱରେ ଏକ ସାତ ଜଣିଆ କମିଟି ଗଠନ କରାଯାଇଛି । ଆଜିର ବୈଠକରେ ରାଜ୍ୟ ସରକାରଙ୍କ ପୁରସ୍କାର ପ୍ରାପ୍ତ କାଇଁଚ ଶିଳ୍ପୀ ଦିପ୍ତିରାଣୀ ବେହେରା, କାଠ ଖୋଦେଇ ଶିଳ୍ପୀ କବିନ୍ଦ୍ର ମହାରଣା, ପଥର ଶିଳ୍ପୀ ଗୋବିନ୍ଦ ସାମଲ, କାଇଁଚ ଶିଳ୍ପୀ ଛାୟା ରାଉତ, ରୁନୁ ସେନାପତି, କୁନି ସେନାପତି, ଟେରାକୋଟା ଶିଳ୍ପୀ, ସହଦେବ ବେହେରା, ନରେନ୍ଦ୍ର ରଣା, ଚାନ୍ଦୁଆ ଶିଳ୍ପୀ ଗୀତାଂଜଳି ଦାସ, ଝିଲିରାନୀ ଦାସ, ସୀମା ପଣ୍ଡା ଓ ଶାନ୍ତିଲତା ବରାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ । ଶେଷରେ କ୍ଳଥ ପ୍ୟାଚ ଓାର୍କର ନିପୁଣା ମହିଳା ଶିଳ୍ପୀ କିଶତବାଳା ଖଣ୍ଡେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।