ଅସାନି ବର୍ଷାରେ ଉବୁଟୁବୁ ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ରାଜପଥ ନିର୍ମାଣକାରୀ ସଂସ୍ଥାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ଲଘୁଚାପ ଜନିତ ଅସାନି ବର୍ଷାରେ ଆଜି ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ ଉବୁଟୁବୁ ହୋଇଛି। ପୂର୍ବ ନିର୍ଦ୍ଧାରିତ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଭଣ୍ଡାରିପୋଖରୀ ଅଞ୍ଚଳରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ପରେ ପରେ ବର୍ଷାର ପରିମାଣ ବୃଦ୍ଧି ପାଇଥିବା ବେଳେ ଏଥିଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ପ୍ରାୟ ୩ଘଣ୍ଟା ଧରି ବର୍ଷା ଲାଗିରହିଥିବା ବେଳେ ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ ସମେତ ଆଖପାଖ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା। ବିଶେଷ କରି ବର୍ତ୍ତମାନ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଡିବିଏଲ କମ୍ପାନୀର ଭୁଲ କାମ ଯୋଗୁ ଭଣ୍ଡାରିପୋଖରୀ ବଜାର ଏବେ ଉବୁଟୁବୁ ହେଉଛି। ରାସ୍ତାର ଦୁଇ ପାର୍ଶ୍ଵରେ ଯଦିଓ ଜଳନିଷ୍କାସନ ପଥ ନିର୍ମାଣ ହୋଇଛି କିନ୍ତୁ ସଠିକ ଯାନ୍ତ୍ରିକ ଜ୍ଞାନକୌଶଳ ବିନା କାମ ହୋଇଥିବାରୁ ବର୍ଷା ଜଳ ନିଷ୍କାସନ ହେଉନଥିବା ଜଣାପଡିଛି। ଅସରାଏ ବର୍ଷା ହେଲେ ବସଷ୍ଟାଣ୍ଡ ଠାରୁ ବଜାର ମଧ୍ୟଭାଗ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏପରିକି ନିର୍ମାଣାଧୀନ ପୋଲ ତଳେ ବର୍ଷା ଜଳ ଜମି ରହୁଥିବା ବେଳେ ଏହା ପୋଖରୀର ଭ୍ରମ ସୃଷ୍ଟି କରୁଛି। ଜଳନିଷ୍କାସନ ପଥ ଦେଇ ସମତଳରୁ ପାଣି ଯାଉନଥିବା ବେଳେ ଲୋକମାନେ ଯାତାୟତ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଛଡା ଇଲେକ୍ଟ୍ରି ଅଫିସ ଠାରୁ ନୂତନ ଭାବେ ତିଆରି ହୋଇଥିବା ବାଇପାସ ରାସ୍ତା ବର୍ଷାରେ ଧୋଇଯାଇଥିବା ଦେଖିବାକୁ ମିଳିଛି। ସାଧାରଣ ଯାତାୟତକୁ ଛାଡିଦେଲେ ଦମକଳ କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ୧୦୮ ଓ ୧୦୨ ଗାଡି ବଜାର ମଧ୍ୟକୁ ପ୍ରବେଶ କରିବା ଅସମ୍ଭବ ହୋଇପଡିଛି। ଆଗକୁ ବର୍ଷା ଦିନ ଆସୁଥିବାରୁ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏହା ଉପରେ ବିଭାଗୀୟ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ