ଅହଂଭାବ ତ୍ୟାଗ କରି ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କଲେ ମନୁଷ୍ୟର ବିକାଶ ହୋଇପାରିବ : ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌):ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ଉତ୍କଳ ମଣ୍ଡପ ଠାରେ ଶ୍ରୀମଦ୍ ଭଗବତ ଗୀତା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗୀତା ସମଗ୍ର ଜାତି ପାଇଁ ଏକ ଉପାଦେୟ ଗ୍ରନ୍ଥ । ଦୈନନ୍ଦିନ ଜୀବନରେ ଗୀତା ପଠନର ମାହାତ୍ମ୍ୟ ଏବଂ ଗୀତାର ବାଣୀ ଅନୁସରଣ କରି ଜଣେ ସାଧାରଣ ବ୍ୟକ୍ତି କିପରି ଅସାଧାରଣ ଭଗବତପୁରୁଷ ହୋଇପାରିବ ସେ ସଂପର୍କରେ ପୁଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ଆଲୋକପାତ କରିଛନ୍ତି । ‘କାହା ଦ୍ୱାରା ପରିଚାଳିତ ହୋଇ ମନୁଷ୍ୟ ସବୁ ଜାଣି ଅଧର୍ମ କରିଚାଲେ’ ଶ୍ରୀମଦ ଭଗବତ ଗୀତାର ତୃତୀୟ ଅଧ୍ୟାୟ କର୍ମଯୋଗରେ ଅର୍ଜ୍ଜୁନଙ୍କ ଏହି ପ୍ରଶ୍ନରେ ଭଗବାନ କିପରି ଅତି ସରଳ ଭାବେ ବାଖ୍ୟା କରିଛନ୍ତି ସେ କଥାକୁ ପ୍ରଜ୍ଞାନାନନ୍ଦ ବୁଝାଇଥିଲେ । ପ୍ରଜ୍ଞାନାନନ୍ଦ କହିଛନ୍ତି ଯେ, ପାପ ମନୁଷ୍ୟକୁ ଅଧପତନ କରାଏ ଏବଂ ପୂଣ୍ୟ ମନୁଷ୍ୟକୁ ବିକଶିତ କରାଏ । କିନ୍ତୁ ଆଜିର ମନୁଷ୍ୟ ସବୁ ଜାଣିଶୁଣି ଅଧର୍ମ କରିଚାଲିଛି । ମନୁଷ୍ୟ ଶରୀରରେ ରଜଗୁଣ ଜାତ ହେଲେ ତାହା କାମନା ଏବଂ ପରେ ଏହା କ୍ରୋଧର ରୂପ ନିଏ । ଏହାକୁ ବୁଝି ମନୁଷ୍ୟ ବିବେକାନୁଯାୟୀ ସତକର୍ମ କରିବା ସହ ବିନମ୍ରତା ଗୁଣକୁ ଆପଣାଇଲେ ମନ ଭିତରୁ ଅହଂ ଭାବ ଦୂର କରିପାରିବ । ମନୁଷ୍ୟ ଅହଂ ଭାବ ତ୍ୟାଗ କରି ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କଲେ ନିଜର ବିକାଶ କରିବା ସହ ସମଗ୍ର ବିଶ୍ୱର ବିକାଶ କରିଥାଏ । ଭଗ ଅର୍ଥ ହେଉଛି ପ୍ରକୃତି । ଯିଏ ପ୍ରକୃତି ଧାରଣ କରିଛନ୍ତି ସେ ହେଉଛନ୍ତି ଭଗବାନ । ସମଗ୍ର ସମାଜ ଭଗବାନଙ୍କ ଠାରୁ ସୃଷ୍ଟି । କିନ୍ତୁ ମନୁଷ୍ୟ ସଭ୍ୟତା ଏବଂ ପ୍ରଗତି ନାଁ ରେ ପ୍ରକୃତିକୁ ନଷ୍ଟ କରିବାରେ ଲାଗିଛି । ମନୁଷ୍ୟ ଗୋ ବଂଶ ବୃଦ୍ଧି ନକରି ଗୋ ମାତା ଉପରେ ଅତ୍ୟାଚାର କରଚାଲିଛି । ଗୋ ବଂଶ ବୃଦ୍ଧି ଏବଂ ନଷ୍ଟ ହେଉଥିବା ଦ୍ରବ୍ୟକୁ ପୁର୍ନବିନିଯୋଗ କଲେ ପ୍ରକୃତି ସନ୍ତୁଳିତ ହୋଇପାରିବ ବୋଲି ପ୍ରଜ୍ଞାନାନନ୍ଦ କହିଛନ୍ତି । କାର୍ଯ୍ୟକ୍ରମ ସଂଧ୍ୟାରେ ଗୁରୁଜୀ ପ୍ରଜ୍ଞାନାନନ୍ଦଙ୍କ ସହ ପୂର୍ବତନ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରା, ଆଇଏଫଏସ ଏମ୍ ଗୈରୀନାଥ, ଦେବବ୍ରତ ସ୍ୱାଇଁ, ଉମା ନନ୍ଦୁରୀ ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ଗୀତା ଜ୍ଞାନଯଜ୍ଞ ପ୍ରବଚନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରବଚନ ପୂର୍ବରୁ ଭଜନ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଜ୍ଞାନାନନ୍ଦଙ୍କ ଗୀତାଜ୍ଞାନକୁ ଶ୍ରବଣ କରିବା ସହ ଗୀତା ପାଠ କରିଥିଲେ । ଆସନ୍ତାକାଲି ଜାନୁଆରୀ ୭ ତାରିଖ ଦିନ କ୍ରିୟା ଯୋଗ ଦୀକ୍ଷା ଜୟଦେବବିହାର ସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଏଥି ସହ ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପ ଠାରେ ପ୍ରତିଦିନ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ଶ୍ରୀମଦ୍ ଭଗବତ ଗୀତା ପ୍ରବଚନ ଏବଂ ଆଧ୍ୟାତ୍ମିକ ବାଖ୍ୟା କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ