ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସଚେତନତା କର୍ମଶାଳା

ମାଓ ପ୍ରଭାବିତ ଅଂଚଳରେ ହିଂସାତ୍ମକ ଭାବନାଶୈଳୀର ପରିବର୍ତନ ସହ ଯୁବ ସମାଜକୁ ସମାଜର ମୁଖ୍ୟ ଧାରାରେ ସାମିଲ କରିବା ନେଇ ସାଂସ୍କୃତିକ କାର୍ଯ୍ୟକ୍ରମର ବିଶିଷ୍ଠ ଭୂମିକା ରହିଛି ବୋଲି ବହୁ ବକ୍ତା ମତବ୍ୟକ୍ତ କରିଛନ୍ତି । ଭୁବନେଶ୍ୱରଠାରେ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କଳାକାରମାନଙ୍କ ପାଇଁ ଆୟୋଜିତ ଦିନିକିଆ ସଚେତନତା କର୍ମଶାଳାରେ ଯୋଗଦେଇ ବକ୍ତାମାନେ ଏହି ମତବ୍ୟକ୍ତ କରିଛନ୍ତି । କର୍ମଶାଳାକୁ ଉଦଘାଟନ କରି ପୂର୍ବାଂଚଳ ପତ୍ର ସୂଚନା କାର୍ଯ୍ୟାଳୟ ମହାନିର୍ଦ୍ଦେଶକ ରବୀନ୍ଦ୍ରନାଥ ମିଶ୍ର କହିଛନ୍ତି ଯେ, ଲୋକକଳା ଜରିଆରେ ସଚେତନତା ସୃଷ୍ଟି ଏକ ବଳିଷ୍ଠ ମାଧ୍ୟମ । ମାଓ ପ୍ରବଣ ଅଂଚଳରେ କେବଳ ସଚେତନତା ଯୋଗୁ ହିଂସାକାଣ୍ଡ ହ୍ରାସ ପାଇବା ସହ ଅନେକ ଯୁବକଯୁବତୀ ସମାଜର ମୁଖ୍ୟଧାରାରେ ସାମିଲ ହେଉଛନ୍ତି । ଦେଶର ୧୦୬ଟି ଜିଲ୍ଲା ମାଓ ପ୍ରବଣ ଭାବେ ଚିହ୍ନଟ କରାଯାଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୧୯ ରହିଛି । ତେବେ ଉନ୍ନତ ଯୋଗାଯୋଗ ସରକାରଙ୍କ ପ୍ରଣୀତ ବହୁବିଧ କଲ୍ୟାଣକାରୀ ଯୋଜନା ଓ ଏ ସମ୍ପର୍କରେ ଜନସାଧାରଣଙ୍କ ସଚେତନତା ସେମାନଙ୍କୁ ହିଂସାକାଣ୍ଡରୁ ବିରତ କରାଇ ଦେଶ ଗଠନମୂଳକ କାର୍ଯ୍ୟରେ ବ୍ରତୀ କରାଇଛି । ମାଓ ପ୍ରବଣ ଅଂଚଳ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିବା ସେ ପ୍ରକାଶ କରିଥିଲେ । ଏଥିରେ ଯୋଗଦେଇ ସୀମା ସୁରକ୍ଷା ବଳର ଡିଆଇଜି ଅସୀତାଭ ମହାନ୍ତି କୋରାପୁଟ, ମାଲକାନଗିରି, ନବରଂଗପୁର ଜିଲ୍ଲାରେ ବିଏସଏଫ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ପାଇଁ କଳାକାର ଓ ଶିଳ୍ପୀମାନଙ୍କୁ ନିରାପତା ଦୃଷ୍ଟିରୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ରାଜ୍ୟ ଗୁଇନ୍ଦା ବିଭାଗ ଡିଆଇଜି ଅନିରୁଦ୍ଧ ସିଂ କହିଥିଲେ ଯେ, ମନୋରଂଜନ ମାଧ୍ୟମରେ ରାଜ୍ୟର ଅଗମ୍ୟ ଅଂଚଳରେ ସଚେତନତା ସୃଷ୍ଟି କରାଗଲେ ଏହା ସେ ଅଂଚଳର ବିକାଶ ମୂଳକ କାର୍ଯ୍ୟରେ ବିଶେଷ ସହାୟକ ହେବା ସହ ସନ୍ତ୍ରାସବାଦୀ କାର୍ଯ୍ୟକଳାପରେ ଲିପ୍ତ ନରହି ସାଧାରଣ ଜନତା ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ । ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ଅନେକ ନିରୀହ ବ୍ୟକ୍ତିଙ୍କୁ ହତ୍ୟା କରୁଥିବାରୁ ସେ ଦିଗରେ ମଧ୍ୟ ସଚେତନତା ଆବଶ୍ୟକ ବୋଲି ସେ କହିଥିଲେ । ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଲୋକକଳା ମାଧ୍ୟମରେ ଲୋକମାନଙ୍କୁ ସଚେତନତା କରାଇବା କାର୍ଯ୍ୟରେ ନିଯୁକ୍ତ କଳାକାରମାନଙ୍କ ସହ ଭାବବିନିମୟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ବିଏସଏଫର ସହକାରୀ କମାଡାଂଟ ନବୀନ ଦହିୟା ଓ ଆଂଚଳିକ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଉପନିର୍ଦ୍ଦେଶକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର ମଧ୍ୟ ଏହି ଅବସରରେ ଉଦବୋଧନ ଦେଇଥିଲେ । କର୍ମଶାଳା ଅବସରରେ ବିଶିଷ୍ଠ ଘୋଡାନାଚ ଶିଳ୍ପୀ ତଥା ଚଳିତ ବର୍ଷର ପଦ୍ମଶ୍ରୀ ବିଜେତା ଉତ୍ସବ ଚରଣ ଦାସଙ୍କୁ କାର୍ଯ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ